ଆଜି ଯେବେ ମୁଁ ମୋର ଜୀବନ ସନ୍ଧ୍ୟାର ଉଠନ୍ତା ତାରାମାନଙ୍କୁ ଦେଖେ, ବଜାର ଗହଳିରେ ବ୍ୟସ୍ତ ଆତୁର ମୁହଁମାନଙ୍କୁ ଦେଖେ, ହୋଟେଲରେ ବ୍ଲୁ ହେଭେନ ପିଉଥିବା ଲୋକଙ୍କୁ ଦେଖେ, ମନ୍ଦିର ସିଂହଦ୍ୱାର ପାଖରେ ଭିକ ମାଗୁଥିବା ସ୍ତ୍ରୀ-ପୁରୁଷଙ୍କୁ ଦେଖେ, ହସପିଟାଲରେ ଆଖିବୁଜି ଯନ୍ତ୍ରଣା ସହିଯାଉଥିବା ବନ୍ଧୁପତ୍ନୀଙ୍କୁ ଦେଖେ, ତରତର ହୋଇ ଗାଡ଼ି ଚଳାଉଥିବା ଝିଅଙ୍କୁ ଦେଖେ, ଅଧରାତିରେ ଆକାଶଟା ଡେଣା ମେଲାଇ ଉଭେଇ ଯିବାର ଦେଖେ ଓ ପକ୍ଷୀମାନଙ୍କର କାନ୍ଦଣା ଶୁଣେ, ମତେ ଲାଗେ ମିଛମାନେ କ’ଣ? ସବୁତ ସତ ଏଠି । 

ଅନ୍ତୁଡ଼ିଶାଳରେ ଆଗନ୍ତୁକର କୁଆଁ ରାବ, ଫୁଲଗନ୍ଧା ରାତିର ତାତି, ସାଗରବେଳାର ବାଲିଝଡ଼, ବିବାହବେଦିରେ ବରକନ୍ୟା ପରସ୍ପରକୁ କଣେଇ ଚାହିଁବାର ଦୃଶ୍ୟସବୁ ତ ସତ । ମିଛ କ’ଣ? ଝଡ଼ରାତିର ମଶାଣିରେ ମଶାଲନିଭା ଝୁଲରେ ଅଧାପୋଡ଼ା ଶବ ଛାଡ଼ି ବଞ୍ଚିଥିବା ଲୋକଙ୍କର ପଳାୟନ? ଯାହା ଘଟେ ସବୁ ସତ । ଫୁଲ ଫୁଟେ, ଜହ୍ନ ମଉଳେ, ଦପଦପ ସୂର୍ଯ୍ୟ ଲାଲରୁ ଧଳା ହୁଏ, ହଳଦିଆ ପଡ଼େ ସୁନା ପରି ଝଟକେ, ମୁଣ୍ଡରେ ସିମେଣ୍ଟବସ୍ତା ଧରି ଘରତୋଳା କୁଲିର ଝାଳ ନିଗିଡ଼ି ଆଖିକୁ ବିନା ଲୁହରେ ଅନ୍ଧ କରିଦିଏ । ରମଣ ତାଳରେ ବିହ୍ୱଳ ବୀଟପୁରୁଷକୁ ଘଣ୍ଟାରେ ରାତି ଦୁଇ ବାଜିବାର ଧ୍ୱନି ଅଟକାଇ ଦିଏ ପଲକଟିଏ ପାଇଁ, ଅଶି ପାର ବୁଢ଼ାବୁଢ଼ୀ ସ୍ପଷ୍ଟ ଦେଖନ୍ତି ଦୋଳି-ଦୋଳ, ସବାରି-ପାଲିଙ୍କିରୁ ଚୁଲିନିଆଁର ତାତିରେ କଳା ପଡ଼ିଥିବା ମୁହଁକୁ ଆଉଁସି ଦେଇ ଶାଶୂର- ଆଲୋ ମା’ ସେତିକି ଥାଉ, ଆ ଉଠି ଆ ବାକ୍ୟ । ବାଃ କେଡ଼େ ମଧୁର ସତେ । 

