ସୁବର୍ଣ୍ଣପୁର,୧୧/୧୧: ଠାକୁରଙ୍କୁ ବି ଛାଡ଼ିଲେନି ଚୋର । ଦୁର୍ଗା ମନ୍ଦିରରୁ ମା'ଙ୍କ ରୁପା ମୁକୁଟ ସହ ହୁଣ୍ଡି ଭାଙ୍ଗି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ । ସୁବର୍ଣ୍ଣପୁର ଜିଲ୍ଲା ସଦର ଗଡଭିତର ସିନେମା ହଲ ନିକଟ ଦୁର୍ଗା ମନ୍ଦିରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କିଛି ଦିନ ତଳେ ତାରାତାରିଣୀ ମନ୍ଦିରରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏବେ ଆଉ ଏକ ମନ୍ଦିରରୁ ଚୋରି ହୋଇଛି । ରବିବାର ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରର ତାଲା ଭାଙ୍ଗି ଅତି ଚତୁରତାର ସହ ପଶିଥିଲେ ଚୋର । ସେଠାରୁ ମା'ଙ୍କ ରୁପା ମୁକୁଟ, ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଲୁଟି ନେଇଥିଲେ ଲୁଟେରା । ସୋମବାର ସକାଳୁ ମନ୍ଦିରର ପୂଜକ ମା'ଙ୍କ ନୀତିକାନ୍ତି ପାଇଁ ମନ୍ଦିରକୁ ଆସି ସେଠାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଦେଖି ସେ ତୁରନ୍ତ ମନ୍ଦିରର କମିଟି ଏବଂ ସୋନପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚିଛି । ଏକ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଚଳାଇଛି ପୋଲିସ । କିଛି ସମୟ ମଧ୍ୟରେ ବଲାଙ୍ଗୀରରୁ ଏକ ସନ୍ଧାନୀ କୁକୁର ଟିମ୍ ଆସି ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି ।