ବର୍ଷ ୨୦୨୫ରେ ଓଡ଼ିଶା ହାସଲ କରିଛି ଅନେକ ସଫଳତା । ନବସୃଜନ ମାଧ୍ୟମରେ ସମୃଦ୍ଧିର ବାଟ ହୋଇଛି ପ୍ରଶସ୍ଥ । ରାଜ୍ୟକୁ ଛୁଟିଛି ନିବେଶ ସୁଅ । ଏଆଇ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପାଦ ଆଗକୁ ବଢ଼ାଇଛି ରାଜ୍ୟ । ବିତ୍ତୀୟ ପରିଚାଳନାରେ ପାରଦର୍ଶୀ ହୋଇଛି ଓଡ଼ିଶା । ନୂଆ ସରକାରଙ୍କ ନୂଆ ରଣନୀତି ସୁଫଳ ଦେଇଛି । ବିକାଶ ପଥରେ ଦ୍ରୁତ ବେଗରେ ଆଗେଇ ଚାଲିଛି ରାଜ୍ୟ । ୫୦୦ ବିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନକୁ ସାକାର କରିବାକୁ ବିଜ ବୁଣିଛନ୍ତି ମୋହନ ସରକାର । ବିଦାୟୀ ବର୍ଷରେ ନୂଆ ଓଡ଼ିଶାର ନିଅଁ ହୋଇଛି ମଜଭୁତ...
ନିବେଶକଙ୍କ ପସନ୍ଦ ଓଡ଼ିଶା
ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ହୋଇଥିଲା ନିବେଶ ବର୍ଷା । ନିବେଶକ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫କୁ ମିଳିଥିଲା ବିରାଟ ସଫଳତା । ବିଭିନ୍ନ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସାଉଁଟିଥିଲା ୧୬.୭୩ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି । ବିଭିନ୍ନ କମ୍ପାନିଗୁଡ଼ିକ ପକ୍ଷରୁ ମୋଟ ୫୯୩ଟି ପ୍ରସ୍ତାବ ଆସିଥିବାବେଳେ ୧୪୫ଟିରେ ହୋଇଥିଲା ଏମ୍ଓୟୁ । ଏମ୍ଓୟୁଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟକୁ ଆସିବ ୧୨.୮୯ ଲକ୍ଷ କୋଟିର ନିବେଶ । ରାଜ୍ୟ ସରକାର ଏହି ନିବେଶକ ସମ୍ମିଳନୀରୁ ୫ ଲକ୍ଷ କୋଟିର ନିବେଶ ଟାଣିବାକୁ ଲକ୍ଷ୍ୟ ରଖିଥିଲେ । ଓଡ଼ିଶାର ଶିଳ୍ପ ଅନୁକୂଳ ନୀତି ଉପରେ ଶିଳ୍ପସଂସ୍ଥାଗୁଡ଼ିକର ଦୃଢ଼ ଭରସା ଏବଂ ମୋଦି ଗ୍ୟାରେଣ୍ଟି ଯୋଗୁ ଲକ୍ଷ୍ୟର ୩ ଗୁଣା ସଫଳତା ହାସଲ କରିଛନ୍ତି ମୋହନ ସରକାର । ପୂର୍ବ ସଂସ୍କରଣରେ ମିଳିଥିଲା ୧୦ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି । ଏଥର କେମିକାଲ୍ସ,ପେଟ୍ରୋକେମିକାଲ୍ସ, ବୟନ, ଖଣିଜ ଓ ଧାତବ, ଅକ୍ଷୟ ଶକ୍ତି, ଆଇଟି/ଆଇଟିଇଏସ୍, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ୧୬ ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ନିବେଶ ମୂଲ୍ୟ ଆକାରରେ ଶୀର୍ଷ ୧୫ କମ୍ପାନି ଦେଇଥିଲେ ୮.୫୦ ଲକ୍ଷ କୋଟିର ପ୍ରତିଶ୍ରୁତି । ଆଦାନି ଗ୍ରୁପ୍ ସବୁଠାରୁ ଅଧିକ ୨.୨୮ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ଦେଇଥିଲା । ଏହା ପଛକୁ ବେଦାନ୍ତ ଲିମିଟେଡ୍ର ଲକ୍ଷେ କୋଟିର ପ୍ରସ୍ତାବ ରହିଛି । ଟାଟା ଗ୍ରୁପ୍ ୮୭,୯୪୪ କୋଟି, ମହାନଦୀ କୋଲ୍ଫିଲ୍ଡସ ୮୧,୯୦୦ କୋଟି, ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ୭୫,୦୦୦ କୋଟି, ଏନ୍ଏଲ୍ସି ୫୨,୦୦୦ କୋଟି, ସେଲ୍ ୫୦,୮୦୦ କୋଟି, ଏନ୍ଟିପିସି ୩୬,୧୩୧ କୋଟି, ନାଲ୍କୋ ୩୫,୦୦୦ କୋଟି, ଜେଏସ୍ପିଏଲ୍ ୨୫,୫୭୦ କୋଟି, ଆଦିତ୍ୟ ବିର୍ଲା ଗ୍ରୁପ୍ ୧୯,୦୧୭ କୋଟି, ଜେଏସ୍ଏଲ୍ ୧୫,୦୦୦ କୋଟି, ଓଏନ୍ଜିସି ତ୍ରିପୁରା ୧୪,୫୦୦ କୋଟି, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୧୩,୬୪୫ କୋଟି ଏବଂ ଏନ୍ଏଚ୍ପିସି ୧୩,୪୮୭ କୋଟିର ନିବେଶ ପ୍ରତିଶ୍ରୁତି ଦେଇଥିବା ଶିଳ୍ପ ବିଭାଗ ତଥ୍ୟରୁ ଜଣାପଡ଼ିଛି । ସବୁଠାରୁ ଅଧିକ ଏମ୍ଓୟୁ ସ୍ୱାକ୍ଷର ହୋଇଛି ଖଣିଜ, ଧାତବ ଏବଂ ଧାତବ ଆନୁଷଙ୍ଗିକ ଓ ଡାଉନ୍ଷ୍ଟ୍ରିମ୍ କ୍ଷେତ୍ରରେ । ରାଜ୍ୟକୁ ନିବେଶ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଏଥର ଦେଶର ପ୍ରମୁଖ ସହର ଗୁଡ଼ିକରେ ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ । ଦିଲ୍ଲୀରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ଆଗ୍ରହ ପାଇଥିଲା ରାଜ୍ୟ । ଏହା ଦ୍ୱାରା ୯୬ ହଜାର ନିଯୁକ୍ତି ସୁଯୋଗ ଆସିବା ସମ୍ଭାବନା ରହିଛି । ସେହିଭଳି ୪୦ତମ ରାଜ୍ୟ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ୧.୬୫ ଲକ୍ଷ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲେ । ସେହିଭଳି ୧୩୫ ସିଙ୍ଗଲୱିଣ୍ଡୋ ବୈଠକ ଗୁଡ଼ିକରେ ୬ ହଜାର କୋଟିରେ ୧୯ ପ୍ରକଳ୍ପ , ୧୩୬ ତମ ବୈଠକରେ ୩୯୦୦ କୋଟିରେ ୧୯ ପ୍ରକଳ୍ପ, ୧୪୨ ତମ ସିଙ୍ଗଲୱିଣ୍ଡୋ ବୈଠକରେ ୪୩୦୦ କୋଟିରେ ୨୦ ଶିଳ୍ପ, ଏଚ୍ଏଲ୍ସିଏରେ ୧.୫ ଲକ୍ଷ କୋଟିରେ ୧୨ ବୃହତ ଶିଳ୍ପ ପ୍ରସ୍ତାବ ରହିଛି । ସରକାରଙ୍କ ୫୦୦ ଦିନ ପୂରଣ ଅବସରରେ ୨୫ ହଜାର କୋଟି ବିନିଯୋଗରେ ୨୩ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ।
ନିଯୁକ୍ତି ଇଞ୍ଜିନ ଆଇଟି
ଆଇଟି କ୍ଷେତ୍ରରେ ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏ ବର୍ଷ ଅଣ୍ଟା ଭିଡ଼ିଛନ୍ତି । ଲାଗୁ ହୋଇଛି ନୂଆ ଆଇଟି ଓ ଇଲେକ୍ଟ୍ରୋନିକ୍ସ ନୀତି । ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ଏବଂ ନବସୃଜନ ହବ୍ ଭାବେ ବିକଶିତ କରିବା ଲକ୍ଷ୍ୟ ରହିଛି । ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରରେ ଉଭୟ ଘରୋଇ ଏବଂ ବିଦେଶୀ କମ୍ପାନିଗୁଡ଼ିକୁ ଆକୃଷ୍ଟ କରାଯିବ । ଏ ନେଇ କମ୍ପାନିଗୁଡ଼ିକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର । ସେହିଭଳି ଡାଟା ସେଣ୍ଟର, କୋୱାର୍କିଂ ସ୍ପେସ୍ ଏବଂ ଇନୋଭେସନ ଲ୍ୟାବ୍ ଭଳି ଭିତ୍ତିଭୂମିକୁ ପ୍ରାଥମିକତା ମିଳିବ । ଏଆଇ, ଆଇଓଟି, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା, ଆନାଲିଟିକ୍ସ, ଗଭର୍ଣ୍ଣାସ ଏବଂ ବିଜନେସ ଇକୋସିଷ୍ଟମରେ ଉନ୍ନତି ଅଣାଯିବ । ଏହାସହ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ଗ୍ଲୋବାଲ ଟେକ୍ ପ୍ଲେୟରଙ୍କୁ ସରକାର ଉତ୍ସାହିତ କରିବେ । ଡିଜିଟାଲ ସ୍କିଲ୍ ଏବଂ ଟ୍ୟାଲେଣ୍ଟ ପାଇପ୍ଲାଇନକୁ ଉତ୍ସାହିତ କରାଯିବ । ଏ ନେଇ ଆକର୍ଷଣୀୟ ପୁଞ୍ଜି ନିବେଶ ସହାୟତା, ଭଡ଼ା ଏବଂ ଜମି କ୍ଷେତ୍ରରେ ରିହାତି, ଜିଏସ୍ଟି ରିହାତି, ସୁଧ ଛାଡ଼ ଭଳି ସୁବିଧା ଦେବ ରାଜ୍ୟ ।ସେହିଭଳି ନିଯୁକ୍ତି ପ୍ରୋତ୍ସାହନ, ଇଣ୍ଟର୍ଣ୍ଣଶିପ, ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ।
ଗ୍ରୀନ ଏନର୍ଜି ହବ୍ ସ୍ୱପ୍ନ
୨୦୩୬ ସୁଦ୍ଧା ରାଜ୍ୟକୁ ଗ୍ରୀନ ଏନର୍ଜି ହବ୍ ଭାବେ ରୁପାନ୍ତରିତ କରିବା ଲାଗି ରାଜ୍ୟ ପ୍ରୟାସ ଜାରି ରଖିଛି । ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ହ୍ରାସ ଲାଗି ଏକ ଦୀର୍ଘକାଳୀନ ଲକ୍ଷ୍ୟ ଦିଗରେ ରାଜ୍ୟ ଅଗ୍ରସର ହେଉଛି । ଓଡ଼ିଶା ପାଇଁ ୧.