କାମାକ୍ଷାନଗର,୩୦/୩: କାମାକ୍ଷାନଗର ସହରରେ ଚୋର ଆତଙ୍କ ଦେଖାଦେଇଛି । ରାତିରେ ଚୋରମାନେ ବୁଲି ବିଭିନ୍ନ ଘରକୁ ଟାର୍ଗେଟ୍‌ କରି ଚୋରି କରୁଛନ୍ତି । ଶୁକ୍ରବାର ରାତିରେ କାମାକ୍ଷାନଗର ଥାନାଠାରୁ ମାତ୍ର ଶହେ ମିଟର ଦୂର ବୁଢ଼ୀପଧଉନି ସାହିରେ ଦୁଇ ଜଣଙ୍କ ଘରୁ ଚୋରି ଉଦ୍ୟମ ହୋଇଛି । ଚୋରଙ୍କ କାରନାମା ସିସିଟିଭିରେ କଏଦ୍‌ ହୋଇଛି । 

ସୂଚଟନା ମୁତାବକ, ଏନ୍‌ଏସିର ଦୁଇ ନମ୍ବର ୱାର୍ଡ ବୁଢ଼ୀ ପଧଉନି ସାହିର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଘରୁ ରାତି ପ୍ରାୟ ୨ଟାରେ ଚୋରି ଉଦ୍ୟମ ହୋଇଥିଲା । ମୁହଁରେ ଗାମୁଛା ଘୋଡ଼ାଇ ରଖିଥିବା ଦୁଇ ଯୁବକ ଆସି ଶ୍ରୀ ମିଶ୍ରଙ୍କ ପାଚେରୀ ଡେଇଁ ଭିତରେ ପଶି ଚୋରି ଉଦ୍ୟମ କରିଥିଲେ । ଚୋର ଦ୍ୱୟ ତାଲା ଭାଙ୍ଗିବା ସହ ବାହାରେ ଲାଗିଥିବା ବିଦ୍ୟୁତ୍‌ ବଲ୍‌ବକୁ କାଢ଼ି ଫିଙ୍ଗି ଦେଇଥିଲେ । ମାତ୍ର କିଛି ଜିନିଷ ଚୋରି କରିବାକୁ ସଫଳ ହୋଇପାରିନଥିଲେ । ପରେ ସାହିର ଅନ୍ୟ ଜଣକ ଘରେ ପଶି ଚୋରି ଉଦ୍ୟମ କରିଥିଲେ । ଚୋର ଦ୍ୱୟ ସାହିର ବିଭିନ୍ନ ଘର ବୁଲି ଚୋରି ଉଦ୍ୟମ କରିଥିବା ଜଣାଯାଇଛି । ଥାନାଠାରୁ ମାତ୍ର ୧ କିମି ଦୂରରେ ଉକ୍ତ ସାହି ରହିଥିବା ବେଳେ ପୁଲିସ୍‌ ପାଟ୍ରୋଲିଂ ହେଉନଥିବାରୁ ଚୋରଙ୍କ ଦୌରାତ୍ମ ବଢ଼ି ଚାଲିଛି । ଆଜି ସକାଳେ ଚୋରଙ୍କ କାରନାମା ଜଣା ପଡ଼ିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ପୁଲିସ୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।