-ଉଭାନ୍ ହୋଇଥିଲା ଏମ୍ଏଚ୍୩୭୦

-ବିମାନରେ ଥିଲେ ୨୩୯ ଯାତ୍ରୀ

-ଏବେ ରହସ୍ୟ ଉପରୁ ଉଠିବ ପରଦା

-ଅନ୍ୱେଷଣ ପରେ କମ୍ପାନି ନେବ ୬୩୦ କୋଟି

ନୂଆଦିଲ୍ଲୀ ୦୬/୦୧: ୧୨ ବର୍ଷ ପୂର୍ବେ ୨୩୯ ଯାତ୍ରୀଙ୍କ ସହିତ ନିଖୋଜ ହୋଇଥିବା ଏମ୍‌ଏଚ୍୩୭୦ ବିମାନର ରହସ୍ୟ ଉପରୁ ପରଦା ଉଠିବ । ଏଥିପାଇଁ ଡିସେମ୍ବର ୩୧, ୨୦୨୫ରୁ ବିଶ୍ୱର ସବୁଠୁ ମହଙ୍ଗା ସର୍ଚ୍ଚ ଅପରେସନ୍ ପୁଣି ଥରେ ଆରମ୍ଭ ହୋଇଛି । ମାଲେସିଆର ପରିବହନ ମନ୍ତ୍ରଣାଳୟ ଅନୁସାରେ, ନୂଆ ଉପାୟରେ ବିମାନର ସ୍ଥାନ ବିଷୟରେ ଅନୁମାନ କରାଯାଇଛି । ଆମେରିକୀୟ ଘରୋଇ କମ୍ପାନି ଓସନ୍ ଇନ୍‌ଫିନିଟି ଅନୁସାରେ, ବିମାନକୁ ଖୋଜିବା ପରେ ହିଁ ଏହା ୬୩୦ କୋଟି ଟଙ୍କା ପାରିଶ୍ରମିକ ନେବ । ମାର୍ଚ୍ଚ ୮, ୨୦୧୪ । ରାତି ୧୨ଟା ୪୧ । ମାଲେସିଆର ରାଜଧାନୀ କୁଆଲାଲମ୍ପୁରରୁ ମାଲେସିଆ ଏୟାରଲାଇନ୍ସର ଏମ୍‌ଏଚ୍୩୭୦ ବିମାନ ଉଡ଼ାଣ ଆରମ୍ଭ କଲା । ଉଡ଼ାଣର ୨୦ ମିନିଟ୍ ପରେ ବିମାନ ୩୫ ହଜାର ଫୁଟ ଉଚ୍ଚରେ ପହଞ୍ଚିଗଲା । ଦକ୍ଷିଣ ଚୀନ୍ ସମୁଦ୍ର, ଭିଏତ୍‌ନାମ, କାମ୍ବୋଡ଼ିଆ, ଥାଇଲାଣ୍ଡ ଓ ଲାଓସ୍ ହୋଇ ଏହା ଚୀନ୍ ଅଭିମୁଖେ ଯାତ୍ରା କରିଥାନ୍ତା । ରାତି ୧.୧୯ରେ ବିମାନ ମାଲେସିଆର ଏୟାର ସ୍ପେସ୍‌ରୁ ବାହାରି ଭିଏତନାମର ଏୟାର୍ ସ୍ପେସ୍‌ରେ ପ୍ରବେଶ କରିବାକୁ ଯାଉଥିଲା । ମାଲେସିଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବିମାନର ପାଇଲଟ୍‌ଙ୍କୁ କହିଲା, ଏବେ ଆପଣ ହୋ ଚୀ ମିନ୍ ସିଟି ସହ ସମ୍ପର୍କ କରନ୍ତୁ, ଗୁଡ୍ ନାଇଟ୍ । ପାଇଲଟ୍ ଜବାବ ଦେଲେ- ଠିକ୍ ଅଛି, ଗୁଡ୍ ନାଇଟ୍ ।

ଭିଏତ୍‌ନାମ ଏୟାର ସ୍ପେସ୍‌ରେ ପ୍ରବେଶ କରିବା ପରେ ମଧ୍ୟ ପାଇଲଟ୍ ହୋ ଚୀ ମିନ୍ ସିଟିର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ସମ୍ପର୍କ କଲେ ନାହିଁ । ତା’ପରେ ବିମାନ ରାଡାରରୁ ମଧ୍ୟ ଉଭାନ୍ ହୋଇଗଲା । ଭିଏତ୍‌ନାମ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ବିମାନ ସହ ସମ୍ପର୍କ କରିବାକୁ ଚେଷ୍ଟା କଲେ, କିନ୍ତୁ କୌଣସି ଜବାବ ମିଳିଲା ନାହିଁ । ରାତି ୧.୩୦ ପରେ ଅନ୍ୟ କୌଣସି ବିମାନର ରାଡାରରେ ମଧ୍ୟ ଏହା ଦେଖାଗଲା ନାହିଁ । କୁଆଡ଼େ ଗଲା, କେହି କିଛି ବୁଝିପାରିଲେ ନାହିଁ । ବିମାନ ନିଖୋଜ ହେବାର ୫ ଘଣ୍ଟା ପରେ ମାଲେସିଆ ଏୟାରଲାଇନ୍ସ ଏ ବିଷୟରେ ସୂଚନା ଦେଲା । ସର୍ଚ୍ଚ ଅପରେସନ୍ ଆରମ୍ଭ ହେଲା । ମିଲିଟ୍ରି ରାଡାରରେ ଉଭାନ୍ ହେବା ପରେ ବିମାନର ଏକ ଦିଗ ମିଳିଲା । ଜଣାପଡ଼ିଲା, ୧.୨୧ରେ ବିମାନ ଟିକିଏ ଡାହାଣକୁ ମୋଡ଼ ନେଇଥିଲା ଏବଂ ପୁଣି ବାମ ମୋଡ଼ ନେଇ ବେଜିଂରୁ ଓଲଟା ଦିଗରେ ମାଲେସିଆ ଓ ଥାଇଲାଣ୍ଡ ସୀମା ହୋଇ ଭାରତ ମହାସାଗର ଅଭିମୁଖେ ଯାଇଥିଲା ।

ଉଭାନ୍ ବିମାନ ବୋଇଂ-୭୭୭ ଥିଲା । ଏଥିରେ ଆଉ ଏକ ଅଟୋମେଟିକ୍ କମ୍ୟୁନିକେସନ୍ ସିଷ୍ଟମ୍ ଲାଗିଥିଲା, ଯାହା ଜରିଆରେ ବିମାନ ସାଟେଲାଇଟ୍ ନଜରରେ ଥିଲା । ୧ ଘଣ୍ଟା ଯାଏ ବିମାନ କୌଣସି ଗ୍ରାଉଣ୍ଡ୍ ଷ୍ଟେସନ୍ ସହ ସମ୍ପର୍କ ନ କଲେ, ସାଟେଲାଇଟ୍ ତା’ ସହ ସମ୍ପର୍କ କରୁଥିଲା । ଏହା ଜରିଆରେ ସାଟେଲାଇଟ୍‌କୁ ଆପଣାଛାଏଁ ବିମାନ ବିଷୟରେ ସୂଚନା ମିଳୁଥିଲା । ଏହାକୁ ହ୍ୟାଣ୍ଡ୍‌ଶେକ୍ କୁହାଯାଏ । ରାତି ୨.୧୧ରେ ବିମାନ ସାଟେଲାଇଟ୍ ମାଧ୍ୟମରେ ହ୍ୟାଣ୍ଡ୍‌ଶେକ୍ ଆରମ୍ଭ କଲା । ଶେଷ ଥର ସକାଳ ୮.୧୧ରେ ସାଟେଲାଇଟ୍ ସହ ହ୍ୟାଣ୍ଡ୍‌ଶେକ୍ ହେଲା । ରାଡାର ସ୍ଥିତି ଓ ବିମାନରେ ଉପଲବ୍ଧ ଇନ୍ଧନ ଆଧାରରେ ବୈଜ୍ଞାନିକମାନେ ସେହି ସର୍କଲ୍‌ରେ ଏକ ଆର୍କ ବନେଇଲେ, ଯେଉଁଠି ବିମାନ ଥିବାର ସର୍ବାଧିକ ସମ୍ଭାବନା ଥିଲା । ଏହାକୁ ୭ମ ଆର୍କ କୁହାଗଲା । ଏ ଅଞ୍ଚଳ ଭାରତ ମହାସାଗରର ଦକ୍ଷିଣ ଦିଗରେ ରହିଛି, ଯାହା ଅଷ୍ଟ୍ରେଲିଆ ପାଖରେ ।

