ନୂଆଦିଲ୍ଲୀ, ୧୩।୮: ଆଧୁନିକ ଯୁଗରେ ଇଣ୍ଟରନେଟ୍ ଅମ୍ଳଜାନ ସଦୃଶ । ଯେମିତି ନିଶ୍ୱାସ ବନ୍ଦ ହେଲେ ମଣିଷ ବଞ୍ଚିବା ଅସମ୍ଭବ । ଠିକ୍ ସେହିଭଳି ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଇଣ୍ଟରନେଟ୍ ବିନା ଚଳିବା ମୁସକିଲ । ମନେ କରନ୍ତୁ, ଆପଣଙ୍କୁ ଏକ ଏଭଳି ଦେଶରେ ଜୀବନ ବିତାଇବାକୁ କୁହାଯିବ, ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ନଥିବ । ଆପଣ କହିବେ, ଆଜିର ଯୁଗରେ ଏମିତି କୌଣସି ଦେଶ ନାହିଁ, ଯେଉଁଠାରେ ଇଣ୍ଟରନେଟ୍ ନାହିଁ । ବୋଧହୁଏ ଆମେ ଆପଣଙ୍କ ସହ ଥଟ୍ଟା କରୁଛୁ, ନଚେତ୍ ଭୁଲ୍ ସୂଚନା ଦେଉଛୁ । ନାଇଁ ଆଜ୍ଞା । ବାସ୍ତବରେ ଆଜିର ଯୁଗରେ ଏକ ଏଭଳି ଦେଶ ରହିଛି ଯେଉଁଠାରେ ଲୋକ ଇଣ୍ଟରନେଟ୍ର ବ୍ୟବହାର କରୁନାହାନ୍ତି । ଏହି ଦେଶଟି କେଉଁଟି ? ଏଠାକାର ଲୋକେ କାହିଁକି ଇଣ୍ଟରନେଟ୍ର ବ୍ୟବହାର କରନ୍ତିନି ଆସନ୍ତୁ ଜାଣିବା ।
ଏକ ଆଫ୍ରିକୀୟ ଦେଶ, ଯାହାର ନାଁ ଇରିଟ୍ରିଆ । ଇରିଟ୍ରିଆର ଜନସଂଖ୍ୟା ପାଖାପାଖି ୬୦ ଲକ୍ଷ । ଏହି ଦେଶ ଆଫ୍ରିକାର ଉତ୍ତର-ପୂର୍ବ ଲୋହିତ ସାଗର ପାଖରେ ଅବସ୍ଥିତ । ଯାହାର ସୀମା ଇଥିଓପିଆ, ସୁଡାନ, ଦିବୁତି ସହ ସଂଯୁକ୍ତ । ଦୀର୍ଘ ବର୍ଷ ଧରି ଇରିଟ୍ରିଆରେ ଏକାଧିକ ଦେଶ ଶାସନ କରିଥିଲେ ।୧୯୯୧ରେ ଏହି ଦେଶକୁ ସ୍ୱାଧିନତା ମିଳିଥିଲା । ଏହି ଦେଶର କ୍ଷେତ୍ରଫଳ ୧.୧୭ ଲକ୍ଷ ବର୍ଗ କିମି । ସ୍ୱାଧିନତା ପରଠୁ ଆଜି ପର୍ଯ୍ୟନ୍ତ ଇରିଟ୍ରିଆର ରାଷ୍ଟ୍ରପତି ଅଛନ୍ତି ଇସାଇସ୍ ଅଫୱର୍କି । ଇସାଇସ୍ ଇରିଟ୍ରିଆର ରାଷ୍ଟ୍ରପତି ହେବା ପରେ ସେ ଦେଶରେ ନିର୍ବାଚନ କରାଇନାହାନ୍ତି । ସତ୍ତାରେ ତିଷ୍ଠି ରହିବାକୁ ଦେଶରେ ଅଜବ ନିୟମ ଲାଗୁ କରିଛନ୍ତି ଇସାଇସ୍ । ଇଣ୍ଟରନ୍ୟାସନାଲ ଟେଲି କମ୍ୟୁନିକେସନ ୟୁନିୟନର ରିପୋର୍ଟ ଅନୁସାରେ, ଏହି ଦେଶରେ ଏରିଟ୍ରେନ ନାମକ ଏକମାତ୍ର, ଟେଲିକମ କମ୍ପାନୀ । ଯାହାକୁ ସରକାର ଚଲାନ୍ତି । ଏଠାରେ ଇଣ୍ଟରନେଟ୍ ତ ଦୂରର କଥା ଏଠାକାର ଲୋକଙ୍କ ପାଇଁ ମୋବାଇଲର ସିମ୍ କାର୍ଡ କିଣିବା ବି ଏତେ ସହଜ ନୁହେଁ। ଯେଉଁଥିପାଇଁ ପ୍ରଥମେ ଏକ ଫର୍ମ ଭରିବାକୁ ପଡ଼େ । ଏଥିସହ ସ୍ଥାନୀୟ ପ୍ରଶାସନର ମଞ୍ଜୁରୀ ବି ଜରୁରୀ । ସିମକାର୍ଡ ମିଳିବା ପରେ ବି ଇଣ୍ଟରନେଟ୍ ବ୍ୟବହାର କରିପାରିବେନି କାରଣ ଏଥିରେ ମୋବାଇଲ ଡାଟାର ସୁବିଧା ନଥାଏ । ଯଦି କେହି ଇଣ୍ଟରନେଟ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ସାଇବର କାଫେରେ ନିଜ ଆବଶ୍ୟକ ମୁତାବକ ଘଣ୍ଟାଏ କି ଦୁଇ ଘଣ୍ଟା ପାଇଁ କୁପନ କିଣିବାକୁ ପଡ଼େ । ଏଥିପାଇଁ ସହରାଞ୍ଚଳରେ ହାତଗଣତି କିଛି କାଫେ ରହିଛି । ଇଣ୍ଟରନେଟ ବ୍ୟବହାର କରିବାକୁ ଏଠାରେ କୁପନ୍ର ବ୍ୟବସ୍ଥା ରହିଛି । ଘଣ୍ଟାକ ପାଇଁ ୧୫ ନାକପା ଦେବାକୁ ପଡ଼େ । ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୮୦ ଟଙ୍କା ।