୫ ଲକ୍ଷ ପିଏମ୍ ସୂର୍ଯ୍ୟଘର ଯୋଜନା ଅନୁମୋଦିତ ହୋଇଛି । ଓଡ଼ିଶାରେ ଅନୁଷ୍ଠିତ ବିଶ୍ୱ ଶକ୍ତି ନେତା ସମ୍ମିଳନୀରେ ଅକ୍ଷୟ ଉର୍ଜା କ୍ଷେତ୍ରରେ ୪ଟି ଏମ୍ଓୟୁ ହୋଇଛି । ୧୪ ସବୁଜ ହାଇଡ୍ରୋଜେନ ପ୍ରକଳ୍ପରେ ହୋଇଥିବା ଏମ୍ଓୟୁ ମାଧ୍ୟମରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରହିଛି ।
୫ ଗ୍ଲୋବାଲ କାପାବିଲିଟି ସେଣ୍ଟର
ରାଜ୍ୟକୁ ଗ୍ଲୋବାଲ କାପାବିଲିଟି ସେଣ୍ଟର(ଜିସିସି)ର ଏକ ପ୍ରମୁଖ ସେଣ୍ଟର ଭାବେ ଗଢ଼ି ତୋଳିବା ଦିଗରେ ରାଜ୍ୟ କ୍ୟାବିନେଟ ଓଡ଼ିଶା ଜିସିସି ନୀତି ୨୦୨୫କୁ ମଞ୍ଜୁରି ପ୍ରଦାନ କରିଛି । ଏହା ଦ୍ୱାରା ଓଡ଼ିଶାରେ ୫ ଗ୍ଲୋବାଲ କାପାବିଲିଟି ସେଣ୍ଟର ସ୍ଥାପନକୁ ପ୍ରୋତ୍ସାହିତ କରାଯିବ । ଏ କ୍ଷେତ୍ରରେ ୧ ହଜାର କୋଟିର ନିବେଶ ହେବ । ଆକର୍ଷଣୀୟ ପ୍ରୋତ୍ସାହନ ବ୍ୟବସ୍ଥା ସହ ବହୁରାଷ୍ଟ୍ରୀୟ କମ୍ପାନିଙ୍କୁ ଆକୃଷ୍ଟ କରାଯିବ । ଏହା ଦ୍ୱାରା ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି । ଟିୟର ୨ ସହରଗୁଡ଼ିକରେ ପରିଚାଳନା ଖର୍ଚ୍ଚ କମ୍ ଥିବାରୁ ଓଡ଼ିଶା ଏ କ୍ଷେତ୍ରରେ ଅଗ୍ରଣୀ ହୋଇପାରିବ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ଦ୍ୱାରା ନିବେଶକୁ ଅନ୍ୟ ସହର ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ରହିବ । ବିଶ୍ୱ ସ୍ତରୀୟ କମ୍ପାନି ଗୁଡ଼ିକ ଏବେ ଟିୟର ୨ ସହର ଉପରେ ଫୋକସ୍ କରୁଥିବାରୁ ଭୁବନେଶ୍ୱର ଏ କ୍ଷେତ୍ରରେ ଏକ ଆକର୍ଷଣୀୟ ସ୍ଥଳ ଭାବେ ଉଭା ହେବାର ଢ଼େର ସମ୍ଭାବନା ରହିଛି । ନୀତିଗତ ପଦକ୍ଷେପ ଏ କ୍ଷେତ୍ରକୁ ଆହୁରି ଦୃଢ଼ କରିବ ବୋଲି ଆଶା ରହିଛି ।
ଅପରେସନ ସିନ୍ଦୁରରେ ଓଡ଼ିଶା ଡ୍ରୋନ୍
ପାକିସ୍ତାନ ବିରୋଧରେ ହୋଇଥିବା ଅପରେସନ ସିନ୍ଦୁରରେ ବ୍ୟବହାର ହୋଇଥିଲା ଓଡ଼ିଶା ଡ୍ରୋନ । ରାଜ୍ୟଭିତ୍ତିକ ଷ୍ଟାର୍ଟଅପ ଆଇଜି ଡ୍ରୋନସ ଏହି ଡ୍ରୋନ ନିର୍ମାଣ କରିଥିଲା । କମ୍ପାନି ୪ଟି ବର୍ଗରେ ଡ୍ରୋନ ତିଆରି କରୁଛି । ଏହା କୃଷି କ୍ଷେତ୍ରରୁ ଯୁଦ୍ଧ କ୍ଷେତ୍ର ଯାଏ ବ୍ୟବହାର ହେଉଛି । ସେନାକୁ ବଳୁଆ କରିବାରେ ରାଜ୍ୟର ଏହି ଷ୍ଟାର୍ଟଅପ ଅଗ୍ରଣୀ ଯୋଗଦାନ ଦେଇଛି । ଜାତୀୟ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଘରୋଇ ଜ୍ଞାନକୌଶଳ ଆଧାରରେ ଏହି ଡ୍ରୋନ ନିର୍ମାଣ କରିଛି । କମ୍ପାନି ଭର୍ଟିକାଲ ଟେକ୍ ଅଫ୍ ଆଣ୍ଡ୍ ଲ୍ୟାଣ୍ଡ୍ (ଭିଟିଓଏଲ୍) ଏବଂ ଫାଷ୍ଟ ପର୍ସନ ଭିୟୁ (ଏଫ୍ପିଭି) ସେନାକୁ ଯୋଗାଇ ଦେଉଛି ।
