ଭୁବନେଶ୍ୱର ୨୭/୧୧: କିଛି ଦିନ ବ୍ୟବଧାନରେ ପୁଣି ଚର୍ଚ୍ଚାକୁ ଆସିଛି ଶ୍ରୀବୈକୁଣ୍ଠଧାମ ଆଶ୍ରମ । ୱେବ୍‌ ସିରିଜ ‘ଆଶ୍ରମ’ ଭଳି ଖୋଲୁଛି ଏହି ଆଶ୍ରମର କେଳେଙ୍କାରୀ ପେଡି଼। ଆଶ୍ରମ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବକ। କହିଛନ୍ତି, ଆଶ୍ରମରେ ଅନେକ ଅନୈତିକ କାମ ଚାଲିଛି । ୪ ବର୍ଷ ଧରି ଆଶ୍ରମକୁ ଯାଉଥିବା ତାଙ୍କ ପତ୍ନୀ ୮ ମାସ ଧରି ନିଖୋଜ ଅଛନ୍ତି । ଏନେଇ ସହିଦନଗର ଥାନାରେ ସେ ଅଭିଯୋଗ କରିଛନ୍ତି ।

କେନ୍ଦୁଝର ଟାଉନର ଜିତେନ୍‌ ୨୦୧୪ ମସିହା ଏପ୍ରିଲ ୨୪ରେ ମୟୂରଭଞ୍ଜ ରରୁଆଁ ଥାନା ଅଧୀନ ନୂଆବେଡ଼ା ଅଞ୍ଚଳର ଲୁସିକା ବାରିକଙ୍କୁ ବିବାହ କରିଥିଲେ । ଉଭୟେ ୬ ବର୍ଷ ଧରି ଏକାଠି ଭୁବନେଶ୍ୱରରେ ରହୁଥିଲେ । ଲୁସିକା ଏମ୍‌ ଫିଲ୍‌ ପାଠ୍ୟକ୍ରମ ପାଇଁ ଭୁବନେଶ୍ୱରରେ ଆଚାର୍ଯ୍ୟ ବିହାରରେ ରହିଲେ । କିନ୍ତୁ ଜିତେନ ବ୍ୟବସାୟ ଲକ୍ଷ୍ୟରେ ମୟୂରଭଞ୍ଜ ଚାଲିଗଲେ । କରୋନା ବେଳେ ଶିବାନୀ ନାମକ ଜଣେ ଯୁବତୀ ଲୁସିକାଙ୍କ ସଂସ୍ପର୍ଶରେ ଆସିଲେ । ତାଙ୍କୁ ସବୁବେଳେ ବାବାଙ୍କ ଅଲୌକିକ କାହାଣୀ ଶୁଣାଇବାରେ ଲାଗିଲେ । ତା’ ପରେ ଆଶ୍ରମରେ ରହୁଥିବା ପଦ୍ମଲୋଚନ ବେହେରା ଓ କେ. କ୍ରିଷ୍ଣା ନନ୍ଦ ପ୍ରଭୁ ନାମକ ୨ ଭକ୍ତ ତାଙ୍କ ସ୍ତ୍ରୀଙ୍କୁ ଫୁସଲାଇ ଖଣ୍ଡଗିରିସ୍ଥିତ ଆଶ୍ରମ ପାଖକୁ ନେଇଗଲେ । ସେଠାରେ ସେ ଏକ ଘର ଭଡ଼ା ନେଇ ରହିଲେ । ଆଶ୍ରମକୁ ଆସୁଥିବା ବିଦେଶୀ ଭକ୍ତ ଓ ଆଶ୍ରମବାସିନ୍ଦାଙ୍କ ପାଇଁ ସେ ଟ୍ରାନ୍ସଲେଟର ଭାବେ କାମ କରିବାକୁ ଲାଗିଲେ । ସେବେଠୁ ଜିତେନଙ୍କର ପତ୍ନୀଙ୍କ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା ।

ବାରମ୍ବାର ଫୋନ୍‌ କରିବା ସତ୍ତେ୍ୱ ସେ ଆଉ କଲ୍‌ ଉଠାଇଲାନି । ବେଳେ ବେଳେ ଲୁସିକା ନିଜ ଆଡୁ ଫୋନ୍‌ କରି କହୁଥିଲେ, ଏମାନଙ୍କର ଗୋଟିଏ ବଡ଼ ଗ୍ୟାଙ୍ଗ ଅଛି । ଆଶ୍ରମକୁ ନାମୀଦାମୀ ଭକ୍ତ ଆସିଲେ, ସେମାନଙ୍କୁ ନାନା ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି । ଆଶ୍ରମରେ ସେକ୍ସ ସ୍କାଣ୍ଡାଲ ଚାଲୁଛି । ମୁଁ ପଳାଇବାକୁ ଚେଷ୍ଟା କଲେ, ସେମାନେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଏମିତିକି ଆଶ୍ରମ ପକ୍ଷରୁ ତାଙ୍କ ସ୍ତ୍ରୀକୁ ଫେରାଇବା ପାଇଁ ୨ ଲକ୍ଷ ଟଙ୍କା ଦାବି କରାଯାଇଥିଲା ।  ଜିତେନ ୫୦ ହଜାର ଟଙ୍କା ଦେବା ସତ୍ତେ୍ୱ ଆଶ୍ରମବାସୀ ଲୁସିକାକୁ ଫେରାଇଲେ ନାହିଁ । ଏବେ ବାଧ୍ୟ ହୋଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।

ସହିଦନଗର ଥାନା ଅଧିକାରୀ ଦୀଲ୍ଲିପ କୁମାର ମର୍ଦ୍ଦରାଜ ଭୂଁୟା କହିଛନ୍ତି, ଅଭିଯୋଗକ୍ରମେ ଏକ ଷ୍ଟେସନ ଡାଏରୀ କରାଯାଇଛି । ପୁଲିସର ଏକ ଟିମ୍‌ ଆଶ୍ରମକୁ ଯାଇ ତନାଘନା କରି ଫେରିଛି । ଘଟଣାର ସତ୍ୟାସତ୍ୟ ଖୋଜା ଚାଲିଛି । କିଛି ସୁରାକ୍‌ ମିଳିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଦୀର୍ଘଦିନ ଧରି ଆଶ୍ରମର ବାବା ସାଜିଥିବା ପଣ୍ଡିତ କାଶୀନାଥ ମିଶ୍ର, ଟ୍ରଷ୍ଟି ସଭାପତି ପାଣ୍ଡବ ପରିଡ଼ା ଓ ଅନ୍ୟ ଭକ୍ତମାନେ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି । କାହାରି ଦେଖାଦର୍ଶନ ମିଳୁନାହିଁ ।