ଭୁବନେଶ୍ୱର,୨୬/୦୫: ଏଣିକି  ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟର  ୱେବ୍‌ସାଇଟ୍‌କୁ ଠିକ୍‌ ଭାବେ ପରିଚାଳନା  କରାଯିବ । ପ୍ରତିଟି ସୂଚନା ରହିବ ।  ଏପରିକି ପବ୍ଲିକ୍‌ ସେଲ୍ଫ ଡିସ୍‌କ୍ଲୋଜର ବାଧ୍ୟତାମୂଳକ ହେବ । ଏପରି ନିର୍ଦ୍ଦେଶ ଦେଇଛି ବିଶ୍ୱବିଦ୍ୟାଳୟ ଅନୁଦାନ  ଆୟୋଗ (ୟୁଜିସି)। 

ୟୁଜିସି ପକ୍ଷରୁ କୁହାଯାଇଛି ଯେ,  ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ  ସମସ୍ତ ବିଷୟକୁ ସ୍ୱଚ୍ଛତାର ସହ କରାଯିବ ।  ଏହି ଆଧାରରେ ୱେବ୍‌ସାଇଟ୍‌ରେ ସମସ୍ତ  ଜରୁରି ସୂଚନା ରହିବ । ସବୁର ଲିଙ୍କ୍‌  ରଖାଯିବ । ଶିକ୍ଷାନୁଷ୍ଠାନ ବିଷୟରେ  ସଂପୂର୍ଣ୍ଣ ତଥ୍ୟ ରହିବ । ବିଶ୍ୱବିଦ୍ୟାଳୟ ଆଇନ ଓ ନିୟମ ସଂପର୍କରେ ଉଲ୍ଲେଖ  କରାଯିବ । ବିଶ୍ୱବିଦ୍ୟାଳୟ ଅଧୀନରେ  ଥିବା ସମସ୍ତ କଲେଜ, ଦୂରନିରନ୍ତର  ପାଠ୍ୟକ୍ରମ ସଂପର୍କରେ ଉଲ୍ଲେଖ କରାଯିବ । ନାକ୍‌, ଏନ୍‌ଆଇଆର୍‌ଏଫ୍‌ ର‌୍ୟାଙ୍କିଂ, ଅନୁବନ୍ଧନ ଏବଂ ବାର୍ଷିକ ରିପୋର୍ଟ  ମଧ୍ୟ ୱେବ୍‌ସାଇଟ୍‌ରେ ସ୍ଥାନ ପାଇବ । ବିଶ୍ୱବିଦ୍ୟାଳୟ, କଲେଜକୁ ମିଳିଥିବା  ଅନୁମତି, ଅନୁମୋଦନ ସଂପର୍କିତ ତଥ୍ୟ  ରହିବ । ଏପରିକି ସ୍ୱଚ୍ଛତା ଆଣିବା ପାଇଁ  ବାର୍ଷିକ ଆକାଉଣ୍ଟ ରିପୋର୍ଟ, ବାଲାନ୍ସ  ସିଟ୍‌, ଆୟ ବ୍ୟୟ ଖର୍ଚ୍ଚ ଉପସ୍ଥାପନ  କରାଯିବା ସହ ଅଡିଟ୍‌ ରିପୋର୍ଟ ରଖିବା  ବାଧ୍ୟତାମୂଳକ ହେବ ।  

ସେହିପରି କୁଳାଧିପତି, କୁଳପତି,  ଉପକୁଳପତି, କୁଳସଚିବ, ଅଧ୍ୟକ୍ଷ,  ପରୀକ୍ଷା ନିୟନ୍ତ୍ରକ, ପିଜି କାଉନ୍‌ସିଲ  ଅଧ୍ୟକ୍ଷ, ମୁଖ୍ୟ ଭିଜିଲାନ୍ସ ଅଫିସରଙ୍କଠୁ  ଆରମ୍ଭ କରି ସମସ୍ତ ଏକାଡେମିକ୍‌  ଲିଡରସିପ୍‌ଙ୍କ ଫଟୋ ସହ ସେମାନଙ୍କ  ବିଷୟରେ ଉଲ୍ଲେଖ କରାଯିବ ।  ଏକାଡେମିକ୍‌ କ୍ୟାଲେଣ୍ଡର, କୋର୍ସ,  ବିଭାଗ, ସ୍କୁଲ, ଲାଇବ୍ରେରୀ ଆଦି ବିଷୟ  ସ୍ଥାନ ପାଇବ । ନାମଲେଖା ଫି, ଫି ଫେରସ୍ତ  ନିୟମ ଆଦି ସଂପର୍କରେ ଉଲ୍ଲେଖ ହେବ । ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଲ୍‌,  ଇକ୍ୟୁବେସନ୍‌ ସେଣ୍ଟର, କେନ୍ଦ୍ରୀୟ ସୁବିଧା  କେନ୍ଦ୍ର ରଖାଯିବ । ଖେଳ ସୁବିଧା, ଏନ୍‌ସିସି,  ଏନ୍‌ଏସ୍‌ଏସ୍‌, ଛାତ୍ରାବାସ, ପ୍ଲେସ୍‌ମେଣ୍ଟ  ସେଲ୍‌, ସ୍ୱାସ୍ଥ୍ୟ ସୁବିଧା, ଆଣ୍ଟି ର‌୍ୟାଗିଂ ସେଲ୍‌,  ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ସମାନତା  ସୁବିଧା ସେଲ୍‌, ସୋସିଓ-ଇକୋନୋମିକ୍‌  ସେଲ, ଭିନ୍ନକ୍ଷମ ପାଇଁ ସୁବିଧା ସୁଯୋଗ  ଆଦି ସଂପର୍କରେ ଉଲ୍ଲେଖ ରହିବ । ଆରଟିଆଇ, ନ୍ୟୁଜ୍‌ ଲେଟର, ନିଯୁକ୍ତି,  ନୋଟିସ୍‌, ନାମଲେଖା ପ୍ରକ୍ରିୟା, ଏଥିସହ  ସମସ୍ତ ଯୋଗାଯୋଗ ନମ୍ବର ରହିବ ।