ମାଲେସିଆ ୧୫ ବିମାନ ଓ ୯ ଉଡ଼ାଣ ଜରିଆରେ ଏମ୍‌ଏଚ୍୩୭୦କୁ ଖୋଜିବା ଆରମ୍ଭ କଲା । ଚୀନ୍, ସିଙ୍ଗାପୁର, ଭିଏତ୍‌ନାମ, ଫିଲିପିନ୍ସ ଓ ଆମେରିକା ବି ଏଥିରେ ସାମିଲ ହେଲେ । ପ୍ରଥମେ ସମୁଦ୍ର ପୃଷ୍ଠରେ ଖୋଜାଗଲା, କାରଣ ବିମାନ ଦୁର୍ଘଟଣାଗ୍ରସ୍ତ ହେଲେ, ଅବଶେଷ କିଛି ଦିନ ସମୁଦ୍ରରେ ଭାସେ । ଅବଶେଷ ନ ମିଳିବାରୁ ବ୍ଲାକ୍‌ବକ୍ସର ଅସଫଳ ପ୍ରୟାସ ଆରମ୍ଭ ହେଲା । ୫୦ ଦିନ ଯାଏ ୪୦ ଜାହାଜ ଓ ଅନେକ ବିମାନ ଜରିଆରେ ୪୬ ଲକ୍ଷ ବର୍ଗ କିମି କ୍ଷେତ୍ରରେ ଖୋଜାଗଲା । କିନ୍ତୁ ବିମାନର ସୁରାଗ ମିଳିଲା ନାହିଁ ।

ଭାରତ ମହାସାଗରର ଦୁର୍ଗମ ଅଞ୍ଚଳରେ ବିମାନ ଅବଶେଷ ମିଳିବାର ଆଶଙ୍କା ଥିଲା, କିନ୍ତୁ ଉକ୍ତ ଅଞ୍ଚଳର ଭୂଜଳ ମାର୍ଗ କାହାକୁ ଜଣାନାହିଁ । ଭିତରେ ବଡ଼ ବଡ଼ ଚଟାଣ ଓ ଆଗ୍ନେୟଗିରି ରହିଛି । ପ୍ରାୟ ୧ ଲକ୍ଷ ୨୦ ହଜାର ବର୍ଗ କିମି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଲା । ୩ ବର୍ଷ ଓ ପ୍ରାୟ ୨୦ କୋଟି ଡଲାର ଖର୍ଚ୍ଚ ପରେ ମଧ୍ୟ ବିମାନର ସନ୍ଧାନ ମିଳିଲାନି । ଜାନୁଆରୀ ୨୦୧୭ରେ ସର୍ଚ୍ଚ ଅପରେସନ୍ ବନ୍ଦ କରିବାକୁ ପଡ଼ିଲା । ଏହା ଏପର୍ଯନ୍ତର ସବୁଠୁ ମହଙ୍ଗା ସର୍ଚ୍ଚ ଅପରେସନ୍ ଥିଲା ।

