ମଧ୍ୟପ୍ରଦେଶ ୧୪/୦୨: ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ପୁଲିସ ଜଣେ ଅପରାଧୀକୁ ଗିରଫ କରିଛି, ଯିଏ ବିଭିନ୍ନ ଜିଲ୍ଲାରେ କେବଳ ପୁଲିସ ଅଧିକାରୀଙ୍କ ଘରେ ଚୋରି କରୁଥିଲା । ଦିପେଶ କୁମାର ନାମକ ଏହି ଅଭିଯୁକ୍ତକୁ ଅଲିରାଜପୁର ଜିଲ୍ଲାରୁ ପୁଲିସ ଗିରଫ କରିଛି । ଗତ ଜାନୁଆରୀ ୨୦ରେ ଖଣ୍ଡୱା ପୁଲିସ ଲାଇନ୍ରେ ସଂଘଟିତ ଏକ ଚୋରିର ଯାଞ୍ଚ୍ ପରେ ପୁଲିସ ତାକୁ ଅଟକ ରଖିଥିଲା ।
ପୁଲିସ ଅଧିକାରୀଙ୍କ ଅନୁସାରେ, ଅଭିଯୁକ୍ତ ରାତିରେ କନ୍ଷ୍ଟେବଲ କରନପାଲ ସିଂହ ଓ ସୁରେଶ ଖାଟେଙ୍କ ଘର ଭାଙ୍ଗି ଗହଣା ଓ ଲକ୍ଷାଧିକ ଟଙ୍କା ଚୋରି କରିଥିଲା । ସେହି ଲାଇନ୍ରେ ସିସିଟିଭି ଫୁଟେଜ୍ ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରାଗଲା । ତାଠୁ ନଗଦ ୩୦ ହଜାର ଓ କିଛି ଗହଣା ଜବତ କରାଯାଇଛି । ଚୋରକୁ ଧରିବା ଲାଗି ଝାବୁଆ, ଅଲିରାଜପୁର ଓ ଧର୍ ଜିଲ୍ଲାରେ ପୁଲିସ ସର୍ଚ୍ଚ ଅପରେସନ୍ ଚଳାଇଥିଲା । ପୁଲିସକୁ ଚକ୍ମା ଦେବା ଲାଗି ଅଭିଯୁକ୍ତ ବାରମ୍ବାର ସ୍ଥାନ ବଦଳାଉଥିଲା । ଟେକ୍ନିକାଲ ଓ ସର୍ଭିଲାନ୍ସ ଇନ୍ପୁଟ୍ରୁ ଚୋର ବୁରହାନପୁର ଅଭିମୁଖେ ଯାତ୍ରା କରୁଥିବା ପୁଲିସ ସୂଚନା ପାଇଲା । ଛାତ ଉପରୁ ଡେଇଁ ପଳାଇବାକୁ ଚେଷ୍ଟା କରିବା ବେଳେ ତା’ର ହାତ ଓ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଲା । କୋର୍ଟରେ ହାଜର କରିବା ପୂର୍ବରୁ ତାକୁ ପ୍ରଥମେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଗଲା ।
ଆହୁରି ପଢ଼ନ୍ତୁ...ହାଇଦ୍ରାବାଦରେ ବେଆଇନ ସରୋଗେସୀ ଓ ଶିଶୁ ଚାଲାଣ ରାକେଟ୍ର ପର୍ଦ୍ଦାଫାସ୍, ଡାକ୍ତରାଣୀଙ୍କୁ ବାନ୍ଧିଲା ଇଡି
ଖଣ୍ଡୱାର ଅତିରିକ୍ତ ପୁଲିସ ଅଧିକ୍ଷକ ଏହି ଗିରଫକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି । କୋତୱାଲି ପୁଲିସ ପାଇଁ ଏହା ଏକ ବଡ଼ ସଫଳତା । ଦୀପେଶକୁ ପଚରାଉଚରା କରି ଅନ୍ୟ ଚୋରି ଘଟଣାର ପର୍ଦ୍ଦାଫାଶ କରିବା ସହିତ ତା’ର ଅନ୍ୟ ଫେରାର୍ ସହଯୋଗୀଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ଯାଞ୍ଚ୍ରୁ ଜଣାପଡ଼ିଛି, ଅଭିଯୁକ୍ତ ଅତୀତର ଏକ ଘଟଣାରେ ମର୍ମାହତ ହୋଇ ଚୋରି ପାଇଁ କେବଳ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ୍ କରୁଥିଲା । ଷ୍ଟେସନ୍ ହାଉସ୍ ଅଫିସର ପ୍ରବୀନ ଆର୍ୟା କହିଛନ୍ତି, ପ୍ରାୟ ୧୫ ବର୍ଷ ତଳେ ଅଲିରାଜପୁରରେ ଜଣେ ପୁଲିସ ଅଧିକାରୀଙ୍କଠୁ ସେ ମାଡ଼ ଖାଇଥିଲା । ସେବେଠୁ ସେ କେବଳ ପୁଲିସ ଅଧିକାରୀଙ୍କ ଘରକୁ ଟାର୍ଗେଟ୍ କରି ଚୋରି କରୁଥିଲା । ରାତିରେ ଚୋରି କରିବା ପୂର୍ବରୁ ପୁଲିସ ଲାଇନ୍ ନିକଟରେ ଜଣେ ରାସ୍ତାକଡ଼ ଦୋକାନୀର ପରିଚୟ ସୃଷ୍ଟି କରିଥିଲା ।