ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବଢ଼ିବାରେ ଲାଗିଛି। ବ୍ୟାପକ କ୍ଷେତ୍ରରେ ଏହାର ପ୍ରୟୋଗ ହେଉଛି । ଏବେ ଅପରାଧ ରୋକିବାରେ ପ୍ରମୁଖ ଭୂମିକା ନେବ ଏଆଇ । ଏଥିପାଇଁ ବ୍ରିଟେନ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଚୋରି, ହତ୍ୟା ଭଳି ଅପରାଧ ଘଟିବା ପୂର୍ବରୁ ସତର୍କ କରାଇବ ଏଆଇ । ଏହି ଭଳି ଟେକନୋଲୋଜି ବା ପ୍ରଯୁକ୍ତି ବିକଶିତ କରିବାକୁ ଲାଗିଛନ୍ତି ବୈଜ୍ଞାନିକ । ଏଥିରେ କେତେକାଂଶରେ ସଫଳତା ମଧ୍ୟ ମିଳିଛି । ରିୟଲ ଟାଇମ୍ ଇଣ୍ଟର ଆକ୍ଟିଭ୍ ମ୍ୟାପ୍ ମାଧ୍ୟମରେ କୌଣସି ସ୍ଥାନରେ ହେବାକୁ ଥିବା ସମ୍ଭାବ୍ୟ ଚୋରି, ଆକ୍ରମଣ ଏବଂ ହତ୍ୟା ଭଳି ଅପରାଧର ସୂଚନା ମିଳିପାରିବ ।
ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଏହି AI ଆଧାରିତ ସିଷ୍ଟମ୍ ଅପରାଧକୁ ରୋକିବ ଏବଂ ଏହା ଘଟଣାର ପୂର୍ବାନୁମାନ କରିବ । ଏହାର ପ୍ରୋଟୋଟାଇପ୍ ଏପ୍ରିଲ୍ ୨୦୨୬ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ଏହି ପ୍ରଯୁକ୍ତିବିଦ୍ୟା ଇଂଲଣ୍ଡ ଏବଂ ୱେଲ୍ସର ଅଞ୍ଚଳରେ କାମ କରିବ । ଆକ୍ରମଣ, ଚୋରି କିମ୍ବା ଅସାମାଜିକ ଆଚରଣ ଭଳି ଘଟଣା ଘଟିପାରେ ବୋଲି ପୁଲିସକୁ ସୂଚନା ଦେବ ଏହି ସିଷ୍ଟମ । ଏହା ସାହାଯ୍ୟରେ ପୁଲିସ ପୂର୍ବରୁ ସତର୍କ ହୋଇ ବିପଦପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିପାରିବ । ଏହି ସିଷ୍ଟମଟି ୟୁକେ ସରକାରଙ୍କ 'ସେଫର୍ ଷ୍ଟ୍ରିଟ୍ସ ମିଶନ'ର ଏକ ଅଂଶ । ଏହା ଦ୍ବାରା ସହରଗୁଡ଼ିକରେ ଅପରାଧ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ଏହି ପ୍ରୋଟୋଟାଇପ୍ ମଡେଲ୍ ପାଇଁ ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୦ ଲକ୍ଷ ପାଉଣ୍ଡ ଅର୍ଥାତ୍ ପ୍ରାୟ ୪୩ କୋଟି ଟଙ୍କା ବିନିଯୋଗ କରିବେ । ଏହାର ସମ୍ପୂର୍ଣ୍ଣ ସିଷ୍ଟମ ୨୦୩୦ ସୁଦ୍ଧା ପ୍ରସ୍ତୁତ ହେବ। ଏହି ଏଆଇ ସିଷ୍ଟମ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସେୟାର ହୋଇଥିବା ତଥ୍ୟ ବିଶ୍ଳେଷଣ କରିବ। ଏହା ପୁରୁଣା ଘଟଣାର ସ୍ଥାନ ଏବଂ ଅପରାଧୀଙ୍କ ଆଚରଣଗତ ଢାଞ୍ଚାକୁ ଦେଖି ଭବିଷ୍ୟତରେ ଅପରାଧ କେଉଁଠାରେ ଘଟିବାର ସମ୍ଭାବନା ଅଛି ତାହା ପୂର୍ବାନୁମାନ କରିବ । ଅପରାଧକୁ ରୋକିବା ପାଇଁ AIର ଭୂମିକା ଏକ ଚଳଚ୍ଚିତ୍ର କାହାଣୀ ପରି ଲାଗିପାରେ, କିନ୍ତୁ ବିଶ୍ୱର କିଛି ସ୍ଥାନରେ ଏହାର ସଫଳର ପରୀକ୍ଷଣ ହୋଇଥିବା କୁହାଯାଉଛି ।
ଆମେରିକାର ଲସ୍ ଆଞ୍ଜେଲସ୍ ଏବଂ ଚିକାଗୋରେ ବ୍ୟବହୃତ ଏପରି ସିଷ୍ଟମଗୁଡ଼ିକୁ ଜାତିଗତ ଭେଦଭାବର ଅଭିଯୋଗ ପରେ ବନ୍ଦ କରିଦିଆଯାଇଥିଲା । କାରଣ ସେଗୁଡ଼ିକ ସଫଳ ହୋଇନଥିଲା। ନେଦରଲାଣ୍ଡରେ, କ୍ରାଇମ୍ ଆଣ୍ଟିସିପେସନ୍ ସିଷ୍ଟମ୍ (CAS) ନାମକ ଏକ ପ୍ରକଳ୍ପ ଚୋରି ଘଟଣା ହ୍ରାସ କରିବାରେ କିଛି ସଫଳତା ହାସଲ କରିଛି । ଡେନମାର୍କ ପୁଲିସ ମଧ୍ୟ ଠକେଇ ତଦନ୍ତ ପାଇଁ AI ବ୍ୟବହାର କରିଥିଲା ଏବଂ ଭଲ ଫଳାଫଳ ପାଇଥିଲା। ଏସବୁ ପରୀକ୍ଷଣ ବ୍ରିଟେନକୁ ନୂଆ ଆଶା ଦେଇଛି । ଦେଶ ନୂତନ ବ୍ୟବସ୍ଥା ଅପରାଧ ରୋକିବାରେ ମଧ୍ୟ ସାହାଯ୍ୟ କରିବ ବୋଲି ସରକାର ବିଶ୍ବାସ କରୁଛନ୍ତି ।