ବୌଦ୍ଧ, ୧/୧୨ : ବୌଦ୍ଧ ସହର ମୁଖ୍ୟ ଡାକଘରୁ ଚୋରି। ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେତେ ଚୋରି ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ସୂଚନାନୁଯାୟୀ, ବୌଦ୍ଧ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ପୋଡାପୋଡାରେ ବୌଦ୍ଧ ମୁଖ୍ୟ ଡାକଘର ରହିଛି। ରବିବାର କାର୍ଯ୍ୟାଳୟ ବନ୍ଦ ରହିଥିଲା। ସୋମବାର କାର୍ଯ୍ୟାଳୟ ଖୋଲିବା ପାଇଁ କର୍ମଚାରୀମାନେ ପହଞ୍ଚି ଦେଖିଲା ବେଳକୁ ଡାକଘରର ପଛପଟ ଗ୍ରୀଲ ଭାଙ୍ଗା ହୋଇଛି। କେହି ଦୁର୍ବୃତ୍ତ ଡାକଘର ଲକର ଭାଙ୍ଗି ସମସ୍ତ ଟଙ୍କା ଚୋରି କରି ନେଇଛି। ଲକରରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଚୋରି ହୋଇଥିବା ଚର୍ଚ୍ଚା ହେଉଛି। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।