ଫିରିଙ୍ଗିଆ, ୨୬l୧୧ : ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଯାତାୟାତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ଜନ ପ୍ରତିନିଧି ନିକଟକୁ ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି। ଗ୍ରାମବାସୀ ନିଜ ଭିତରେ ଅର୍ଥ ଆଦାୟ କରିବା ସହ ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିଛନ୍ତି। ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତର ୭ ନମ୍ବର ୱାର୍ଡ ପୁରେଇପଦର ଗାଁରେ ଏହା ଦେଖିବାକୁ ମିଳିଛି।
ଫିରିଙ୍ଗିଆ ବ୍ଲକରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଉପାନ୍ତ ଅଞ୍ଚଳବାସୀ ବିଭିନ୍ନ ସମସ୍ୟା ଅତିବାହିତ କରୁଛନ୍ତି l କେଉଁଠି ରାସ୍ତା ଘାଟ ନାହିଁ ତ ପାନୀୟ ଜଳ ହେଉ କି ଶିକ୍ଷା ବ୍ୟବସ୍ଥା ସମସ୍ୟା। ଆଜି ପର୍ଯ୍ୟନ୍ତ ସରକାରଙ୍କ ସୁବିଧା ଯେମିତି ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ l ଏମିତି ଏକ ଗାଁ ହେଉଛି ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତର ୭ ନମ୍ବର ୱାର୍ଡ ପୁରେଇପଦର । ଏହି ଗାଁରେ ଆଜି ପର୍ଯ୍ୟନ୍ତ ଗମନାଗମନ ପାଇଁ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ପାରି ନାହିଁ । ଯାହାଦ୍ୱାରା ପୁରେଇ ପଦର ଗ୍ରାମବାସୀ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ରାସ୍ତା ସମସ୍ୟା ନେଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏମିତି କି ବ୍ଲକ କାର୍ଯ୍ୟାଳୟ ସହ କନ୍ଧମାଳ ପୂର୍ବତନ ସାଂସଦ ଓ ରାଜ ନେତାଙ୍କ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗ୍ରାମକୁ ରାସ୍ତା ଟିଏ ମଧ୍ୟ ନିର୍ମାଣ ହୋଇ ପାରି ନାହିଁ l ସମସ୍ତେ କେବଳ ପ୍ରତିଶ୍ରୁତି ଦେଇଛନ୍ତି । ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ବର୍ଷ ବର୍ଷ ଧରି ରାସ୍ତା ହେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଶେଷରେ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ପୁରେଇ ପଦର ଗାଁର ୧୨ ରୁ ଉର୍ଦ୍ଧ ପରିବାରର ସମସ୍ତ ମହିଳା, ପୁରୁଷ ମିଶି କୋଡ଼ି କୋଦାଳ ଓ ଟ୍ରାକ୍ଟର ଲଗାଇ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିଛନ୍ତି l
ଏହି ଘଟଣାକୁ ନେଇଁ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କୁ ପଚାରିବାରୁ ଏ ସମ୍ପର୍କରେ ଅବଗତ ନଥିବା ଏବଂ ଅନୁଧ୍ୟାନ କରି ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି l ତେବେ ସ୍ଥାନୀୟ ଗୋଚ୍ଛାପଡା ସରପଞ୍ଚ ଯୁଗାନ୍ତ କହଁରଙ୍କୁ ପଚାରିବାରୁ ଏମଜିଏନଆରଇଜିଏସରେ ଏହି ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ନିର୍ମାଣ ହେଉ ନାହିଁ ଏବଂ କେବେ ରାସ୍ତା ନିର୍ମାଣ ହେବ ତାହାକୁ ନେଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l