ନୂଆଦିଲ୍ଲୀ ୨୦/୦୭: ବଲିଉଡ୍ ଇଣ୍ଡଷ୍ଟ୍ରିର ଆକ୍ସନ୍ ଷ୍ଟାର୍ ଅଜୟ ଦେବଗନ ନିଜର ଅପ୍କମିଙ୍ଗ ଫିଲ୍ମ ‘ସନ୍ ଅଫ୍ ସରଦାର-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ଆସନ୍ତା ସପ୍ତାହ ଅର୍ଥାତ୍ ୨୫ ତାରିଖରେ ମୁକ୍ତିଲାଭ କରିଥାନ୍ତା । କିନ୍ତୁ ଏବେ ଫିଲ୍ମର ରିଲିଜ୍ ତାରିଖକୁ ବାତିଲ କରାଯାଇଛି । ଆସନ୍ତା ଅଗଷ୍ଟରେ ଫିଲ୍ମ ରିଲିଜ୍ ହେବ ବୋଲି ନିର୍ମାତା ଘୋଷଣା କରିଛନ୍ତି । ତେବେ ଏହାର କାରଣ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ଖୋରାକ ଦେଇଛି । ଗତ ଶୁକ୍ରବାର (୧୮ ତାରିଖ) ମୁକ୍ତିଲାଭ କରିଥିବା ‘ସୈୟାରା’ ବକ୍ସ ଅଫିସ୍ରେ ଆଶାଠୁ ଭଲ ବ୍ୟବସାୟ କରୁଛି । ଥିଏଟର ହାଉସ୍ଫୁଲ୍ ହେଉଛି । ସେଥିପାଇଁ ‘ସନ୍ ଅଫ୍ ସରଦାର-୨’ର ନିର୍ମାତା ଫିଲ୍ମର ରିଲିଜ୍ ତାରିଖକୁ ଆଗକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ମୋହିତ ସୁରୀଙ୍କ ‘ସୈୟାରା’ ଏକ ରୋମାଣ୍ଟିକ୍ ଥ୍ରିଲର୍ ଫିଲ୍ମ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ନବାଗତ କଳାକାର ଆହାନ ପାଣ୍ଡେ ଓ ଅନୀତ ପଡ୍ଡା । ରିଲିଜ୍ର ପ୍ରଥମ ଦିନ ଏହା ୨୦ କୋଟିରୁ ଅଧିକ ଆୟ କରି ସମସ୍ତଙ୍କୁ ଚକିତ କରିଛି । ଫିଲ୍ମର ଗୀତକୁ ଯୁବପିଢ଼ି ଖୁବ୍ ପସନ୍ଦ କରୁଛନ୍ତି । ତେଣୁ ‘ସୈୟାରା’ ସହ ଟକ୍କର ଦେବାର ରିସ୍କ ନେବାକୁ ‘ସନ୍ ଅଫ୍ ସରଦାର-୨’ର ନିର୍ମାତା ଚାହୁଁନାହାନ୍ତି । ଅସନ୍ତା ଅଗଷ୍ଟ ୧ରେ ସିଦ୍ଧାନ୍ତ ଚତୁର୍ବେଦୀ ଓ ତୃପ୍ତି ଡିମରୀଙ୍କ ଫିଲ୍ମ ‘ଧଡ଼କ୍-୨’ ମୁକ୍ତିଲାଭ କରୁଛି । ଅଜୟଙ୍କ ଫିଲ୍ମ ‘ସୈୟାରା’ରୁ ବଞ୍ଚିଗଲା, କିନ୍ତୁ ‘ଧଡ଼କ୍-୨’ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେବ ।

ଅନ୍ୟପକ୍ଷେ, ବଲିଉଡ୍ରେ ବେଶ କିଛି ବର୍ଷ ହେଲା ଭଲ ଲଭ୍ଷ୍ଟୋରୀ ଦେଖିବାକୁ ମିଳିନଥିଲା । ମୋହିତ ସୁରୀ ଦର୍ଶକଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ବକ୍ସ ଅଫିସ୍ରେ ‘ସୈୟାରା’ ସର୍ପ୍ରାଇଜ୍ ଓପନିଂ କରିଛି । ଏହା ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିବା ଆହାନ ପାଣ୍ଡେ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ନଜରରେ ଷ୍ଟାର୍ ଫିଗର୍ ପାଲଟିଛନ୍ତି । ଡେବ୍ୟୁ ଫିଲ୍ମରେ ଆହାନ ଏଭଳି ରେକର୍ଡ କରିଛନ୍ତି, ଯାହା ଗତ ୧୫ ବର୍ଷ ମଧ୍ୟରେ କୌଣସି ନବାଗତ ଅଭିନେତା କରିନଥିଲେ । ଗତ ୧୫ ବର୍ଷରେ ଆହାନ ନବାଗତ ଭାବେ ସବୁଠୁ ବଡ଼ ବକ୍ସ ଅଫିସ୍ ଓପ୍ନିଂ ଦେଇଛନ୍ତି । ଆହାନ ଓ ଅନୀତ ପଡ୍ଡାଙ୍କ କେମିଷ୍ଟ୍ରୀକୁ ଦର୍ଶକ ଓ ସମୀକ୍ଷକଙ୍କ ତରଫରୁ ଭଲ ପ୍ରତିକ୍ରିୟା ମିଳୁଛି । ଆଗକୁ ଫିଲ୍ମର ବ୍ୟବସାୟ ନୂଆ ରେକର୍ଡ କରିବ ବୋଲି ଆଶା କରାଯାଉଛି ।