ପୃଥିବୀର କେନ୍ଦ୍ରଖୋଜା ମଣିଷମାନେ ଲାଇବ୍ରେରୀରେ ନିମଗ୍ନ ଆଖିରେ ବହି ଖାତା ଧରି ଘଣ୍ଟା ଘଣ୍ଟା ବସିବାର ଅନୁଭବ ଯେଉଁମାନଙ୍କର ଅଛି, ସେମାନେ ବୁଝନ୍ତି କେମିତି ସେଇ ମଣିଷ କେନ୍ଦ୍ରଛଡ଼ା ହୁଏ । ସ୍ତ୍ରୀ ଛାଡ଼ପତ୍ର ଦିଏ, କନ୍ୟା ବିଶ୍ୱବିଦ୍ୟାଳୟ ପାଠ ଛାଡ଼ି ବାଲିନିଜ ନୃତ୍ୟ ଶିଖେ । ସବୁ ସତ ପୂର୍ଣ୍ଣିମା ଅମାବାସ୍ୟା ପରି ଜୁଆର ଭଟ୍ଟା ପରି, ପୋଡ଼ାରସୁଣ ଗନ୍ଧରେ ଚିକେନ ସୁଆଦ ପରି, ପାଟିବାଟେ ନିଶ୍ୱାସ ନେଇ ଅଧା ନଙ୍ଗଳା ଶୋଇଥିବା ସେଇ ବାମା ପରି । କିଛି ମାୟା ନୁହେଁ, ଆମ୍ରପଲ୍ଲୀର ନୃତ୍ୟ କିମ୍ବା ଶକୁନ୍ତଳାର ମାଛଗିଳା ମୁଦ୍ରିକାସବୁ ନିଚ୍ଛକ ସତ । ତେବେ ସବୁ ମାୟାରେ ବାୟା କହି ଲୋକେ ବଣ ଜଙ୍ଗଲ ପର୍ବତଗୁହାକୁ ଯାଇ କାହିଁକି ମନ୍ତ୍ର ଲେଖନ୍ତି, ତନ୍ତ୍ର ସାଧନ୍ତି, ମୃଗୀ ସହିତ ରମଣ କରନ୍ତି ବ୍ରହ୍ମଚାରୀ? ପିଲାଦିନୁ ଶୁଣିଆସୁଛି କେନ୍ଦରା ସଙ୍ଗତର ଗୀତ- ...ଭଜି ନପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନେବ କାଳ ଯମ... ।

 ପିଲାଦିନେ ଗୀତ ଶୁଣି ମାଆ ମୋର କାନ୍ଦିପକାଏ । ତାର କାନ୍ଦ ଦେଖି ମତେ ମଧ୍ୟ କାନ୍ଦ ଲାଗେ । କାହିଁକି କାନ୍ଦ ଲାଗେ ଏବେ ମଧ୍ୟ ମୁଁ ବୁଝିପାରେନା, କିନ୍ତୁ ମନ ଦବିଯାଏ । ଏବେବି ସକାଳୁ ଗୁଗୁଲରେ ଭିକାରି ବଳ ଗୀତ ଶୁଣି ମୁଁ ଏକ ବିଷାଦ ଭାବ ଏଡ଼ାଇ ପାରେନାହିଁ । ଏସବୁ ବି ମିଛ ନୁହେଁ । ମାୟା ବାୟା, ମିଛ ମାୟା ମଧ୍ୟ ବିଲକୁଲ ସତ ଆଲୁଅ-ଅନ୍ଧାର ପରି । କିନ୍ତୁ ସେଇ ସମୟରେ ମୋର ମନେପଡ଼େ ଅନ୍ଧ ଆପନ୍ନା ଗାଇଥିବା ଗୀତ, ଯାହା ରେକର୍ଡରେ ଶୁଣିଥିଲି ନୂଆ ନୂଆ ହାଫ୍‌ ପେଣ୍ଟ ପିନ୍ଧିଲା ବେଳେ- ଦେ ମୋତେ ବାୟା କରି, ଆରେ ମୋର ବାୟା ରଜା/ ନାଚିବି ମୁଁ ନଙ୍ଗଳା ହୋଇ ଘିନି ଘିନି ବଜାଇ ବାଜା । ବାଃ ଚମତ୍କାର ସତ୍ୟ! ମଣିଷଟା ବାୟା ହେବାକୁ ଚାହେଁ ତେଣୁ ବାୟାରଜା, ଅର୍ଥାତ୍‌ ଈଶ୍ୱରଙ୍କୁ ବାୟା ହେବାପାଇଁ ବର ମାଗେ । ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ବାୟା । ନାରସିସସ୍‌ ପରି ନିଜର ସୁନ୍ଦର ଜଳଛବିକୁ ଚାହିଁ ଆତ୍ମପ୍ରଶଂସାରେ ମରିବା ବ୍ୟକ୍ତି, ଯେଉଁ ଈଶ୍ୱର ସୃଷ୍ଟି କରିଛି ସେ କ’ଣ ବାୟା ନୁହେଁ? ଏହା ପ୍ରଶ୍ନ ନୁହେଁ, ସ୍ୱୀକାରୋକ୍ତି । ଈଶ୍ୱର ବାୟା, ତେଣୁ ସେ ବାୟା ସୃଷ୍ଟି କରନ୍ତି । ଯିଏ ସୁନ୍ଦର ସ୍ୱପ୍ନ ଦେଖେ, ନଙ୍ଗଳା ହେଇ ବାଜା ବଜାଇ ନାଚେ । ଏହା ହିଁ ଜୀବନ । 

ବୋଧହୁଏ ଶଙ୍କରାଚାର୍ଯ୍ୟ ସରଳ ଭାଷାରେ କମ୍‌ ଶବ୍ଦରେ ଜୀବନକୁ ବୁଝାଇବାକୁ ଯାଇ କହିଥିଲେ- ସଂସାର ଅନିତ୍ୟମ୍‌ ଜୀବନ ମିଥ୍ୟା । ସଂସାର ନିତ୍ୟ ନୁହେଁ ଅବାସ୍ତବ ଓ ଜୀବନ ମଧ୍ୟ ଏକ ମିଛ । ଇନ୍ଦ୍ରିୟମାନେ ହିଁ ଭ୍ରାନ୍ତି ସୃଷ୍ଟି କରନ୍ତି । ଆଖି କାନ ହାତ ନାକ ଜିଭ ଯାହାକୁ ସୁନ୍ଦର, ଲୋଭନୀୟ, ମଧୁର, ଚିକ୍କଣ କହନ୍ତି ସେସବୁ ସତ ପରି ଲାଗୁଥିବା ମିଛ । କିନ୍ତୁ ଆଚାର୍ଯ୍ୟ ମହାଶୟ କାହିଁକି ମିଛ? ଇନ୍ଦ୍ରିୟମାନେ କିଛି ଭୁଲ୍‌ ଦେଖନ୍ତିନାହିଁ । ସମସ୍ତେ ଦଉଡ଼ିରେ ସାପ ଦେଖନ୍ତିନାହିଁ । ଦୁର୍ବଳମନା ବ୍ୟକ୍ତି ହିଁ ମିଥ୍ୟା ଦେଖେ, ମନରେ ଭ୍ରାନ୍ତି ଆଣେ, ଦୋ’ଛକିରେ ଦିଗ ହଜାଏ । ମଣିଷ ପାଇଁ ସବୁ ସତ ଗୋଟିଏ ଜୀବନରେ । ଜନ୍ମ ଯୌବନ ମୃତ୍ୟୁଚକ୍ରର ଜୀବନରେ ଯାହା ଘଟେ ସବୁ ସତ । ଶିଶିରବିନ୍ଦୁକୁ ମୁକ୍ତା ଭାବିଲେ ମିଥ୍ୟା, କିନ୍ତୁ କାବ୍ୟକବିତାରେ ସେଇ ସୁନ୍ଦର ମିଛ ମଧ୍ୟ ସତ ପରି ଲାଗେ । ଯିଏ ଏପରି ବୋଧ କରେନାହିଁ ସେ ହିଁ ମିଛ । ଯିଏ ବାୟା ହୁଏନାହିଁ ସେ ମାୟା ପୃଥିବୀର ରଙ୍ଗ ସ୍ୱରସଜ୍ଜା ଦେଖିଶୁଣି ପାରେନାହିଁ । ବାୟା ନହେଲେ ଯୌବନର ଉଦ୍ଦାମତା ମୃତ୍ୟୁର ଭୟାବହତା ମଣିଷ ବୁଝିପାରେନାହିଁ । ମଣିଷ ଭାଗ୍ୟବାନ ଯେ, ତାକୁ ପଞ୍ଚେନ୍ଦ୍ରିୟ ବାହାରେ ମେଧାଶକ୍ତି ଦେଇଛି ସେଇ ବାୟାରଜା । 

ଏହି ମେଧାଶକ୍ତି ଦ୍ୱାରା ସେ ସତ-ମିଛ ଉଭୟକୁ ଦେଖିପାରେ । ବଉଦ କୋଳରେ ହଜିଯାଉଥିବା ଜହ୍ନକୁ ସେ ଖୋଜିପାରେ, ଚିହ୍ନିପାରେ । କାହିଁକି ହଜିଗଲା ଜହ୍ନ ବୋଲି ଚିନ୍ତା କରେ ଓ ଉତ୍ତର ମଧ୍ୟ ପାଏ । ମୁଁ, ସେ, ସେମାନଙ୍କୁ ଏକାଠି କରେ ଓ ତାଙ୍କୁ ନେଇ ଭାଙ୍ଗେ ଗଢ଼େ । ନିତି ନୂଆ ରୂପ ସୃଷ୍ଟିକରେ ଯାହା ସବୁବେଳେ ସତ । ସେ ଜାଣେ ଯେ ଆକାଶଟା କି ସୁନ୍ଦର! କହିଲା ବେଳକୁ ମେଘ ନିଭାଇଦିଏ ଆକାଶ, ଗରିବ କିଶୋରୀର ଲକ୍ଷ୍ମୀପାଦ କାହାର ପାଦ ପଡ଼ି ଲିଭିଗଲା ପରି- କିନ୍ତୁ ଆକାଶ ପୁଣି ସୁନ୍ଦର ଦିଶେ । କୁମାରୀକନ୍ୟା ପୁଣି ଲେଖେ ଲକ୍ଷ୍ମୀପାଦ ଚାଳ ନଥିବା ଘରେ । ଏଇ ତ ଜୀବନ! କେତେ ସୁନ୍ଦର, କେତେ ସତ! ଆଉ କୋର୍ଟ କଚେରିରେ ସତ ମିଛର ପରୀକ୍ଷା ହୁଏ । ନିଜକୁ ବଞ୍ଚାଇବା ଲାଗି ମଣିଷ ଅନେକ ସମୟରେ ମିଛ କହେ । ତେବେ ସେ ମିଛଟା କ’ଣ? ‘ନରେ ବା ଗୁଞ୍ଜରେ ଅଶ୍ୱତ୍‌ଥାମା ହତ’ କହିଥିଲେ ନିଜ ଗୁରୁଙ୍କୁ ସତ କହିନପାରି । ତାଙ୍କର ନାର୍କୋ ବିଶ୍ଳେଷଣ ହେବାର ଅବକାଶ ନଥିଲା । ବର୍ତ୍ତମାନ ଯାହା ହେଉଛି ସେଥିରେ ସତ କ’ଣ ଜଣାପଡ଼େ? ତେବେ ଏହା ସାକ୍ଷ୍ୟପ୍ରମାଣ ଭାବେ ଗ୍ରହଣୀୟ ନୁହେଁ କାହିଁକି? ସେଥିରେ ନପଶି ମୁଁ କହିବି ଯେ, ଆତ୍ମରକ୍ଷା ପାଇଁ ଯାହା ମିଛ ବୋଲି କୁହାଯାଏ ତାହା ମଧ୍ୟ ଏକ ସତ । ଯେଉଁମାନେ ‘ମୈ ନେହିଁ ମାଖନ ଖାୟୋ’ ଗୀତ ଶୁଣିଛନ୍ତି ସେଥିରେ ମୁଁ ଲହୁଣୀ ଖାଇନାହିଁ ଓ ମୁଁ ହିଁ ଲହୁଣୀ ଖାଇଛି’ ଉଭୟେ ରହିଛି ।

 ଗୋଟିଏ ବାସ୍ତବ ଓ ଅନ୍ୟଟି ଛାୟା ବାସ୍ତବ । ଶବ୍ଦ ଉପରେ ଗୁରୁତ୍ୱ ଯଦି ଶ୍ରୋତା ଠିକ୍‌ ବୁଝିପାରେ, ସେ ସତ କ’ଣ ବୁଝିପାରିବ । ଆମେ ଯାହାକୁ ମିଥ୍ୟା ବୋଲି କହୁ ସେ ମଧ୍ୟ ଏକ କାଳ୍ପନିକ ସତ୍ୟ, ଯାହା ବାସ୍ତବଠାରୁ ଅତି ସୁନ୍ଦର ଓ ଯୁକ୍ତିଯୁକ୍ତ । କବିର କଳ୍ପନା, ସ୍ଥପତି-ଚିତ୍ରକରର ସୃଷ୍ଟି ଅବାସ୍ତବ(ମିଥ୍ୟା) ପରି ଲାଗିଲେ ବି ଏକ ସତ୍ୟ । କିଛି ସତ୍ୟ ଓ ବାସ୍ତବ ମଧ୍ୟରେ ଫରକ ରହିଛି, ଯାହା ଇନ୍ଦ୍ରିୟାନୁଭୂତି ତାହା ବାସ୍ତବ । କିନ୍ତୁ ଯେ ଇନ୍ଦ୍ରିୟ ବାହାରେ ଥିବା ସତ୍ୟକୁ ଦେଖିପାରେ ସେହି ବ୍ୟକ୍ତି ମାୟା ଓ ବାସ୍ତବ ମଧ୍ୟରେ ପ୍ରଭେଦ ଦେଖିପାରେ । ଛୋଟିଆ ଉଦାହରଣଟିଏ ଦେଖନ୍ତୁ- ଏ ଗୋଲାପ କେତେ ସୁନ୍ଦର, ଦିଗ୍‌ବଳୟ ଉପରେ କିଏ ବସିଛି, ଉଭୟ ଦୃଶ୍ୟମାନ ଚିତ୍ର । କିନ୍ତୁ ଉଭୟଙ୍କୁ ପ୍ରଶ୍ନ କଲେ ଯଥାକାହିଁକି ସୁନ୍ଦର? ଦିଗ୍‌ବଳୟ ଉପରେ କେମିତି ଜଣେ ବସିପାରେ? ଉଭୟ ଚିନ୍ତାମଗ୍ନ ହେବେ, କାରଣ ସୌନ୍ଦର୍ଯ୍ୟ ଏକ ପ୍ରସନ୍ନଭାବ ସୃଷ୍ଟିକରେ, ଯାହା ଶବ୍ଦ ମାଧ୍ୟମରେ ସଠିକ୍‌ କୁହାଯାଇପାରିବ ନାହିଁ । ବିଭିନ୍ନ ବ୍ୟକ୍ତି ବିଭିନ୍ନ ଉତ୍ତର ଦେବେ । ଅନ୍ୟ ଭାଷାରେ ସୌନ୍ଦର୍ଯ୍ୟବୋଧ ଏକ ଶବ୍ଦାତୀତ ଅନୁଭବ । 

ସେହିପରି ଦିଗ୍‌ବଳୟରେ ମୋର ପ୍ରିୟାର ନୃତ୍ୟ ଦେଖୁଛି କିଏ କହିପାରେ, ଆଉ ବି କହିପାରେ ବିଶ୍ୱକର୍ତ୍ତା ବିଶ୍ୱନିୟନ୍ତା ମୁଁ ଦେଖୁଛି । କୁହୁକ ବାସ୍ତବ ଅବାସ୍ତବ ପରି ଲାଗିଲେ ବି ସତ । ‘ଶହେ ବର୍ଷର ନିର୍ଜନତା’ ମାରକ୍ୱେଜଙ୍କ ବିଶ୍ୱବିଖ୍ୟାତ ବହିର ନାମ । କିନ୍ତୁ ଶହେ ବର୍ଷର ନିର୍ଜନତା କହିଲେ ଅବାସ୍ତବ ପରି ଲାଗେ, ଯେହେତୁ ପ୍ରକୃତିରେ କୌଣସି ଶୂନ୍ୟସ୍ଥାନ ବା ମହାଶୂନ୍ୟତା ନାହିଁ । ଏହା ଏକ କୁହୁକ ବାସ୍ତବ, ଯାହା ସହୃଦୟ ପାଠକର ମନର ସତ୍ୟବୋଧ ପାଲଟିଯାଏ । ସେମିତି ସେକ୍ସପିଅରଙ୍କ ‘ଡର ବକ୍ସର