ସର୍ଚ୍ଚ ଅପରେସନ୍ ଶେଷ ହେବାର ଠିକ୍ ପରେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡେଭିଡ୍ ଗ୍ରିଫିନ୍‌ଙ୍କ ନୂଆ ଅଧ୍ୟୟନ ବିମାନର ସଠିକ୍ ଦୁର୍ଘଟଣା ସ୍ଥଳୀ ବିଷୟରେ ଜଣାଇଲା । ୨୦୧୫ରେ ଏମ୍ଏଚ୍୩୭୦ର ଏକ ଭଗ୍ନାବଶେଷ ପଶ୍ଚିମ ଭାରତ ମହାସାଗରର ରିୟୁନିୟନ୍ ଦ୍ୱୀପରେ ମିଳିଥିଲା । ତାହା ବିମାନର ଡାହାଣ ପଙ୍ଖ ଥିଲା । ବିମାନ ଦୁର୍ଘଟଣା ଦିନ ଭାରତ ମହାସାଗରରେ ପ୍ରବାହିତ ବାୟୁ ଆଧାରରେ ଉକ୍ତ ଅବଶେଷ ରିୟୁନିୟନ୍ ଦ୍ୱୀପକୁ ଆସିଥିବ ବୋଲି ଗ୍ରିଫିନ୍ ଟ୍ରାକ୍ କଲେ । ରିଭର୍ସ ଜର୍ନି ମାଧ୍ୟମରେ ସେଭେନ୍ଥ ଆର୍କରେ ଏକ ପଏଣ୍ଟ୍- ସାଉଥ୍ ୩୫ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବ ବୋଲି ସେ କହିଲେ । କିନ୍ତୁ ଉକ୍ତ ସ୍ଥାନରେ ସେପର୍ଯ୍ୟନ୍ତ କୌଣସି ପ୍ରକାର ସର୍ଚ୍ଚ ଅପରେସନ୍ ହୋଇନଥିଲା ।

୨୦୧୮ରେ କମ୍ପାନି ଓସନ୍ ଇନ୍‌ଫିନିଟି ନିଜର ଜଳ ଯାନ ଜରିଆରେ ଖୋଜାଖୋଜି କଲା । କମ୍ପାନି କହିଲା, ବିମାନ ନ ମିଳିଲେ କୌଣସି ପାରିଶ୍ରମିକ ନେବ ନାହିଁ । ୩ ମାସ ଧରି ୧ ଲକ୍ଷ ୧୨ ହଜାର କିମି କ୍ଷେତ୍ରରେ ଖୋଜା ଚାଲିଲା, କିନ୍ତୁ ଏ ଥର ବି କିଛି ମିଳିଲା ନାହିଁ । ଅନ୍ୱେଷଣକାରୀ ଟିମ୍ ୩୦ ଖଣ୍ଡ ଅବଶେଷ ପାଇଲେ, ଯାହା ଏମ୍‌ଏଚ୍୩୭୦ର ବୋଲି ଆଶଙ୍କା କରାଗଲା । ଏଥିରୁ କେବଳ ୩ ଖଣ୍ଡ ନିଖୋଜ ବିମାନର ବୋଲି ସ୍ପଷ୍ଟ କରାଗଲା । ଓସନ୍ ଇନ୍‌ଫିନିଟି ଏବେ ପୁଣି ଥରେ ୫୫ ଦିନ ଧରି ବିମାନ ଖୋଜା ଅଭିଯାନ ଚଳାଇବ । କମ୍ପାନିର ଅଣ୍ଡର ୱାଟର୍ ଯାନ ସମୁଦ୍ର ଭିତରର ୩ଡି ମ୍ୟାପ୍ ପ୍ରସ୍ତୁତ କରିବ । ଏଥିରେ ଲେଜର୍ ଓ ସ୍ୱର ଦ୍ୱାରା ଦୂରତା ମାପିବାର ଡିଭାଇସ୍ ଲାଗିଛି । ଏହା ଜରିଆରେ ଯାନ ୬ ହଜାର ମିଟର ଗଭୀର ପର୍ଯ୍ୟନ୍ତ ଅଞ୍ଚଳକୁ ମାପିପାରେ ।