ନୂଆଦିଲ୍ଲୀ, ୨୯/୯ : ସେୟାର ମାର୍କେଟ୍‌ରେ ଏସିଆ କପ୍ ଉତ୍ସାହ। ପାକିସ୍ତାନ ଉପରେ ଧମାକେଦାର୍ ବିଜୟ ପରେ ଝୁମିଲା ଭାରତୀୟ ସେୟାର ବଜାର। ବ୍ୟବସାୟ ଆରମ୍ଭରୁ ଅଚାନକ ଉପରକୁ ଉଠିଗଲା ସେନସେକ୍ସ ଓ ନିଫ୍ଟି। ବମ୍ଵେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୩୦୦ ଅଙ୍କ ଉପରକୁ ଉଠି କାରବାର କରୁଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ର ନିଫ୍ଟି ୧୦୦ ଅଙ୍କ ବଢ଼ି ବ୍ୟବସାୟ କରୁଛି । ବଜାରରେ ଆସିଥିବା ଏହି ଉତ୍ସାହ ମଧ୍ୟରେ ଟାଟା ଷ୍ଟିଲ୍ ଠାରୁ ନେଇ ଟାଇଟନ୍ କମ୍ପାନୀର ସେୟାର ଜବରଦସ୍ତ କାରବାର କରୁଛି । 

ସେନସେକ୍ସ ଏବେ ୮୦,୭୫୮.୪୫ ଲେବୁଲରେ ଟ୍ରେଡ୍ କରୁଥିବା ବେଳେ ନିଫ୍ଟି ୨୪,୭୬୫.୩୦ରେ ଟ୍ରେଡ୍ କରୁଛି। ପ୍ରାରମ୍ଭିକ କାରବାର ସମୟରେ ସର୍ବାଧିକ ବୃଦ୍ଧି ପାଇଥିବା ଷ୍ଟକ୍ ବିଷୟରେ କହିବାକୁ ଗଲେ, ଲାର୍ଜ କ୍ୟାପ୍ କମ୍ପାନୀଗୁଡ଼ିକ ମଧ୍ୟରେ BEL (୨.୮୪%), Eternal (୨.୧୬%), SunPharma (୨%), Titan (୧.୬୦%), Tata Steel (୧.୩୦%)ରେ ବ୍ୟବସାୟ କରୁଛନ୍ତି। ଏତଦ୍ ବ୍ୟତୀତ ମିଡକ୍ୟାପ୍ କମ୍ପାନୀ ଗୁଡ଼ିକ ମଧ୍ୟରେ Petronet (୨.୭୫%), Bandhan Bank (୨.୭୦%), 360One (୨.୬୭%)ରେ ବ୍ୟବସାୟ କରୁଛନ୍ତି। ସ୍ମଲକ୍ୟାପ୍ ଗୁଡ଼ିକ ମଧ୍ୟରେ Panorama (୧୦.୫୯%) ଓ Jaykay Share (୧୦%) ସହ ଟ୍ରେଡ୍ କରୁଛନ୍ତି। ଖବର ଲେଖାହେବା ସୁଦ୍ଧା ସେନସେକ୍ସର ୨୫ ସେୟାର ଗ୍ରୀନ୍ ଜୋନ୍‌ରେ ରହିଛି। ତେବେ ସେୟାର ବଜାରରେ ଉତ୍ସାହ ସତ୍ତ୍ଵେ କିଛି କମ୍ପାନୀ ରେଡ୍ ଜୋନ୍‌ରେ ରହିଛନ୍ତି।

ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୧୪୬ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ତିଲକ୍ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ୧୯.୪ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଭାରତୀୟ ଦଳ ନବମ ଥର ଟାଇଟଲ୍ ଜିତି ଏସିଆ ଦଖଲ କରିଛି । ହେଲେ ଏସିସି ସଦସ୍ୟ ମୋହସିନ୍ ନକଭୀଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଛି ।