ନୂଆଦିଲ୍ଲୀ,୦୧/୦୮:ଭାରତର ଅତି ପ୍ରିୟ ମିଠା କୁଲ୍‌ଫିକୁ ମିଳିଛି ବୈଶ୍ୱିକ ମାନ୍ୟତା । ଲୋକପ୍ରିୟ ଫୁଡ୍‌ ଓ ଟ୍ରାଭେଲ୍‌ ଗାଇଡ୍‌ ‘ଟେଷ୍ଟ୍‌ ଆଟ୍‌ଲାସ’ ବିଶ୍ୱର ୫୦ ଶ୍ରେଷ୍ଠ ଫ୍ରୋଜନ୍‌ ଡେଜର୍ଟର ତାଲିକା ଜାରି କରିଛି । ଯେଉଁଥିରେ କୁଲ୍‌ଫି ଥରେ ନୁହେଁ, ବରଂ ଭିନ୍ନ ମାର୍ଗରେ ଦୁଇ ଥର ତାଲିକାରେ ସ୍ଥାନ ପାଇଛି । ବିଶ୍ୱର ସର୍ବଶ୍ରେଷ୍ଠ ଫ୍ରୋଜନ୍‌ ଡେଜର୍ଟ ଭାବେ ୮ମ ସ୍ଥାନ ହାସଲ କରିଛି କୁଲ୍‌ଫି ।  

ସେହିପରି ଟେଷ୍ଟ୍‌ ଆଟ୍‌ଲାସ ପକ୍ଷରୁ କୁଲ୍‌ଫି-ଫାଲୁଦା କମ୍ବୋକୁ ୩୧ତମ ସ୍ଥାନ ମିଳିଛି । ଟେଷ୍ଟ୍‌ ଆଟ୍‌ଲାସର ସଦ୍ୟତମ ବିଶ୍ୱର ଶ୍ରେଷ୍ଠ ଫ୍ରୋଜନ୍‌ ଡେଜର୍ଟ ତାଲିକାର ଶୀର୍ଷରେ ଅଛି ତୁର୍କୀର ଡନ୍‌ଡୁର୍ମା । ତା’ପରେ ଅଛି ଆମେରିକାର କଷ୍ଟାର୍ଡ ଏବଂ ଇଟାଲୀର ଜିଲେଟୋ ଅଲ୍‌ ପିସ୍ତାଚିଓ । ଏହା ପୂର୍ବରୁ ଭାରତର ଅନେକ ମିଠା ଓ ଅନେକ ବ୍ୟଞ୍ଜନକୁ ଟେଷ୍ଟ୍‌ ଆଟ୍‌ଲାସ ମାନ୍ୟତା ଦେଇଛି । ସେହିପରି ବିଶ୍ୱର ୫୦ ଶ୍ରେଷ୍ଠ ଜଳଖିଆରେ ଭାରତର ୩ଟି ବ୍ୟଞ୍ଜନକୁ ଏହା ସ୍ଥାନ ଦେଇଥିଲା । ଆହୁରି ଅଧିକ ଭାରତୀୟ ବ୍ୟଞ୍ଜନ ୫୧-୧୦୦ ମଧ୍ୟରେ ସ୍ଥାନ ପାଇଥିଲା । ତେବେ ମହାରାଷ୍ଟ୍ରର ମିସାଲ ପାଓ ୧୮ତମ ସ୍ଥାନ ହାସଲ କରିଥିବା ବେଳେ  ପରଟାକୁ ୨୩ତମ ଏବଂ ଦିଲ୍ଲୀ-ପ୍ରସିଦ୍ଧ ଛୋଲେ ଭଟୁରେ ୩୨ତମ ସ୍ଥାନରେ ରହିଥିଲା ।