ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜର ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଭୂସ୍ବର୍ଗ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଲୋକଙ୍କ ମନରେ ଆକ୍ରୋଶ ବୃଦ୍ଧି ପାଇଛି । ତେବେ ମୃତକଙ୍କ ମଧ୍ୟରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ବିନୟ ନରଓ୍ବାଲ ମଧ୍ୟ ରହିଛନ୍ତି । ବିବାହ ପରେ ପତ୍ନୀଙ୍କ ସହିତ କାଶ୍ମୀର ବୁଲିବା ପାଇଁ ଯାଇଥିଲେ ବିନୟ । କିନ୍ତୁ ପତ୍ନୀଙ୍କ ସାମ୍ନାରେ ତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ସେହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ବିନୟଙ୍କ ମୃତଦେହ ପାଖରେ ତାଙ୍କ ପତ୍ନୀ ବସିଥିଲେ । 

ଏହା ପରେ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ଏବଂ ଏହି ଭିଡିଓ ବିନୟଙ୍କର ବୋଲି ଦାବି ହୋଇଥିଲା । କିନ୍ତୁ ଏହି ଭିଡିଓ ବିନୟ ଏବଂ ତାଙ୍କ ପତ୍ନୀଙ୍କର ନୁହେଁ । ପ୍ରକୃତରେ ଏହି ଭିଡିଓ ଯେଉଁ ଦମ୍ପତିଙ୍କର ସେମାନେ ଏବେ ସୋସିଆଲ ମିଡିଆରେ ଲୋକଙ୍କୁ ଅପିଲ୍‌ କରି ଏହାକୁ ଭାଇରାଲ୍‌ ନକରିବା ପାଇଁ କହିଛନ୍ତି  । ସେମାନେ କହିଛନ୍ତି, ଭିଡିଓ ଭାଇରାଲ୍‌ କରିବା ବନ୍ଦ କରନ୍ତୁ, ଆମେ ଏବେ ବି ବଞ୍ଚିଛୁ ।  




ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ୧୯ ସେକେଣ୍ଡର ଭିଡିଓ କ୍ଲିପରେ କାଶ୍ମୀର ଉପତ୍ୟକାରେ ଏକ ଦମ୍ପତି ହସୁଛନ୍ତି ଏବଂ ଖେଳୁଛନ୍ତି। ଲୋକମାନେ ଏହାକୁ ବହୁଳ ଭାବରେ ସେୟାର କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ, ଏହା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଲେଫ୍ଟନାଣ୍ଟ ବିନୟ ନରୱାଲ ଏବଂ ତାଙ୍କ ପତ୍ନୀ ହିମାଂଶୀଙ୍କର ଶେଷ ଭିଡିଓ । ଭିଡିଓରେ ଦେଖାଯାଉଥିବା ଦମ୍ପତି ହେଉଛନ୍ତି ୟାଶିକା ଶର୍ମା ଏବଂ ତାଙ୍କ ସ୍ୱାମୀ ଆଶିଷ ସେହରାୱତ । ୟାଶିକା ପେଶାରେ ଜଣେ କ୍ୟାବିନ କ୍ରୁ ଏବଂ ଜଣେ ଲାଇଫଷ୍ଟାଇଲ୍ ବ୍ଲଗର । ତାଙ୍କ ସ୍ବାମୀ ଆଶିଷ ଜଣେ କ୍ରିକେଟର ଏବଂ ଭାରତୀୟ ରେଳବାଇ ରଣଜୀ ଟ୍ରଫି ଖେଳାଳି । ସେ ନିଜେ ଆଗକୁ ଆସି ଏହି ଭାଇରାଲ ଭିଡିଓର ସମ୍ପୂର୍ଣ୍ଣ ସତ୍ୟ କହିଛନ୍ତି । 




ସେମାନେ କହିଛନ୍ତି, ‘ଆମେ ଏବେ ବି ଜୀବିତ ଅଛୁ, ତୁମେ 'RIP' ଲେଖି ଜୀବିତ ଦମ୍ପତିଙ୍କ ନାମ ଭାଇରାଲ କରୁଛ । ମୁଁ ଜାଣିନାହିଁ କିପରି ଏବଂ କିଏ ଏହାକୁ ଭାଇରାଲ କଲା । କିନ୍ତୁ ଏଥିପାଇଁ ମୁଁ ଏବଂ ମୋ ପରିବାର ବହୁତ ଦୁଃଖିତ। ଆମେ ତାଙ୍କ (ବିନୟ) ପରିବାର ପ୍ରତି ସହାନୁଭୂତି ପ୍ରକାଶ କରୁଛୁ, କିନ୍ତୁ ଆମ ଭିଡିଓ ଭାଇରାଲ୍‌ କରନ୍ତୁ ନାହିଁ ।’ ହରିୟାଣାର କର୍ଣ୍ଣାଲର ବାସିନ୍ଦା ବିନୟ ୧୬ ଏପ୍ରିଲରେ ବିବାହ ପରେ ହନିମୁନ୍ ପାଇଁ ପହଲଗାମ ଯାଇଥିଲେ। ଆତଙ୍କବାଦୀ ଆକ୍ରମଣ ପରେ ଭାଇରାଲ ହୋଇଥିବା ଏକ ଫଟୋରେ ତାଙ୍କ ପତ୍ନୀ ହିମାଂଶୀ ତାଙ୍କ ମୃତଦେହ ପାଖରେ ବସିଥିବାର ଦେଖାଯାଇଥିଲା । ଏହି ଫଟୋ ଦେଖିବା ପରେ ଲୋକେ ମର୍ମାହତ ହୋଇ ପଡ଼ିଥିଲେ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।