'ସମ୍ପର୍କ ସ୍ୱାମୀସ୍ତ୍ରୀଙ୍କର ହେଉ ଅବା ମା’ଝିଅ କିମ୍ବା ସାଙ୍ଗସାଥୀଙ୍କର... ଜରୁରି ନୁହେଁ ଯେ ସଚ୍ଚୋଟତା ଦେଖାଇ ହେବା ନାଁରେ ସବୁ କଥା ଗପିଚାଲିବା । ସମ୍ପର୍କକୁ ବଜାୟ ରଖିବା ପାଇଁ କିଛି କଥାକୁ ବ୍ୟକ୍ତି କରିବା ପରିବର୍ତ୍ତେ ଲୁଚାଇ ରଖିବା ଜରୁରି । ଏପରିକି ସବୁ ସମ୍ପର୍କରେ ଏକ ସୀମା ନିର୍ଦ୍ଧାରଣ କରିବା ଉଚିତ୍‌ ।'

ଯେଉଁ ସମ୍ପର୍କ ଆମ ହୃଦୟର ନିକଟତ୍ତର ହୋଇଥାଏ, ସେଠାରେ ମିଛି କହିବାର ପ୍ରଶ୍ନ ହିଁ ଉଠି ନଥାଏ । ବରଂ ସଚ୍ଚୋଟପଣିଆରେ ଆମେ ସେହି ସମ୍ପର୍କକୁ ତୁଲାଇଥାଉ । କିନ୍ତୁ ଜାଣନ୍ତି କି ବେଳେ ବେଳେ ଏହି ସଚ୍ଚୋଟପଣିଆ ଖୁବ୍‌ ମହଙ୍ଗା ପଡିଥାଏ? କାରଣ ସବୁ ସମ୍ପର୍କରେ ଏକ ସୀମା ରହିଥାଏ, ଏହାକୁ ଅତିକ୍ରମ କରିବା ଦ୍ୱାରା ସମସ୍ୟା ଆସିବା ସ୍ୱାଭାବିକ । ନଳିନୀର ବିବାହ ୩ ମାସ ପୂର୍ବେ ହୋଇଥିଲା । ସେ ଛୋଟ ବେଳୁ ସବୁ କଥା ମା’ଙ୍କ ଆଗରେ କହିଆସିଛି । ତେଣୁ ବିବାହ ପରେ ମଧ୍ୟ ଶାଶୂ ଘରର ସବୁ କଥା ମା’ଙ୍କ ଆଗରେ କହିଚାଲିଲା । ନଳିନୀର ଏହି ଅଭ୍ୟାସ ସ୍ୱାମୀଙ୍କୁ ପସନ୍ଦ ନଥିଲା । ତେଣୁ ସେ ନଳିନୀକୁ ଅନେକ ଥର ବୁଝାଇଥିଲା ଯେ ଶାଶୂ ଘର କଥା ବାପଘରେ କହିବା ଅନୁଚିତ୍‌ । କିନ୍ତୁ ନଳିନୀ ଏକଥା ଶୁଣିବାକୁ ନାରାଜ୍‌ । ଶେଷରେ ବହୁ ଝଗଡା ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୁଏ । 