ସେମିକଣ୍ଡକ୍ଟର ହବ୍
ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ ଭାବେ ରୁପାନ୍ତରିତ କରିବା ଲକ୍ଷ୍ୟରେ ରାଜ୍ୟ ଅଗ୍ରସର ହୋଇଛି । ଚଳିତ ବର୍ଷ ଏ ଦିଗରେ ପ୍ରାରମ୍ଭିକ ସଫଳତା ପାଇଛି ରାଜ୍ୟ । ଓଡ଼ିଶାରେ ୨ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ନେଇ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଏ କ୍ଷେତ୍ରରେ ୪ ହଜାର କୋଟି ଟଙ୍କାର ନିବେଶ ହେବାକୁ ଯାଉଛି । ଭୁବନେଶ୍ୱରର ଇନ୍ଫୋଭ୍ୟାଲିରେ ସିକ୍ସେମ୍ ନାମକ କମ୍ପାନି ସେମିକଣ୍ଡକ୍ଟର ୟୁନିଟ ବସାଉଛି । ସେହିଭଳି ସିଲିକନ୍ କାର୍ବାଇଡ ସେମିକଣ୍ଡକ୍ଟର ପ୍ଲାଣ୍ଟ ଏବଂ ୩ଡି ଗ୍ଲାସ୍ ସେମିକଣ୍ଡକ୍ଟର ୟୁନିଟ୍ ରାଜ୍ୟରେ ଆସିବାକୁ ଯାଉଛି । ଏହି ୟୁନିଟ୍ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ରକୁ ସେମିକଣ୍ଡକ୍ଟର ଯୋଗାଣ ତ୍ୱରାନ୍ୱିତ ହେବ । ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠାର ବ୍ୟାପକ ସମ୍ଭାବନା ରହିଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଡାଟା ସେଣ୍ଟର ପ୍ରକଳ୍ପ ଗୁଡ଼ିକୁ ଆକୃଷ୍ଟ କରିବା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ତାଲିମ ଆରମ୍ଭ କରିବା ଲାଗି ଶ୍ରୀ ବୈଷ୍ଣବ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ । ସେମିକଣ୍ଡକ୍ଟର, ଇଲେକଟ୍ରୋନିକ୍ସ, ଏଆଇ ଏବଂ ଅନ୍ୟ ସମ୍ଭାବ୍ୟ ପ୍ରଯୁକ୍ତି କ୍ଷେତ୍ରରେ ସମର୍ପିତ ନୀତି ଯୋଗୁ ଓଡ଼ିଶା ଅନୁକୂଳ ରାଜ୍ୟ ହୋଇପାରିଛି ବୋଲି ନିକଟରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନୌପରିବହନ-ବନ୍ଦରରେ ୫୦ ହଜାର କୋଟି ନିବେଶ
