ହାଇଦ୍ରାବାଦ ୧୦/୧୧: ହତ୍ୟା ଧମକ ମଧ୍ୟରେ ହାଇଦ୍ରାବାଦରେ ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର୍‌’ର ସୁଟିଂ ଆରମ୍ଭ କରିଛନ୍ତି ଦବଙ୍ଗ ସଲମାନ ଖାନ୍‌ । ସେଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଇଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ତରଫରୁ ସଲ୍ଲୁଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି । ଏବେ ସେ ୪-ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ କାମ କରୁଛନ୍ତି । ତାଙ୍କ ସହିତ ସର୍ବଦା ୫୦-୭୦ ଜଣ ସୁରକ୍ଷାକର୍ମୀଙ୍କର ଟିମ୍‌ ରହୁଛନ୍ତି । ହାଇଦ୍ରାବାଦର ପ୍ରସିଦ୍ଧ ଫଲକନୁମା ପ୍ୟାଲେସ୍‌ ହୋଟେଲରେ ‘ସିକନ୍ଦର୍‌’ ସୁଟିଂ ଚାଲିଛି । 

ସଲ୍ଲୁଙ୍କ ସୁରକ୍ଷାରେ ଏନ୍‌ଏସ୍‌ଜି କମାଣ୍ଡୋ ଓ ପୁଲିସ କର୍ମୀ ମୁତୟନ ହୋଇଛନ୍ତି । ଏଥିରେ ତାଙ୍କର ନିଜସ୍ୱ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି, ଯିଏକି ଜଣେ ପୂର୍ବତନ ପାରାମିଲିଟ୍ରି ଯବାନ । ସଲ୍ଲୁଙ୍କ ବଡିଗାର୍ଡ ଶେରାଙ୍କ ଟିମ୍‌ ମଧ୍ୟ ତାଙ୍କ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ହାଇଦ୍ରାବାଦ ଓ ମୁମ୍ବାଇ ପୁଲିସ ତରଫରୁ ବି ସଲ୍ଲୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ମୋଟାମୋଟି କହିଲେ ସଲ୍ଲୁ ୨୪ ଘଣ୍ଟା ସୁରକ୍ଷାକର୍ମୀଙ୍କ ବଳୟ ଭିତରେ ରହୁଛନ୍ତି । ଏଆର ମୁରୁଗଡସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିକନ୍ଦର୍‌’ର ଟିମ୍‌ ସଲ୍ଲୁଙ୍କ ସୁରକ୍ଷା ସହ କୌଣସି ସାଲିସ କରିବାକୁ ଚାହୁଁନାହିଁ । ସେଥିପାଇଁ ହାଇଦ୍ରାବାଦରେ ସୁଟିଂ ସମୟରେ ତାଙ୍କ ସୁରକ୍ଷା ଲାଗି କଡ଼ା ପଦକ୍ଷେପ ନେଇଛି । 

ରିପୋର୍ଟ ଅନୁସାରେ, ସଲ୍ଲୁ ରହୁଥିବା ହୋଟେଲରେ ରୁମ୍‌ ବୁକ୍‌ କରିବା ପୂର୍ବରୁ ଅତିଥିଙ୍କୁ ବିଭିନ୍ନ ସ୍ତରୀୟ ଯାଞ୍ଚ୍‌ ଦେଇ ଯିବାକୁ ହେବ । ସୁଟିଂ ସମୟରେ ଫାଲକନୁମା ପ୍ୟାଲେସ୍‌ ହୋଟେଲକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଉଛି । ହୋଟେଲକୁ ଆସୁଥିବା ଅତିଥିଙ୍କର ହୋଟେଲ ଓ ସଲମାନଙ୍କ ସୁରକ୍ଷା ଟିମ୍‌ ପକ୍ଷରୁ ଯାଞ୍ଚ୍‌ କରାଯାଉଛି । ସଲମାନଙ୍କ ପାଇଁ ଫଲକନୁମା ପ୍ୟାଲେସ୍‌ ହୋଟେଲକୁ ଦୁର୍ଗରେ ରୂପାନ୍ତର କରାଯାଇଛି । ସୁଟିଂ ପାଇଁ ୩ଟି ଷ୍ଟାଣ୍ଡିଂ ସେଟ୍‌ ରହିଛି । କିନ୍ତୁ ମୁଖ୍ୟ ସେଟ୍‌ ହେଉଛି ପ୍ୟାଲେସ୍‌ ହୋଟେଲ । ଫିଲ୍ମରେ ସଲ୍ଲୁଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସିବେ । ତାଙ୍କ ସହ ଦୁଇଟି ଗୀତର ସୁଟିଂ ପାଇଁ ସଲ୍ଲୁ ହାଇଦ୍ରାବାଦରେ ଥିବା କୁହାଯାଉଛି । ଏଥିପାଇଁ ମାସକର ସୁଟିଂ ସିଡ୍ୟୁଲ୍‌ ପ୍ରସ୍ତୁତ ହୋଇଛି । ଏହା ପରେ ସଲ୍ଲୁ ନିଜର ଦବଙ୍ଗ୍‌ ରିଲୋଡେଡ୍‌ ଶୋ’ ପାଇଁ ଦୁବାଇ ଯିବେ । ‘ସିକନ୍ଦର୍‌’ରେ ସୁନୀଲ ଶେଟ୍ଟୀ, କାଜଲ ଅଗ୍ରୱାଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଆସନ୍ତା ବର୍ଷ ଇଦରେ ଫିଲ୍ମଟି ମୁକ୍ତିଲାଭ କରିବ ।