ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା ଟିମ୍‌ର ଅଧିନାୟକ ଥିବା ବେଳେ ଶୁଭମନ ଗିଲ୍‌ ଉପଅଧିନାୟକ ରହିଛନ୍ତି । ଏହା ସହ ବହୁ ଷ୍ଟାର୍ ଖେଳାଳିଙ୍କୁ ଆଗାମୀ ଟୁର୍ଣ୍ଣମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ଚାମ୍ପିଅନ୍ସ ଟ୍ରଫି ଲାଗି ଘୋଷଣା ହୋଇଥିବା ଟିମ୍‌ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବ । ଅନ୍ୟପଟେ କିଛି ଖେଳାଳିଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଦଳେର ସାମିଲ କରାଯାଇ ନାହିଁ । 

ସୂର୍ଯ୍ୟକୁମାର ଯାଦବ
 
ଭାରତୀୟ ଟିମ୍ ପାଇଁ ଟି-20 ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିବା ତଥା ଟି-20ରେ ଭାରତୀୟ ଟିମ୍‌ର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ । ତେବେ ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟ ହୋଇଥିବାରୁ ସୂର୍ଯ୍ୟ କୁମାରଙ୍କୁ ଦଳରୁ ବାଦ ଦିଆଯାଇଛି ବୋଲି କୁହାଯାଉଛି । 

ସଞ୍ଜୁ ସାମସନ
 
ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍‌ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ୱାର୍ଲଡ୍ କପ୍ ୨୦୨୩ ଏବଂ ଟି-20 ବିଶ୍ୱକପରୁ ବାହାର ରହିଥିବା ୩୦ ବର୍ଷୀୟ ଖେଳାଳିଙ୍କୁ ଚାମ୍ପିଅନ ଟ୍ରଫି ୨୦୨୫ରେ ବି ସୁଯୋଗ ମିଳିପାରି ନାହିଁ । ସଞ୍ଜୁ ସାମସନଙ୍କୁ ଟିମରେ ସ୍ଥାନ ନମିଳିବାକୁ ନେଇ ଖେଳ ପ୍ରେମୀ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ମହମ୍ମଦ ସିରାଜ
 
ନିୟମିତ ଭାବେ ଟିମ୍ ଇଣ୍ଡିଆର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟିମ୍‌ରୁ ବାଦ ଦିଆଯାଇଛି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସିରାଜଙ୍କ ପ୍ରଦର୍ଶନ ଭଲ ନଥିଲା । ବୋଧହୁଏ ଏଥିପାଇଁ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇନାହିଁ । ସେପଟେ ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

କରୁଣ ନାୟର
 
ଘରୋଇ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରୁଥିବା କରୁଣ ନାୟରଙ୍କୁ ପୁଣି ଅଣଦେଖା କରାଯାଇଛି । ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚରେ ୭୫୨ ରନ୍ କରିଥିବା କରୁଣ ନାୟରଙ୍କୁ  ଦଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ହେଲା ନାହିଁ, ଏହାକୁ ନେଇ ଖେଳ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ନୀତୀଶ କୁମାର ରେଡ୍ଡୀ
 
ଭାରତୀୟ ଟିମ୍‌ର ଯୁବ ଖେଳାଳି ନୀତୀଶ କୁମାର ରେଡ୍ଡିଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ସାମିଲ କରାଯାଇନାହିଁ । ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପାଇଁ ନୀତୀଶ ରେଡ୍ଡିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ସ୍ଥାନ ମିଳି ନାହିଁ ।