ପୁରୀ ,୦୭/୯ : ଇନ୍ଦ୍ର-ଗୋବିନ୍ଦ ପୂଜା ଭାଦ୍ରବ ମାସର ଗୋଟିଏ ବିଶେଷ ପର୍ବ। ଭାଦ୍ରବପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଏହି ପର୍ବ ପାଳିତ ହୋଇଥାଏ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନର ‘ଇନ୍ଦ୍ରଧ୍ୱଜ ପୂଜା’ ସହିତ ଏହାର ସଂପର୍କ ରହିଛି। ଏକଦା ଏହା ଭାରତବର୍ଷର ତଥା ଓଡ଼ିଶାର ଏକ ବଡ଼ ଉତ୍ସବ ଥିଲା । ପୌରାଣିକ ଆଖ୍ୟାନ ଅନୁସାରେ, ଦୈତ୍ୟ ଓ ଦାନବମାନଙ୍କ ଦ୍ୱାରା ସ୍ୱର୍ଗରାଜ୍ୟରୁ ବିତାଡ଼ିତ ହୋଇ ଦେବରାଜ ଇନ୍ଦ୍ର ଭଗବାନ ବିଷ୍ଣୁଙ୍କର ଶରଣ ପଶିଲେ। ବିଷ୍ଣୁ ତାଙ୍କୁ ଗୋଟିଏ ଧ୍ୱଜ ପ୍ରଦାନ କରି ଆଶ୍ୱାସନା ଦେଲେ ଯେ, ଏହି ଧ୍ୱଜ ଦୈତ୍ୟମାନଙ୍କୁ ଦମନ କରିବାରେ ତାଙ୍କର ସହାୟକ ହେବ ଏବଂ ସେ ଯୁଦ୍ଧରେ ହାରିବେ ନାହିଁ । ଯେଉଁ ରାଜା ଏହି ଧ୍ୱଜକୁ ପୂଜା କରିବେ, ତାଙ୍କର ରାଜ୍ୟ ଶସ୍ୟପୂର୍ଣ୍ଣ ହେବ ଏବଂ ପ୍ରଜା ବୃଦ୍ଧି ପାଇବେ। ପ୍ରଜାମାନେ ମଧ୍ୟ ନିରୋଗ ରହିବେ। ଏଣୁ ରାଜତନ୍ତ୍ର ଥିବା ସମୟରେ, ଏହି ‘ଇନ୍ଦ୍ରଧ୍ୱଜ ପୂଜା’ ମହା ଆଡ଼ମ୍ବରରେ ପାଳିତ ହେଉଥିଲା। ରାଜ୍ୟର ବିଘ୍ନ ଶାନ୍ତି ତଥା ପ୍ରଜାମାନଙ୍କର ମଙ୍ଗଳପାଇଁ ରାଜାମାନେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଧ୍ୱଜଦଣ୍ଡ ସ୍ଥାପନା କରୁଥିଲେ। କିନ୍ତୁ ରାଜତନ୍ତ୍ରର ବିଲୟ ସହିତ ଏହି ଉତ୍ସବ ଏବେ ମଉଳି ଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଏହି ‘ଇନ୍ଦ୍ରଧ୍ୱଜ ପୂଜା’ ହୋଇଥାଏ । କିନ୍ତୁ ଏହାର ଗୋଟିଏ ସ୍ୱତନ୍ତ୍ର ବିଧି ରହିଛି। ସେଦିନ ସନ୍ଧ୍ୟାଧୂପ ସରିବା ପରେ, ସ୍ନାନବେଦୀ ପାଖ ଚାହାଣିମଣ୍ଡପଠାରେ (ବଡ଼ଛତା ମଠ କୋଣରେ) କୋଠ ସୁଆଁସିଆ ସେବକ ସାତମେଘଙ୍କୁ ବାଉଁଶରେ ତିଆରି କରି ଗୋଟିଏ କାଠ ଗୟଳରେ ବାନ୍ଧନ୍ତି । ଏହି ସାତମେଘ ବନ୍ଧା ହେବାର ଗୋଟିଏ ପୌରାଣିକ ଭିତ୍ତି ରହିଛି । ପୁରାଣରେ ସମ୍ବର୍ତ୍ତକ, ଆବର୍ତ୍ତକ, ପୁଷ୍କର ଓ ଦ୍ରୋଣ ନାମରେ ଚାରିମେଘଙ୍କର ବର୍ଣ୍ଣନା ରହିଛି। କିନ୍ତୁ ଗୋପପୁରରେ ଇନ୍ଦ୍ର ସାତଦିନ ବର୍ଷା କରିଥିଲେ । ‘ଭାଗବତ’ରେ ଏ ସଂପର୍କରେ କୁହାଯାଇଛି, “ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା। ସପତ ଦିନ ବରଷିଲା।” ତେଣୁ ଏଠାରେ ମେଘଙ୍କର ସଂଖ୍ୟା ସାତ ହୋଇଛି । ଏହି ସାତମେଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସେଠାରେ ବନ୍ଧା ହୋଇ ରହନ୍ତି। ପୂର୍ଣ୍ଣିମା ଦିନ ହୁଏ ‘ଇନ୍ଦ୍ର-ଗୋବିନ୍ଦ ବନ୍ଦାପନା’। ସେଦିନ ହରଚଣ୍ଡୀ ସାହି ଆଖଡ଼ା ଅନ୍ତର୍ଗତ ବାସେଳୀ ସାହିରୁ ‘ଇନ୍ଦ୍ରହାତୀ’ (ଐରାବତ ପ୍ରତିମା) ଆସେ । ହାତୀ ପିଠିରେ ଇନ୍ଦ୍ର (ବେଶଧାରୀ) ଆସନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଇନ୍ଦ୍ର-ଗୋବିନ୍ଦ ବନ୍ଦାପନା ନୀତି ହୋଇଥାଏ।

ଇନ୍ଦୁ ପୂର୍ଣ୍ଣିମା ଦିନ ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁଙ୍କୁ ଖଣ୍ଡିଏ ମାଳ ଲାଗିଥାଏ। ଦକ୍ଷିଣୀ ଘର ଭୋଗ ସରିବା ପରେ ଛାମୁ ଦିହୁଡ଼ି ସହ ଦୋଳଗୋବିନ୍ଦଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ଭିତର ସିଂହାସନ ଉପରେ ରଖିଥାନ୍ତି । ଏହାପରେ ପୂଜାପଣ୍ଡା ଦୋଳଗୋବିନ୍ଦଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ତତ୍ପରେ ମହାଜନ ସେବକ ଦୋଳଗୋବିନ୍ଦଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାନ୍ତି । ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କିଟିକୁ ଘଣ୍ଟ, ଛତ୍ର, କାହାଳୀ ସହ ବଡ଼ ଛତା ମଠ ନିକଟରେ ଥିବା ଟିକିରା ଗୋହିରୀ ନିକଟକୁ ନେଇଥାନ୍ତି । ଏହାପରେ ବାସେଲି ସାହିରୁ ଇନ୍ଦ୍ର ହାତୀ ଆସିଥାଏ। ଶୀତଳ ଭୋଗ ହେବା ପରେ ଭିତରଚ୍ଛ ମହାପାତ୍ର ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦଙ୍କୁ ବନ୍ଦାପନା କରିଥାନ୍ତି । ବନ୍ଦାପନା ପରେ ଦିଅଁ ଦେଉଳକୁ ବାହୁଡା ବିଜେ କରିଥାନ୍ତି।

ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଇନ୍ଦ୍ରପୂଜା ବନ୍ଦ କରିବାରୁ ଇନ୍ଦ୍ର ସାତ ଦିନ ଧରି ବର୍ଷା କରିଥିଲେ । କିନ୍ତୁ ଶ୍ରୀକୃଷ୍ଣ ମନ୍ଦର ପର୍ବତ ଟେକି ଧରିବାରୁ ଗୋପପୁରର କୌଣସି କ୍ଷତି ହୋଇ ନଥିଲା। ଇନ୍ଦ୍ରଙ୍କର ଗର୍ବଚୂର୍ଣ୍ଣ ହେଲା। ସେ କୃଷ୍ଣଙ୍କୁ ‘ଗୋବିନ୍ଦ’ ରୂପେ ସ୍ୱୀକାର କରିଥିଲେ। ମନେହୁଏ, ଶ୍ରୀମନ୍ଦିରର ‘ଇନ୍ଦ୍ର-ଗୋବିନ୍ଦ ବନ୍ଦାପନା’ ନୀତିରେ ସେହି ସମନ୍ୱୟୀ ସଂସ୍କୃତିର ପ୍ରତିଫଳନ ଘଟିଛି।