ମୁମ୍ବାଇ ୨୪/୧୧: ଆମେରିକୀୟ ଗବେଷକମାନେ ସିରିଆର ଏକ ସମାଧି ସ୍ଥଳରୁ ସର୍ବପ୍ରାଚୀନ ବର୍ଣ୍ଣମାଳା ଠାବ କରିଛନ୍ତି । ପଶ୍ଚିମ ସିରିଆର ପ୍ରାଚୀନ ସହରୀ କେନ୍ଦ୍ରରେ ସ୍ଥିତ ସମାଧିସ୍ଥଳ ଟେଲ ଉମ୍-ଏଲ୍ ମର୍ରାରେ ଖନନ ସମୟରେ ସେମାନେ କିଛି ମାଟି ସିଲିଣ୍ଡର ଆବିଷ୍କାର କରିଥିଲେ । ଏଥିରେ ଅକ୍ଷର ଖୋଦେଇ ହୋଇଛି । ଏହାକୁ ବିଶ୍ୱର ସର୍ବପ୍ରାଚୀନ ବର୍ଣ୍ଣମାଳା ଲିଖନ ଅର୍ଥାତ୍ ଆଲ୍ଫାବେଟ୍ ରାଇଟିଙ୍ଗ୍ କୁହାଯାଉଛି ।
କାର୍ବନ୍-୧୪ ଡେଟିଂ କୌଶଳ ଜରିଆରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି, ଏହି ସିଲିଣ୍ଡର ହାରାହାରି ଖ୍ରୀଷ୍ଟପୂର୍ବ ୨୪୦୦ରେ ପ୍ରସ୍ତୁତ ହୋଇଥିଲା । କୌଣସି ଅନ୍ୟ ସମସ୍ତ ପରିଚିତ ବର୍ଣ୍ଣମାଳା ଲିପିଠୁ ଏହା ହାରାହାରି ୫୦୦ ବର୍ଷ ପୁରୁଣା । ବର୍ଣ୍ଣମାଳା ସହିତ ଗବେଷକମାନେ ପ୍ରାରମ୍ଭିକ କାଂସ୍ୟ ଯୁଗର ସମାଧି ସ୍ଥଳ ଆବିଷ୍କାର କରିଛନ୍ତି । ଏଥିରେ ଅତ୍ୟନ୍ତ ଉତ୍ତମ ରୂପେ ସଂରକ୍ଷିତ ଏକ କବର ଠାବ କରାଯାଇଛି । ସମାଧିସ୍ଥଳରେ ଶବଗୁଡ଼ିକ ସହିତ ସୁନା-ରୁପାର ଆଭୂଷଣ, ରୋଷେଇ ପାତ୍ର, ଏକ ତେଣ୍ଟା ଓ ମାଟି ପାତ୍ର ଥିଲା । ମାଟି ପାତ୍ର ପାଖରେ ଚାରିଟି ମାଟିର ସିଲିଣ୍ଡର ଥିଲା । ତା’ଉପରେ ବର୍ଣ୍ଣମାଳା ଖୋଦେଇ ହୋଇଥିଲା । ୨୦୦୪ ମସିହାରେ ଏହି ଆବିଷ୍କାର ହୋଇଥିଲା । ୨୦୨୧ ମସିହାରେ ଏକ ଅଧ୍ୟୟନରେ ଏହା ବିଷୟରେ କୁହାଯାଇଥିଲା । କିନ୍ତୁ ଜଣେ ଗବେଷକ ଆମେରିକାନ୍ ସୋସାଇଟି ଅଫ୍ ଓଭରସିଜ୍ ରିସର୍ଚ୍ଚର ବୈଠକରେ ଏହାର ଅଧ୍ୟୟନର ଫଳ ଉପସ୍ଥାପନ କରିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ହୋଇଛି ।

ଅଧ୍ୟୟନ କରିଥିବା ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ଗ୍ଲେନ୍ ସ୍କ୍ୱାର୍ଟଜ୍ କହିଛନ୍ତି, ସଦ୍ୟ ଅଧ୍ୟୟନ ଦର୍ଶାଉଛି ଯେ ଲୋକେ ନୂଆ ସଂଚାର କୌଶଳ ଜରିଆରେ ବହୁ ପୂର୍ବରୁ ଏବଂ ଏକ ଭିନ୍ନ ସ୍ଥାନରେ ପ୍ରୟୋଗ କରୁଥିଲେ । ଏ ବିଷୟରେ ଆମେ କଦାପି କଳ୍ପନା କରିନଥିଲୁ । ବର୍ଣ୍ଣମାଳାର ଅସ୍ତିତ୍ୱ ପୂର୍ବରୁ ମାନବ ସଭ୍ୟତା ଯୋଗାଯୋଗ ଲାଗି ଅଲଗା ଅଲଗା ସାଧନର ଉପଯୋଗ କରୁଥିଲା । ପୂର୍ବରୁ ବୈଜ୍ଞାନିକଙ୍କ ଧାରଣା ଥିଲା, ଖ୍ରୀ:ପୂ ୧୯୦୦ ପରେ ମିଶର କିମ୍ବା ତା’ ଆଖପାଖରେ ବର୍ଣ୍ଣମାଳାର ଉତ୍ପତ୍ତି ହୋଇଥିଲା । କିନ୍ତୁ ସଦ୍ୟ ଅଧ୍ୟୟନର ଫଳ ଦର୍ଶାଉଛି ଯେ ଆମ କଳାକୃତି ବହୁ ପ୍ରାଚୀନ ଏବଂ ବର୍ଣ୍ଣମାଳା ଉତ୍ପତ୍ତିର କାହାଣୀ ଆମ ବିଚାରଠୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ମାଟି ସିଲିଣ୍ଡର ଉପରେ ଲିଖିତ ଏହି ବର୍ଣ୍ଣମାଳା ନୂଆ ଇତିହାସ ଲେଖିଛି ଏବଂ ଭାଷାରେ କ୍ରାନ୍ତି ଆଣିଛି ।