ଭୁବନେଶ୍ୱର,୦୯/୦୫: ବଢ଼ିଲା ବିଶ୍ୱବିଦ୍ୟାଳୟ ଅନୁଦାନ  ଆୟୋଗ ନେଟ୍‌ ଜୁନ୍‌ ୨୦୨୫ ଆବେଦନ ଶେଷ ତାରିଖ । ଗତକାଲି (ବୁଧବାର) ଦିନ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ  ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ସୀମାକୁ ଆସନ୍ତା  ୧୨ ତାରିଖ ଯାଏ ବୃଦ୍ଧି କରାଯାଇଛି । ଏନେଇ ନ୍ୟାସନାଲ୍‌ ଟେଷ୍ଟିଂ  ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଏନ୍‌ଟିଏର ବିଜ୍ଞପ୍ତି  ଅନୁଯାୟୀ, ୧୩ ତାରିଖ ମଧ୍ୟରେ ଆବେଦନ ଫି ଅନ୍‌ଲାଇନ  ମାଧ୍ୟମରେ ଦାଖଲ କରିବାର ସୁଯୋଗ ମିଳିବ । ୧୪ ଓ ୧୫ରେ  ଆବଦେନ ଫର୍ମର ସଂଶୋଧନ ସୁଯୋଗ ମିଳିବ । ଜୁନ୍‌ ୨୧ରୁ  ଜୁନ୍‌ ୩୦ ମଧ୍ୟରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ।  ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୧୫୦ ଟଙ୍କା, ସାଧାରଣ ବର୍ଗ  (ଆର୍ଥିକ ଅନଗ୍ରସର ଶ୍ରେଣୀ)/ଓବିସି/ ଏନ୍‌ସିଏଲ୍‌ ପ୍ରାର୍ଥୀଙ୍କ  ପାଇଁ ୬୦୦ ଟଙ୍କା, ଏସ୍‌ସି, ଏସ୍‌ଟି, ତୃତୀୟ ଲିଙ୍ଗି ପ୍ରାର୍ଥୀଙ୍କ ପାଇଁ  ୩୨୫ ଟଙ୍କା ଆବେଦନ ଫି ରହିଛି । 

ସୂଚନାଯୋଗ୍ୟ, କଲେଜ ଓ  ବିଶ୍ୱବିଦ୍ୟାଳୟରେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଓ ଆସିଷ୍ଟାଣ୍ଟ  ପ୍ରଫେସର ନିଯୁକ୍ତି ଓ ପିଏଚ୍‌ଡି ନାମଲେଖା ପାଇଁ ୟୁଜିସି ନେଟ୍‌  ପରୀକ୍ଷାର ଆବଶ୍ୟକତା ରହିଛି । ଏନେଇ ସମସ୍ତ ସୂଚନା ଏନ୍‌ଟିଏ  ୱେବ୍‌ସାଇଟ୍‌ www.nta.ac.inରେ ରହିଛି ।