ଅଳତୀ,୨୯/୫ : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ୨୦ନଂ ଜାତୀୟ ରାଜପଥ କଡ଼ରେ ଥିବା ସାଇଁକୂଳ ଫାଣ୍ଡି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ୧୯୬୯ମସିହାରେ ସାଇଁକୂଳଠାରେ ଏହି ଫାଣ୍ଡି ସ୍ଥାପନ କରାଯାଇଥିଲା। ଏହା ରାମଚନ୍ଦ୍ରପୁର ଥାନା ଅଧୀନରେ ଯାଏ । ପରିତାପର ବିଷୟ ଫାଣ୍ଡି ପ୍ରତିଷ୍ଠାକୁ ୫୬ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଫାଣ୍ଡିରେ ହାତଗଣତି କେତେ ଜଣ କର୍ମଚାରୀ ଥିବାବେଳେ ଜଣେ ମାତ୍ର ଏସ୍ଆଇ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଫାଣ୍ଡି ଗୃହଟି କାହିଁ କେଉଁ କାଳରୁ ନିର୍ମାଣ କରାଯାଇଥିଲେ ସୁଦ୍ଧା ମରାମତି ଅଭାବରୁ ଜରାଜୀର୍ଣ୍ଣ ହୋଇଗଲାଣି। ଫାଣ୍ଡି ପରିସରରେ କର୍ମଚାରୀଙ୍କ ରହିବା ପାଇଁ ଆବଶ୍ୟକ ସରକାରୀ ବାସଗୃହ ନ ଥିବାରୁ କର୍ମଚାରୀମାନେ ବାହାରେ ରହିବାକୁ ବାଧ୍ୟ ହେଉଛନ୍ତି।
୨ଏକରରୁ ଊର୍ଦ୍ଧ୍ବ ସାଇଁକୁଳ ଫାଣ୍ଡି ପରିସରର ପାଚେରି ନ ଥିବାରୁ ବୁଲା ଗୋରୁ ଗାଈ ଖୋଲା ମେଲାରେ ବିଚରଣ କରୁଛନ୍ତି। ବିଭିନ୍ନ ସମୟରେ ଦୁର୍ଘଟଣାରେ ଜବତ ଗାଡ଼ି ଗୁଡ଼ିକ ଫାଣ୍ଡି ପରିସରରେ ଖୋଲାମେଲାରେ ପଡ଼ି ରହୁଥିବାରୁ ଚୋରି ହେବାର ଆଶଙ୍କା ରହିଛି। ସାଇଁକୁଳ ଫାଣ୍ଡି ୭ଗୋଟି ପଞ୍ଚାୟତକୁ ନେଇ ସ୍ଥାପିତ ହୋଇଥିବାବେଳେ ପାଖାପାଖି ୩୦ରୁ ଊର୍ଦ୍ଧ୍ବ ଗାଁ ଏହି ଫାଣ୍ଡି ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଏକାଧିକ ଅଭିଯୋଗ ନେଇ ଅଭିଯୋଗକାରୀ ଆସୁଥିବା ବେଳେ ସୀମିତ ସଂଖ୍ୟକ କର୍ମଚାରୀ ଯୋଗୁଁ ବିଭିନ୍ନ ଘଟଣାକ୍ରମରେ ତତକ୍ଷଣାତ୍ ସେବା ଯୋଗାଇଦେବା ସମ୍ଭବପର ହୋଇପାରୁନାହିଁ । ସାଇଁକୁଳ ଅଞ୍ଚଳ ଘଷିପୁରା ନିର୍ବାଚନ ମଣ୍ଡଳୀର ଏକ ପ୍ରମୁଖ ବ୍ୟବସାୟର ପେଣ୍ଠସ୍ଥଳୀ ହେବା ସହ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବାରୁ ଫାଣ୍ଡିକୁ ତ୍ୱରାନ୍ୱିତ କରିବା ସହିତ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଏବଂ ଫାଣ୍ଡି ପରିସରର ଭିତ୍ତିଭୂମି ସଜାଡ଼ିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।