କ୍ଟଲ ଗ୍ଦଙ୍କମଷ ଗ୍ଦଗ୍ଧଙ୍କଲଲ ବଗ୍ଦ ୟକ୍ସରବଜ୍ଞଗ୍ଦ ବକ୍ସର ଜ୍ଞବୟର କ୍ଟଦ୍ଭ’. ଆମେ ସ୍ୱପ୍ନଗଢ଼ା ଧାତୁରେ ଗଢ଼ା ପଦାର୍ଥ ବା ସ୍ୱପ୍ନଧାତୁରେ ଆମେ ଗଢ଼ା: ସ୍ୱପ୍ନ ଯଦି ମାୟା ବାସ୍ତବ ସୃଷ୍ଟିକରେ ମଣିଷ ସେଇ କୁହୁକ ବାସ୍ତବର ଏକ ରୂପ । ସ୍ୱପ୍ନରେ ଯାହା ଘଟେ ସବୁ ସତ ପରି ଲାଗେ, କିଛି ମିଛ ନଥାଏ । ମଣିଷ ଯାହା କରେ ସବୁ ସତ, ସେ ପ୍ରେମ କରେ, ହତ୍ୟା କରେ, ନିଜକୁ ଠକେ, ମିଛ କହେ, ଆତ୍ମଜୀବନୀରେ ଅନେକ ଅସତ୍ୟ ଲେଖେ, କିନ୍ତୁ ସବୁ ସତ ପରି ଲାଗେ । ଏହା ହିଁ ଶଙ୍କରାଚାର୍ଯ୍ୟଙ୍କ ମାୟା । 

​​​​​​​

ହିନ୍ଦୁ ସନାତନୀ ବିଶ୍ୱାସର ସ୍ରଷ୍ଟା ଓ ସୃଷ୍ଟି ଈଶ୍ୱର ସବୁଠି କେବଳ ପ୍ରହ୍ଲାଦର ବାକ୍ୟ ନୁହେଁ, ଏହା ସମସ୍ତଙ୍କର ବାକ୍ୟ । ମଣିଷ ତାର ଅଳ୍ପଦିନର ବିଶ୍ୱ ରହଣିରେ କିଛି କର୍ମ ଶପଥ ନେଇ କାର୍ଯ୍ୟ କରେ । ଆଜିର ଭାଷାରେ ମଣିଷ କିଛି କରିବାକୁ ଆସେ । ତାର କାମ କିନ୍ତୁ ଏକ ବିଶ୍ୱାସରୁ ଆସେ । ସେହି ବିଶ୍ୱାସ ପ୍ରତ୍ୟେକ ବ୍ୟକ୍ତି ଲାଗି ଅଲଗା । କିନ୍ତୁ ସେହି ବିଶ୍ୱାସ ହିଁ ତାକୁ ଚିରନ୍ତନ ସତ୍ୟ ପରି ଲାଗେ । (ପ୍ରେମ ଫ୍ରେମ ବାଜେ ସବୁ- ବାଜେ ମଧ୍ୟ ଜଗନ୍ନାଥ ଦାସ) ଏହି ବନ୍ଧନୀଯୁକ୍ତ ବିଶ୍ୱାସ ନେଇ ଜଣେ ବଞ୍ଚିପାରେ । ‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣିଲେ ତେଣିକି ଯାଇ’ ବିଶ୍ୱାସରେ କିଏ ବଞ୍ଚେ । କିଏ କହେ ଭାଗ୍ୟ-ଭଗବାନ ସବୁ କରନ୍ତି । ଆଉ କିଏ କହେ ମୁଁ ହିଁ ମୋ ଜୀବନର ଈଶ୍ୱର, ମୋର ଇଚ୍ଛାର ଜୀବନ ମୁଁ ବଞ୍ଚେ । ସବୁ ସତ । ସବୁ ଦୃଶ୍ୟରେ ଲୟ-ଛନ୍ଦ, ସବୁ ସ୍ୱରରେ ରାଗବିରାଗ, ସବୁ ବାକ୍ୟରେ ଚଢ଼ା-ଉତରା ଡେଉ ପରି ଆସେ-ଯାଏ । ଯାହା ଘଟେ ସବୁ ସତ, ମିଛ ବୋଲି କିଛି ନାହିଁ ।