ଚଳିତ ବର୍ଷ ରାଜ୍ୟ ନୌବାଣିଜ୍ୟ ଏବଂ ବନ୍ଦର କ୍ଷେତ୍ର ଲାଗି ଉଲ୍ଲେଖନୀୟ ରହିଥିଲା । ଏ କ୍ଷେତ୍ରରେ ରାଜ୍ୟ ୫୦ ହଜାର କୋଟିର ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛି । ୨୧,୫୦୦ କୋଟିରେ ବାହୁଦାରେ ସାଟେଲାଇଟ ବନ୍ଦର ଏବଂ ୨୪,୭୦୦ କୋଟିରେ ପରାଦୀପରେ ଜାହାଜ ନିର୍ମାଣ ଏବଂ ମରାମତି କ୍ଲଷ୍ଟର, ପୁରୀରେ କ୍ରୁଜ ଟର୍ମିନାଲ ସ୍ଥାପନା ଲାଗି ରାସ୍ତା ଖୋଲିଛି । ବାଣିଜ୍ୟ, ଶିଳ୍ପ ଏବଂ ନିଯୁକ୍ତିରେ ରାଜ୍ୟ ଇଞ୍ଜିନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ । ମୁମ୍ବାଇରେ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶା ରଖିଥିଲା ନୌବାଣିଜ୍ୟ ନକ୍ସା । ୨୦୪୭ ସୁଦ୍ଧା ୫୦୦ ନିୟୁତଟନ୍ ପଣ୍ୟ କାରବାର ଲକ୍ଷ୍ୟ ରହିଛି । ସେହିଭଳି ୨୧୦୦ କୋଟିରେ ଜଟାଧାର ଜେଟି ନିର୍ମାଣ ପାଇଁ ଚୁକ୍ତି ହୋଇଛି ।
ମସଲା ମଣିଷଙ୍କ ପରଲୋକ
ଓଡ଼ିଶାର ମସଲା ମଣିଷ ଭାବେ ଜଣାଶୁଣା ତଥା ରୁଚି ପ୍ରତିଷ୍ଠାତା ଶରତ ସାହୁଙ୍କର ଚଳିତ ବର୍ଷ ପରଲୋକ ହୋଇଛି । ୭୬ ବୟସରେ ସେ ମୁମ୍ବାଇରେ ଲୀଳାବତି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗୁଣ୍ଡ ମସଲାକୁ ଘରେ ଘରେ ପରିଚିତ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଡ. ସାହୁଙ୍କ ପରଲୋକ ରାଜ୍ୟ ଶିଳ୍ପ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସି ରୁଚିକୁ ଏକ ପରିଚିତ ବ୍ରାଣ୍ଡ ଭାବେ ସେ ଗଢ଼ି ତୋଳିଥିଲେ । ଟ୍ୟାଗ ଲାଇନ ବର୍ଣ୍ଣ ଇନ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆକୁ ସେ ବାସ୍ତବ ରୁପ ଦେବାରେ ସକ୍ଷମ ହୋଇଥିଲେ ।
୫୦୦ ବିଲିୟନ ଡଲାର ଅର୍ଥନୀତି ସ୍ୱପ୍ନ
ଏବେ ଓଡ଼ିଶା ଅର୍ଥନୀତିର ଆକାର ୧୨୦ ବିଲିୟନ ଡଲାର ରହିଛି । ୨୦୩୬ ବେଳକୁ ରାଜ୍ୟ ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ନେଇ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅର୍ଥାତ ୫ ଗୁଣ ଅଭିବୃଦ୍ଧି ହାସଲ ଆଶା । ଏ ଦିଗରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଭିତ୍ତିଭୂମି ଦୃଢ଼ୀକରଣ, ଶିଳ୍ପ ଓ ଦକ୍ଷତା ବିକାଶକୁ ମିଳିଛି ଅଗ୍ରାଧିକାର । ଓଡ଼ିଶାକୁ ସମାବେଶୀ, ଦୃଢ଼ ଏବଂ ପ୍ରାଚୁର୍ଯ୍ୟପୂର୍ଣ୍ଣ ଅର୍ଥନୀତି ଗଠନ କରିବା ଲାଗି ପ୍ରାକୃତିକ ସମ୍ବଳ ସୁବିନିଯୋଗ, ମାନବ ସମ୍ବଳ ଏବଂ ସାଂସ୍କୃତିକ ଉନ୍ନତୀକରଣ ଲକ୍ଷ୍ୟ ରଖାଯାଇଛି । ସେହିଭଳି ଶିଳ୍ପାୟନ, ଏମ୍ଏସ୍ଏମ୍ଇ ସମ୍ପ୍ରସାରଣ, କୃଷିର ଆଧୁନିକୀକରଣ ଏବଂ ସେବା କ୍ଷେତ୍ରର ବିକାଶ ଉପରେ ଫୋକସ ରହିଛି । ଜନଜାତି ବିକାଶ, ମହିଳା ସଶକ୍ତିକରଣ, ଯୁବବର୍ଗଙ୍କ ଦକ୍ଷତା ବିକାଶ, ସାମାଜିକ ନିରାପତ୍ତା ଦ୍ୱାରା ସମାଜର ଦୁର୍ବଳବର୍ଗଙ୍କ ଉତ୍ଥାନ, ବିଶ୍ୱ ସ୍ତରୀୟ ଭିତ୍ତିଭୂମି, ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ପବ୍ଲିକ ସର୍ଭିସ ସହ ଇଜ୍ ଅଫ୍ ଡୁଇଁ ବିଜ୍ନେସରେ ଉନ୍ନତି ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଓଡ଼ିଆ ଅସ୍ମିତା ଲାଗି ସଂସ୍କୃତିର ପ୍ରଚାର ପ୍ରସାର, ଐତିହ୍ୟର ସଂରକ୍ଷଣ, ପରିବେଶ ସୁରକ୍ଷା, ଜଳବାୟୁ ସହନ ବିକାଶ ଉପରେ ନଜର ରଖାଯାଇଛି ।
ଆସିବ ଫାର୍ମା, ମେଡ୍ଟେକ୍ ପାର୍କ
ଓଡ଼ିଶାରେ ଫାର୍ମା ଏବଂ ମେଡ୍ଟେକ୍ ପାର୍କ ସ୍ଥାପନା ଲାଗି ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଓଡ଼ିଶା ଔଷଧ ଚିକିତ୍ସା ଏବଂ ଉପକରଣ ନୀତିକୁ ଅନୁମୋଦନ ମିଳିଛି । ଓଡ଼ିଶା ଫାର୍ମା ସମିଟ୍ ଅବସରରେ ଏକ ଡ୍ରାଫ୍ଟ ନୀତି ଜାରି ହୋଇଛି । ଏହା ଦ୍ୱାରା ରାଜ୍ୟକୁ ୨୦୩୦ ବେଳକୁ ଏ କ୍ଷେତ୍ରରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆକୃଷ୍ଟ କରିବା ଲକ୍ଷ୍ୟ ରହିଛି । ଏହି ସମ୍ମିଳନୀରେ ୬ ହଜାର କୋଟିର ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା ।
ବିତ୍ତୀୟ ପରିଚାଳନାରେ ପାରଦର୍ଶୀ
ବିତ୍ତୀୟ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ଲାଗି ଚଳିତ ବର୍ଷ ଓଡ଼ିଶାକୁ ସିଏଜି ପ୍ରଶଂସା କରିଥିଲେ । ମୋଟ ଋଣ ଭାର ରାଜ୍ୟ ଜିଡିପିର ୧୪% ସ୍ତରରେ ରହିଛି । ଓଡ଼ିଶା ଉପରେ ୧.୨୨ ଲକ୍ଷ କୋଟିର ଋଣ ରହିଛି । ୨୦୨୩-୨୪ରେ ୨୦% ବଢ଼ିଛି ଋଣ । ସେହିଭଳି ଓଡ଼ିଶାର ରାଜସ୍ୱ ବଳକା ୩୦,୭୧୬ କୋଟି ଟଙ୍କା ରହିଛି । ପ୍ରାଥମିକ ନିଅଣ୍ଟ ଲକ୍ଷ୍ୟ ପାଳନ ଲାଗି ଓଡ଼ିଶାକୁ ସିଏଜି ପରାମର୍ଶ ଦେଇଛନ୍ତି ।