ସୋର, ୨୪/୦୫: ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ନରସିଂନଗର ଗାଁରୁ ଏକ ବାଇକ ଚୋରି ଘଟଣାରେ ସୋର ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସେମାନଙ୍କ ଠାରୁ ୧୨ ଟି ବାଇକ ଜବତ କରିଛି। ସୂଚନା ଅନୁସାରେ ନରସିଂନଗର ଗାଁର ଅନନ୍ତ ବିଶ୍ୱାଳଙ୍କ ଓଡି ୦୧ ଭି ୬୯୭୪ ନମ୍ବର ବିଶିଷ୍ଟ ଗ୍ଲାମର ବାଇକ ଟି ଗତ ୧୪ ତାରିଖ ଦିନ ଚୋରି ହୋଇଥିଲା। ଏ ବାବଦରେ ଅନନ୍ତ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩୮୮/୨୫ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ପୁଲିସ ପାଖ ଗାଁର ଅଭିଷେକ କର (୨୧), ଉତ୍ତରେଶ୍ୱର ଗ୍ରାମର ସୌରୀଶ ପ୍ରସାଦ କର (୨୧) ଏବଂ ସବିରା ରାଧିକା ନଗର ଗ୍ରାମର ମୁନା ଜେନା (୨୦) କୁ ଉଠାଇ ଆଣି ପଚରା କରିବା ପରେ ଅନନ୍ତଙ୍କ ବାଇକ ସମେତ ମୋଟ ୧୨ ଟି ବାଇକକୁ ପୁଲିସ ସେମାନଙ୍କ ନିକଟରୁ ଜବତ କରିଥିଲା। ଏଥିସହିତ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା। ଶନିବାର ଅପରାହ୍ନରେ ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଛି।