ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନଦୀରେ ତାରବାଡ଼ ନାହିଁ, ଖୋଲାମେଲା ତୁଠ... ଦେଢ ଦଶନ୍ଧିରେ ଗଲାଣି ୧୫ ଜୀବନ

Published By : Rasmita Pradhan | July 9, 2025 2:53 PM

ଓଳାଭର, ୦୯/୦୭ : ରାଜକନିକା ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଦେଇ ବୈତରଣୀ ଓ ଖରସ୍ରୋତା ନଦୀ ପ୍ରବାହିତ ହେଉଛି । ଏହି ନଦୀ ଦ୍ୱୟରେ କୁମ୍ଭୀର ଆତଯାତ ଲାଗି ରହିଛି । ଗତ ଦେଢ଼ ଦଶନ୍ଧି ମଧ୍ୟରେ ଏହି ଦୁଇ ନଦୀରେ ଗାଧୋଇବା ବେଳେ ୧୫ ଜଣ ଲୋକଙ୍କ ଜୀବନ କୁମ୍ଭୀର ଆଁରେ ଗଲାଣି । ଏସବୁ ସତ୍ତ୍ଵେ ବନ ବିଭାଗର ଚେତା ପଶୁନି । ଆବହମାନ କାଳରୁ ନଦୀକୂଳିଆ ଲୋକେ ନଦୀରେ ଗାଧୋଇବାଠାରୁ ଆରମ୍ଭ କରି ଯାବତୀୟ କାର୍ଯ୍ୟ ପାଇଁ ନିର୍ଭରଶୀଳ ଥିବା ବେଳେ ବନ ବିଭାଗର ଉଦାସୀନତା ପାଇଁ ନିରୀହ ଲୋକଙ୍କ ଜୀବନ କୁମ୍ଭୀର ଆଁରେ ଯାଉଛି । ଦୁଇ ନଦୀର ବିଭିନ୍ନ ତୁଠରେ ଲୋକେ ଗାଧୁଆପାଧୁଆ କରୁଥିବା ବେଳେ ବନ ବିଭାଗ ତାରବାଡ଼ କରୁନଥିବାରୁ କୁମ୍ଭୀମାନେ ଅକ୍ଲେଶରେ ଲୋକଙ୍କୁ ଶିକାର କରୁଛି । ଖାଲି ମଣିଷ ନୁହନ୍ତି, ଗୋରୁଗାଈଙ୍କୁ ମଧ୍ୟ କୁମ୍ଭୀରମାନେ ଶିକାର କରି ଆସୁଛନ୍ତି । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ଖବରରୁ ପ୍ରକାଶ ଯେ, ରାଜକନିକା ବ୍ଲକ୍‌ରେ ବୈତରଣୀ, ଖରସ୍ରୋତା ନଦୀ ସହିତ ଏହାକୁ ସଂଯାଗ କରୁଥିବା ବହୁ ଛୋଟବଡ଼ ନାଳ ରହିଛି । ସବୁଠି ରହିଛି କୁମ୍ଭୀରର ଭୟ । ନଦୀକୂଳିଆ ଲୋକେ ନଦୀରେ ଗାଧୋଇବା ବେଳେ କୁମ୍ଭୀରମାନଙ୍କର ଶିକାର ପାଲଟୁଛନ୍ତି । କେହି କେହି କୁମ୍ଭୀର ଆକ୍ରମଣରେ ଜୀବନ ହରାଉଥିବା ବେଳେ ଆଉ କେହି ଜୀବନ ସାରା ପଙ୍ଗୁ ହୋଇ ଯାଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର ଦିଗରେ ପ୍ରଶାସନର ନିଘା ଥିବା ଭଳି ମନେ ହେଉନି । ପ୍ରଶାସନ ଏଯାବତ୍‌ ନଦୀ ତୁଠଗୁଡ଼ିକରେ ତାରବାଡ଼ ବ୍ୟବସ୍ଥା କରିପାରିଲା ନାହିଁ । ଫଳରେ କୁମ୍ଭୀର ଅନାୟାସରେ ମଣିଷ ଶିକାର କରୁଛି । 

ରାଜକନିକା ବ୍ଲକ୍‌ର ଚରପଡ଼ା, ନମତରା, କଣ୍ଡିଆ, ଦେଉଳତରା, ହାବଳଗଣ୍ଡ, ପାରିନୂଆପଡ଼ା ଘାଟକୂଳ, ବନ୍ଧସାହି, ପାରିମୁକୁନ୍ଦପୁର, ବରୁଣାଡିହା, ଭାରିଗଦା ଭଳି ଗ୍ରାମର ଲୋକମାନେ ପ୍ରାୟତଃ ଖରସ୍ରୋତା ନଦୀ ଏବଂ ପଧାନପଡ଼ା, ହାଟସାହି, ବଟରପଡ଼ା, ଗହମପାଳ, କନପୁର, ପଙ୍କି, ଗୋପାଳପୁର, ଶୁକଦେବପୁର, ଦୋମଣ୍ଡା, ମାନପୁର, ଗୁଣ୍ଠଳ ଆଦି ଗାଁ ଲୋକେ ବୈତରଣୀ ନଦୀ ତୁଠଗୁଡ଼ିକରେ ନିଜର ନିତ୍ୟକର୍ମ କରିଥାନ୍ତି । ହେଲେ ଏହି ସ୍ଥାନମାନଙ୍କରେ ପ୍ରାୟତଃ ତାରବାଡ଼ ନଥିବାରୁ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଛି । ଯେଉଁଠି ହାତଗଣତି ତାରବାଡ଼ ଦିଆଯାଇଛି, ତାହା ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି । ପ୍ରତ୍ୟେକ ସ୍ଥାନରେ ଏଭଳି ସୁରକ୍ଷା ବାଡ଼ ଲଗାଗଲେ ବହୁମାତ୍ରାରେ ଅଘଟଣ ରୋକାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ବହୁବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଉନାହଁ । ଏଭଳି ପରିସ୍ଥିତିରେ କେତେ ମୁଣ୍ଡ ଗଡ଼ିଲେ ପ୍ରଶାସନ ଚେତିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି । ଅପରପକ୍ଷରେ ବନ ବିଭାଗ କେବଳ ଡାକବାଜି ଯନ୍ତ୍ର କିମ୍ବା ବ୍ୟାନର ପୋଷ୍ଟରରେ କୁମ୍ଭୀର ପ୍ରତି ସାବଧାନ କରୁଥିବା ଅଭିଯୋଗ ହୋଇଛି । ତେଣୁ କୁମ୍ଭୀର ମୁହଁରେ ଆଉ କେହି ଯିବା ପୂର୍ବରୁ ସମସ୍ତ ନଦୀ ତୁଠରେ ସୁରକ୍ଷା ବାଡ଼ ବା ତାରବାଡ଼ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.