ନୂଆଦିଲ୍ଲୀ,୧୧/୦୪: ପ୍ୟାକେଜ ଫୁଡ୍‌  ବା ବନ୍ଦ କରାଯାଇ ବିକ୍ରି କରାଯାଉଥିବା ଖାଦ୍ୟ ପଦାର୍ଥକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି । ଡବାବନ୍ଦ ଖାଦ୍ୟ ବା ପ୍ୟାକ୍‌ଡ ଫୁଡ୍‌ ଉପରେ ଲେବଲ ଲଗାଇବା ଲାଗି ୩  ମାସ ମଧ୍ୟରେ ନୀତି ଆଣିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ପ୍ୟାକ୍‌ଡ ଫୁଡ୍‌ର ଆଗରେ ସ୍ପଷ୍ଟ  ଭାବେ ଚେତାବନୀ ଦିଆଯାଉ ଏବଂ ସେଥିରେ  କେତେ ସୁଗାର (ଚିନି), ଲୁଣ ଏବଂ ହାନିକାରକ  ଫ୍ୟାଟ୍‌ ରହିଛି ତାହା ଲେଖାଯିବାକୁ ବାଧ୍ୟତାମୂଳକ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ  ହୋଇଥିଲା । ଏହାର ଶୁଣାଣି କରି ସର୍ବୋଚ୍ଚ  ଅଦାଲତ ଏହି ଆଦେଶ ଶୁଣାଇଛନ୍ତି । 

କେନ୍ଦ୍ର ସରକାର ୨୦୨୦ର ଏଫ୍‌ଏସ୍‌ଏସ୍‌  ଲେବଲିଂ ଏବଂ ଡିସ୍‌ପ୍ଲେ ରେଗୁଲେସନରେ  ସଂଶୋଧନ କରିବା ଉପରେ ୩ ମାସ ମଧ୍ୟରେ  ନିଷ୍ପତ୍ତି ନିଅନ୍ତୁ । ଏଥିସହ ଏଫ୍‌ଏସ୍‌ଏସ୍‌ଏଆଇକୁ  ମଧ୍ୟ ନିୟମ ସଂଶୋଧନ କାର୍ଯ୍ୟ ୩ ମାସ ଭିତରେ  କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ୍‌ ଜେ.ବି  ପାରଦିୱାଲା ପିଟିସନକାରୀଙ୍କୁ ମଜାଳିଆ ଢଙ୍ଗରେ  ପଚାରିଥିଲେ ଯେ ଆପଣମାନଙ୍କର ନାତି- ନାତୁଣୀ ଅଛନ୍ତି କି? ପିଟିସନ ଉପରେ ଆଦେଶ  ଆସିବାକୁ ଦିଅନ୍ତୁ । ଆପଣଙ୍କୁ ଜଣାପଡ଼ିଯିବ  କୁର୍‌କୁରେ, ମ୍ୟାଗିରେ କ’ଣ କ’ଣ ଅଛି ଏବଂ  ଏହାର ପ୍ୟାକିଂ ରାପର କିପରି ହେବା ଉଚିତ ।  ପ୍ୟାକେଟ୍‌ରେ କିଛି ତଥ୍ୟ ନ ଥାଏ । 

ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ  କୁହାଯାଇଥିଲା ଯେ, ଏହି ପ୍ରସଙ୍ଗରେ ୧୪ ହଜାରରୁ ଅଧିକ ପରାମର୍ଶ ଏବଂ ରିପୋର୍ଟ ଆସିସାରିଛି । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହି ପ୍ରସ୍ତାବ,ପରାମର୍ଶ ଉପରେ କମିଟି ରିପୋର୍ଟ ପ୍ରସ୍ତୁତ କରିବ । ସୁପ୍ରିମକୋର୍ଟ  କହିଥିଲେ, କମିଟି ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରୁ ।  ଏହା ଆଧାରରେ ଏଫ୍‌ଏସ୍‌ଏସ୍‌ଏଆଇ ଲେବଲିଂ  ନିୟମରେ ସଂଶୋଧନ କରାଯାଇପାରିବ । 

୨୦୨୪  ଜୁନ୍‌ରେ ଏଫ୍‌ଏସ୍‌ଏସ୍‌ଏଆଇ ପ୍ୟାକେଟ ଖାଦ୍ୟ  ପଦାର୍ଥର ଲେବଲରେ ବଡ଼ ଏବଂ ସ୍ପଷ୍ଟ ଭାବେ ମୋଟ  ଚିନି, ଲୁଣ ମାତ୍ରା ସମେତ ଟ୍ରାନ୍ସଫ୍ୟାଟ୍‌ ଓ ଅନ୍ୟ  ହାନିକାରକ ପଦାର୍ଥ ବାବଦରେ ଲେଖାଯିବା ଲାଗି  ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା । ଇଣ୍ଡିଆନ୍‌ କାଉନ୍‌ସିଲ  ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏ  ନେଇ ପୂର୍ବରୁ ଚେତାଇଥିଲା । ଆଇସିଏମ୍‌ଆର୍‌  ପକ୍ଷରୁ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ନ୍ୟୁଟ୍ରିସନ(ଏନ୍‌ଆଇଏନ୍‌) ଭାରତୀୟଙ୍କ  ପାଇଁ ଡାଏଟାରୀ ଗାଇଡଲାଇନ ଜାରି କରିଥିଲା ।  ଏନ୍‌ଆଇଏନ୍‌ କହିଥିଲା, ଏଫ୍‌ଏସ୍‌ଏସ୍‌ଏଆଇର  କଡ଼ା ମାନଦଣ୍ଡ ରହିଛି । କିନ୍ତୁ ଲେବଲ ଉପରେ  ଦିଆଯାଇଥିବା ତଥ୍ୟ ଭ୍ରାମକ ହୋଇପାରେ।

ଆମେରିକାର ନ୍ୟୁୟର୍କ ସିଟିରେ ହେଲିକପ୍ଟର କ୍ରାସ୍, ଚାଲିଗଲା ୬ ଜଣଙ୍କ ଜୀବନ