ସୋସିଆଲ ମିଡିଆ ସାଇଟ୍ ବ୍ୟବହାର ପାଇଁ ନାଗରିକଙ୍କ ଉପରେ ଦୃଢ଼ ଆଇନ ଲାଗୁ କରିଛି ଇରିଟ୍ରିଆ ସରକାର । ଯଦି କେହି ନାଗରିକ ସରକାର ବିରୁଦ୍ଧରେ ବୟାନ ଦିଅନ୍ତି, ତେବେ ତାକୁ ସିଧାସଳଖ ଜେଲ ଯିବାକୁ ପଡ଼ିବ । ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଦେଶରେ ଗୋଟିଏ ହେଲେ ATM ମେସିନ ନାହିଁ, ଏଠାକାର ଲୋକେ ବ୍ୟାଙ୍କରୁ କେବଳ ୨୩ ହଜାର ୫୦୦ ନାପାକ ଉଠାଇପାରିବେ । ସେ ପୁଣି ମାସକରେ ଥରେ । ତେବେ ବିବାହ କାର୍ଯ୍ୟକ୍ରମରେ ଏହି ଟଙ୍କା ଉଠଇବା ନିୟମରେ କୋହଳ କରାଯାଏ ।
ଇରିଟ୍ରିଆ ଦେଶର ସରକାରଙ୍କ କହିବାନୁସାରେ, ଦେଶର ବର୍ଦ୍ଧିତ ଦରଦାମ ରୋକିବାକୁ ଏଭଳି ନିୟମ ଲାଗୁ ହୋଇଛି । ଯାହା ଲୋକଙ୍କୁ ସଞ୍ଚୟ କରିବା ଶିଖାଉଛି । ଏଠାକାର ମିଡିଆ ବି ସରକାରଙ୍କ ନିୟନ୍ତ୍ରଣରେ । ଯଦି କେହି ସରକାରଙ୍କ ବିରୁଦ୍ଧରେ କୌଣସି ଖବର ପ୍ରକାଶ କରନ୍ତି, ତେବେ ତାଙ୍କୁ ଜେଲ୍ ଯିବାକୁ ପଡ଼େ । କେବଳ ଏତିକି ନୁହେଁ, ଲୋକମାନେ ଟିଭିରେ କ’ଣ ଦେଖିବେ ଏହା ଉପରେ ମଧ୍ୟ ସରକାର ନଜର ରଖନ୍ତି । ଅନ୍ୟ କୌଣସି ଦେଶକୁ ଚାକିରି ପାଇଁ ଯିବାକୁ ହେଲେ, ଏହା ପୂର୍ବରୁ ତାଙ୍କୁ ପ୍ରଥମେ ମିଲିଟାରୀ ଟ୍ରେନିଂ ପୂରା କରିବାକୁ ହେବ । ଯାହା ପରେ ସେ ପାସପୋର୍ଟ ଆବେଦନ କରିପାରିବେ । କଥା ଏତିକିରେ ସରିନି, ପାସପୋର୍ଟ ମିଳିବା ପରେ ବି ବାହାର ଦେଶକୁ ଯିବେ ଏତେ ସହଜ ହୋଇନଥାଏ । କାରଣ ଏଥିପାଇଁ ଏକଜିଟ୍ ଭିସାର ଆବଶ୍ୟକତା ପଡ଼େ । ଯାହା ସରକାର ଏତେ ସହଜରେ ଦିଏନାହିଁ । ସରକାରଙ୍କ କହିବାନୁସାରେ, ଯେଉଁ ଲୋକ ଥରେ ଦେଶ ବାହାରକୁ ପଳେଇବେ, ସେ ପୁଣିଥରେ ଇରିଟ୍ରିଆକୁ ଫେରିବାକୁ ଚାହିଁବେନି ।
ବିଂଶ ଶତାବ୍ଦୀରେ ବି ଚାଲିଛି ଏକଚ୍ଛତ୍ରବାଦ ଶାସନ । ଇରିଟ୍ରିଆକୁ ସାଉଥ ଆଫ୍ରିକାର ‘ଉତ୍ତର କୋରିଆ’ ବୋଲି ମଧ୍ୟ କୁହାଯାଏ । ଥରେ ଚିନ୍ତା କରନ୍ତୁ, ଇରିଟ୍ରିଆର ନାଗରିକଙ୍କ ପରିସ୍ଥିତି କେତେ ଶୋଚନୀୟ ! ଯେଉଁଠି ଭାରତୀୟଙ୍କ ପାଇଁ ଇଣ୍ଟରନେଟ୍ର ବ୍ୟବହାର କରିବା ଖୁବ୍ ସାଧାରଣ କଥା କିନ୍ତୁ, ଇରିଟ୍ରିଆରେ ଭିସା, ଇଣ୍ଟରନେଟ୍ର ସୁବିଧା ପାଇବାକୁ ଲୋକଙ୍କୁ ଏଭଳି ସଂଘର୍ଷ କରିବାକୁ ପଡ଼ୁଛି ।