ନୂଆଦିଲ୍ଲୀ: ଦିଲ୍ଲୀର ପିଛା ଛାଡୁନାହିଁ ବାୟୁପ୍ରଦୁଷଣ। କିଛି ଦିନର ନିରବତା ପରେ ଦିଲ୍ଲୀ ପ୍ରଦୁଷଣ ଫୁଣି ଖବର ଶିରୋନାମାକୁ ଫେରିଛି। କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ(ସିଏକ୍ୟୁଏମ) ଫୁଣିଥରେ ଦିଲ୍ଲୀ ସହରରରେ ତୃତୀୟ ଷ୍ଟେଜର ଗ୍ରୋଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)କୁ ଲାଗୁକରିଛି। ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିବାରୁ ସୋମବାର(୧୬ ଡିସେମ୍ବର) ଦିନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଜିଆରଏପିକୁ ଲାଗୁ କରାଯାଇଛି।
ସୋମବାର ସକାଳ ସମୟରେ ଦିଲ୍ଲୀ ଅଞ୍ଚଳରେ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିଲା। ଯାହା ବାୟୁ ସୂଚକାଙ୍କ ମାନଙ୍କରେ ୪୦୧ରୁ ୪୫୦ ମଧ୍ୟରେ ରହିଥିଲା। କିନ୍ତୁ ଦ୍ୱିପ୍ରହର ୨ଟା ସୁଦ୍ଧା ଦିଲ୍ଲୀରେ ବାୟୁ ସୂଚକାଙ୍କ ମାନଙ୍କ ୩୬୭କୁ ଖସି ଆସିଥିଲା। ସିଏକ୍ୟୁଏମର ସବ-କମିଟି ଦିଲ୍ଲୀ ସରକାରଙ୍କ ସହାୟତାରେ ଦିଲ୍ଲୀରେ ତତ୍କାଳ ପ୍ରଭାବରେ ଜିଆରଏପିକୁ ଲାଗୁ କରିଥିଲେ।
ତୃତୀୟ ଫେଜର ଜିଆରଏପି ଲାଗୁହେବା ପରେ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମ ବୁଦ୍ଧ ନଗର ଅଞ୍ଚଳରେ ପଞ୍ଚମ ଶ୍ରେଣୀ ଯାଏ ପଢୁଥିବା ଛାତ୍ରଛାତ୍ରୀଙ୍କୁ ହାଇବ୍ରିଡ ମୋଡରେ ପାଠ ପଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ସମସ୍ତ ଡିଜେଲ ଚାଳିତ ଗାଡି ଓ ବିଏସ୍-୪ ମଡେଲ ପୂର୍ବର ଗାଡି ଗୁଡିକୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ ଉପରେ ରୋକ ଲଗାଯାଇଛି। ବିଏସ-୩ ମଡେଲର ସମସ୍ତ ଗାଡି ଓ ବିଏସ୍-୪ ମଡେଲର ଡିଜେଲ ଚାଳିତ ହାଲୁକା ଯାନର ଦିଲ୍ଲୀ ଏନସିଆର ମଧ୍ୟକୁ ପ୍ରବେଶ ଉପରେ ରୋକ ଲଗାଯାଇଛି।
ଦିଲ୍ଲୀରେ ପ୍ରଦୁଷଣର ସ୍ତର ଅତ୍ୟନ୍ତ ବଢିଯିବା ପରେ ବାୟୁ ସୁଚକାଙ୍କ କମିଟି ଗତ ନଭେମ୍ବର ୧୫ ତାରିଖରେ ସହରରେ ତୃତୀୟ ଫେଜର ଜିଆରଏପି ଲାଗୁ କରିଥିଲା। ସୁପ୍ରିମ କୋର୍ଟ ସୋମବାର ଦିନ ଏକ ଶୁଣାଣୀରେ ଏହି ସମସ୍ୟାକୁ ସର୍ବଭାରତୀୟ ସମସ୍ୟା ବୋଲି କହିବା ସହ ସରକାରଙ୍କୁ ଦେଶର ସମସ୍ତ ପ୍ରଦୂଷିତ ସହର ଗୁଡିକର ନାଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସିଏକ୍ୟୁଏମ ଭଳି ବାୟୁପ୍ରଦୁଷଣ ନିର୍ଣ୍ଣୟ କରୁଥିବା ସଂସ୍ଥାକୁ ପ୍ରତିଟି ରାଜ୍ୟରେ ଲାଗୁ କରେଇବାକୁ କହିଛନ୍ତି।
ଶୀତ ଦିନ ମାନଙ୍କରେ ଦିଲ୍ଲୀରେ ବାରମ୍ବାର ଜିଆରଏପି ଲାଗୁ କରାଯାଇଥାଏ। ଜିଆରଏପିର ଚାରୋଟି ଷ୍ଟେଜ ରହିଛି, ପ୍ରଥମ ଷ୍ଟେଜରେ ୨୦୧ରୁ ୩୦୦ ମଧ୍ୟରେ ଥିବା ଏକ୍ୟୁଆଇକୁ ଖରାପ ବାୟୁମାନଙ୍କ, ଦ୍ୱିତୀୟ ଷ୍ଟେଜରେ ୩୦୧ରୁ ୪୦୦ ମଧ୍ୟରେ ଥିବା ଏକ୍ୟୁଆଇକୁ ଅତି ଖରାପ ବାୟୁମାନଙ୍କ, ତୃତୀୟ ଷ୍ଟେଜରେ ୪୦୧ରୁ ୪୫୦ ମଧ୍ୟରେ ଥିବା ଏକ୍ୟୁଆଇକୁ ନିମ୍ନମାନ ବାୟୁମାନଙ୍କ ଓ ଚତୁର୍ଥ ଷ୍ଟେଜରେ ୪୫୦ ପରର ଏକ୍ୟୁଆଇକୁ ଅତ୍ୟନ୍ତ ନିମ୍ନମାନର ବାୟୁମାନଙ୍କ ଭାବେ ଘୋଷଣା କରାଯାଇଥାଏ।