ସହଯୋଗୀଙ୍କ ଆଗରେ କୁହନ୍ତୁନି ହୃଦୟର କଥା 

ଘର, ସାଙ୍ଗସାଥୀ ଓ ସହଯୋଗୀଙ୍କ ଆଗରେ ଖୋଲା ବହି ହେବାକୁ ଚେଷ୍ଟା କରନ୍ତୁନି । ସହଯୋଗୀଙ୍କ ଆଗରେ ନିଜର ଦୁର୍ବଳତା ଓ ସମସ୍ୟା କୁହନ୍ତୁନାହିଁ । ନଚେତ୍‌ ଅଫିସ୍‌ରେ ଆପଣଙ୍କ ଛବି ନକାରାତ୍ମକ ଓ ଦୁର୍ବଳ ହୋଇପଡିବ । ଅଫିସ୍‌ରେ ଦିନର ୮/୯ ଘଣ୍ଟା ବିତାଇବା ଦ୍ୱାରା ସାହଯୋଗୀଙ୍କ ସହ ଭାବନାତ୍ମକ ସମ୍ପର୍କ ଯୋଡ଼ି ହେବା ସ୍ୱାଭାବିକ୍‌ । ତଥାପି ନିଜର ବ୍ୟକ୍ତିଗତ କଥା ବାଣ୍ଟିବା ଅନୁଚିତ୍‌ । ସହଯୋଗୀଙ୍କ ସହ ସମ୍ପର୍କକୁ ଏକ ସୀମାରେ ରଖିବାକୁ ପ୍ରୟାସ କରନ୍ତୁ । 

ଶ୍ୱଶୁର ଘର ବିଷୟରେ ସମ୍ଭାଳି କୁହନ୍ତୁ

ଯଦି ନିଜ ଶ୍ୱଶୁର ଘରେ କୌଣସି କଥା ଭଲ ନ ଲାଗେ, ତେବେ ବିନା ଚିନ୍ତାରେ ସ୍ୱାମୀଙ୍କ ଆଗରେ ତାଙ୍କ ଘର ବିରୋଧରେ କହିବା ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି କଥା ହୁଅନ୍ତୁ । ପ୍ରଥମେ ତାଙ୍କ ହାବଭାବକୁ ଦେଖିବା ପରେ ବୁଝାଇବା ଢଙ୍ଗରେ ସକାରାତ୍ମକ ଭାବେ କହିପାରିବେ । ୨୮ ବର୍ଷୀୟା ରେଣୁ କହନ୍ତି, ମୋର ବିବାହର ୪ ପରେ ମଧ୍ୟ ଶାଶୂ-ନଣନ୍ଦଙ୍କ କଥା ଠିକ୍‌ ଲାଗେନି । ଏ ବିଷୟରେ ସ୍ୱାମୀଙ୍କୁ କହିବା ପରେ ସେ ଜାଣନ୍ତି ଯେ ସେମାନେ ଭୁଲ୍‌ ତଥାପି ସେମାନଙ୍କ କଥାକୁ ସ୍ୱୀକାର କରିଥାନ୍ତି । ଶାଶୂ ନଣନ୍ଦ ମୋ ବାପଘର ଲୋକଙ୍କୁ ମଧ୍ୟ ଗାଳି ଦେଇଥାନ୍ତି । ମୁଁ ମଧ୍ୟ ଚୁପ୍‌ ଚାପ ସେସବୁ ଶୁଣି ନିଏ । ଫଳରେ ଆମ ସ୍ୱାମୀସ୍ତ୍ରୀଙ୍କ ଭିତରେ ଝଗଡାଝାଟି ହୋଇ ନଥାଏ । କିଛି କଥା କହିବା ଭୁଲ୍‌ ନୁହେଁ । କିନ୍ତୁ ଏହି କଥା ସୀମା ଅତିକ୍ରମ କଲେ ସମସ୍ୟା ନିଶ୍ଚୟ ଆସିବ । 

