ନୂଆଦିଲ୍ଲୀ ୨୮/୦୨: ଇଂଲଣ୍ଡର ଏକ ରେସ୍ତୋରାଁରେ ଅଜବ ଚୋରିର ମାମଲା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଜଣେ ମହିଳା ସେହି ରେସ୍ତୋରାଁ ମଧ୍ୟକୁ ଆସିଥିଲେ । କିଛି ସମୟ ପରେ ରେଷ୍ଟରୁମ୍‌ ବା ଶୌଚାଳୟ ବ୍ୟବହାର କରିବା ବାହାନାରେ ଭିତରେ ପଶି ଏକ ଡିଜାଇନର ସିଙ୍କ୍‌ ଚୋରି କରି ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ୍‌ରୁ ରେସ୍ତୋରାଁ ମାଲିକ ତାଙ୍କର ଏହି କାରନାମା ସଂପର୍କରେ ଜାଣିବାକୁ ପାଇଥିଲେ । ୭୨ ବର୍ଷୀୟ ରବର୍ଟ ମେଲମାନ୍‌ ଆର୍ଜେଣ୍ଟିନାରୁ ଇଂଲଣ୍ଡ ଆସିବା ପରେ ହୋଟେଲ ବ୍ୟବସାୟ ସହିତ ଜଡ଼ିତ ହୋଇଯାଇଥିଲେ । ଗ୍ରେଟର ମାଞ୍ଚେଷ୍ଟରରେ ଥିବା ତାଙ୍କର ଏକ ରେସ୍ତୋରାଁର ସଫେଇ କର୍ମଚାରୀ ନିକଟରେ ତାଙ୍କୁ ଏକ ଫଟୋ ପଠାଇଥିଲେ । ତାହା ଦେଖି ଚକିତ ହୋଇଯାଇଥିଲେ ରବର୍ଟ । 

ଫେବ୍ରୁଆରୀ ୨୦ ତାରିଖର ସେହି ଫଟୋରେ ତାଙ୍କ ରେସ୍ତୋରାଁର ଶୌଚାଳୟରୁ ଏକ ସିଙ୍କ୍‌ ଚୋରି ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଭାରତୀୟ ମୁଦ୍ରାରେ ସେହି ସିଙ୍କ୍‌ର ଦାମ୍‌ ଥିଲା ପ୍ରାୟ ୧୬ ହଜାର ଟଙ୍କା । ଏହାପରେ ତୁରନ୍ତ ସିସିଟିଭି ଫୁଟେଜ୍‌ର ଯାଞ୍ଚ କରିଥିଲେ ସେ । ସେଥିରେ ଜଣେ ମହିଳା ଏକ ବଡ଼ କଳା ରଙ୍ଗର ବ୍ୟାଗ୍‌ ସହିତ ଶୌଚାଳୟ ମଧ୍ୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ସେତେବେଳେ ବ୍ୟାଗ୍‌ଟି ଖାଲି ଲାଗୁଥିଲା । ପ୍ରାୟ ୧୦ ମିନିଟ୍‌ ପରର ଫୁଟେଜ୍‌ରେ ମହିଳା ସେହି ବ୍ୟାଗ୍‌କୁ ଧରି ବାହାରୁଥିବାର ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ଥିଲା ସେତେବେଳେ ବ୍ୟାଗ୍‌ଟି କିଛି ଓଜନିଆ ଜିନିଷରେ ପୂର୍ଣ୍ଣ ଥିବା ଭଳି ଲାଗୁଥିଲା । 

ରବର୍ଟ କହିଛନ୍ତି, ହୋଟେଲ ଶିଳ୍ପ ସହ ଜଡି଼ତ ହେବାର ୨୫ ବର୍ଷ ମଧ୍ୟରେ ସେ ଅନେକ କିଛି ଅଭିଜ୍ଞତା ହାସଲ କରିଛନ୍ତି । ଲୋକେ ରେସ୍ତୋରାଁରୁ ଛୁରୀ, କଣ୍ଟାଚାମଚ, ଗ୍ଲାସ୍‌, ପ୍ଲେଟ୍‌ ପ୍ରଭୃତି ସାମଗ୍ରୀକୁ ଲୁଚାଇ ନେଇ ଯିବାର ସେ ଦେଖିଛନ୍ତି । ଏପରିକି ତାଙ୍କର ଅନ୍ୟ ରେସ୍ତୋରାଁଗୁଡି଼କରୁ କିଛି ଲୋକେ ମଦ ବି ଚୋରି କରୁଥିବା ତାଙ୍କ ନଜରରେ ପଡ଼ିଛି । ତେବେ ସିଙ୍କ୍‌ ଚୋରି ହେବାର ଏହା ପ୍ରଥମ ଘଟଣା । ଭଲ ହେଲା ମହିଳାଜଣଙ୍କୁ ଶୌଚାଳୟ ବ୍ୟବହାର କରିବାର ଆବଶ୍ୟକତା ପଡି଼ନଥିଲା । ନହେଲେ ସେ ଶୌଚାଳୟର ପ୍ୟାନ୍‌ ଚୋରି କରି ନେଇଥାନ୍ତେ । ସେହିପରି ମହିଳାଜଣକ ରେସ୍ତୋରାଁରୁ ବାହାରିବା ପରେ କିଛି ସମୟ ଖାଦ୍ୟ ପରଷାଯାଉଥିବା ସ୍ଥାନ ନିକଟରେ ଅଟକିଥିଲେ । କିନ୍ତୁ ସେ କିଛି ଖାଇନଥିଲେ । ବୋଧହୁଏ କିଛି ଖାଦ୍ୟ ଚୋରି କରି ନେବାକୁ ତାଙ୍କର ଆଇଡିଆ ଥିଲା ବୋଲି ରବର୍ଟ କହିଛନ୍ତି ।