ଅଧିକ ସଚ୍ଚୋଟ ହୁଅନ୍ତୁନି 

ରୀତାର ନିୟମିତ ଅଭ୍ୟାସ ସେ ଅଫିସ୍‌ର ସବୁ କଥା ସ୍ୱାମୀଙ୍କ ସହ ସେୟାର କରୁଥିଲେ । ନିୟମିତ ଅଫିସରୁ ଆସିବା ପରେ ବସ୍‌ କ'ଣ କହିଲେ ଓ ଅନ୍ୟାନ୍ୟ ସହଯୋଗୀଙ୍କ ବିଷୟରେ ସ୍ୱାମୀଙ୍କୁ ଜଣାଇଥାନ୍ତି । ଆରମ୍ଭରୁ ସ୍ୱାମୀ ଅନିଚ୍ଛା ସତ୍ତ୍ଵେ ସବୁକିଛି ଶୁଣୁଥିଲେ । କିନ୍ତୁ କିଛି ଦିନ ପରେ ସେ ରାଗିବା ଆରମ୍ଭ କରନ୍ତି । ସେ ବାରମ୍ବାରା ବସ୍‌ ଓ ସହଯୋଗୀଙ୍କ ତାରିଫ୍‌ ଶୁଣି ଶୁଣି ରୀତା ଉପରେ ସନ୍ଦେହ କରିବା ଆରମ୍ଭ କରନ୍ତି । ଧୀରେ ଧୀରେ ସନ୍ଦେହ ବଢିବା ସହ ସମ୍ପର୍କରେ ଦୂରତା ବଢି ଚାଲିଲା । ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ସବୁବେଳେ ଅଲଗା ରଖିବା ଜରୁରି । ସଚ୍ଚୋଟ ହେବାର ଅର୍ଥ ନୁହେଁ ଯେ ସ୍ୱାମୀଙ୍କ ଆଗରେ ନିଜର ସବୁ କଥା କହିବା । ଯେତିକି ଆବଶ୍ୟକ ସେତିକି କହିବା ଉଚିତ୍‌ । ନଚେତ୍‌ ସାଥୀ ଆପଣଙ୍କ କଥାର ଭୁଲ୍‌ ଅର୍ଥ ବାହାର କରିପାରନ୍ତି । 

ବାପାମା’ଙ୍କୁ କୁହନ୍ତୁନି 

ସବୁ ବ୍ୟକ୍ତିଗତ କଥା ଆଜିକାଲି ମା’ଆଗରେ ସ୍କୁଲଠାରୁ ଆରମ୍ଭ କରି ଅଫିସ୍‌ ଯାଏ ସବୁ କଥା କହୁଛନ୍ତି ପିଲାମାନେ । କିନ୍ତୁ ବିବାହ ପରେ ଜୀବନ ବଦଳିଯାଏ । ଝିଅଟିଏ ଅନ୍ୟ ପରିବାରର ସଦସ୍ୟ ହୋଇପଡେ । ଏହି ସ୍ଥିତିରେ ଶ୍ୱଶୁର ଘରର ସବୁ କଥା ବାପଘର ଆଗରେ କହିବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ । ତେଣୁ ସ୍ୱାମୀସ୍ତ୍ରୀଙ୍କର କୌଣସି କଥା ବାପାମା’ଙ୍କ ଆଗରେ କହିବା ଉଚିତ୍‌ ନୁହେଁ । ବାରମ୍ବାର ବାପଘର ଆଗରେ ଶାଶୂଘରର ସମସ୍ତ କଥା କହିବା ଦ୍ୱାରା ସ୍ୱାମୀଙ୍କୁ ଲାଗିଥାଏ ଯେ ଆପଣ ତାଙ୍କ ପରିବାରକୁ ଆପଣାଇ ପାରିନାହାନ୍ତି । ବିଶେଷଜ୍ଞଙ୍କ ମତରେ ବିବାହ ପରେ ଝିଅମାନେ ମା’ ଆଗରେ ଶାଶୂ ଘର କଥା କହିବା ଅନୁଚିତ୍‌ । କାରଣ ଅଧିକାଂଶ କ୍ଷେତ୍ରରେ ମା’ମାନେ ନିରପେକ୍ଷ ହୋଇ ନଥାନ୍ତି । ବରଂ ଝିଅର ସପକ୍ଷରେ କଥା କହିଥାନ୍ତି । ତେଣୁ ଯଦି କେବେ ଆବଶ୍ୟକ ପଡେ, ତେବେ ନିରପେକ୍ଷ ଉତ୍ତର ରଖୁଥିବା ବ୍ୟକ୍ତି ସହ ପରିବାର ସମସ୍ୟା ବିଷୟରେ କଥା ହେବା ଉଚିତ୍‌ ।