ଭୁବନେଶ୍ବର,୩୦।୬ :  ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଖାରବେଳ ନଗର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କର୍ପୋରେଟର ଜୀବନ ରାଉତ ଏବଂ ତାଙ୍କ ସର୍ମଥକ  ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନ। 

ସୋମବାର  ବିଏମ୍‌ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ  ଅଭିଯୋଗ ଶୁଣାଣି କରୁଥିଲେ।  ଜଣେ କର୍ପୋରେଟରଙ୍କ ୫ରୁ ୬ ଜଣ ସହଯୋଗୀ ହଠାତ୍ ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାଡ଼ ମାରିଥିଲେ।  ଏହି ନେଇ ତୁରନ୍ତ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ପରବର୍ତ୍ତି ସମୟରେ ଅତିରିକ୍ତ କମିଶନର ଏ ନେଇ ଖାରବେଳ ଥାନାରେ ସମ୍ପୃକ୍ତ କର୍ପୋରେଟର ଓ ତାଙ୍କ ସମର୍ଥକଙ୍କ ବିରୋଧରେ  ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପକରେ  ଏହିି ଘଟଣା ପ୍ରତିବାଦରେ ବିଏମସି କର୍ମଚାରୀ ଓ  କର୍ପୋରେଟର ଏକଜୁଟ ହୋଇ କାର୍ଯ୍ୟ ବନ୍ଦ କରିଥିଲେ। ଏଥିସହ କାର୍ଯ୍ୟାଳୟ ସମ୍ମୁଖ ଜନପଥ ରାସ୍ତାରେ ଧାରଣା ଦେଇ ଅବରୋଧ କରି  ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ । ଫଳରେ ଜନପଥ ରାସ୍ତା ଜାମ ହୋଇଯାଇଥିଲା।   ଶତାଧିକ ଗାଡ଼ିମୋଟର ଅଟକି ରହିବା ସହ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।  ତେବେ ଅନ୍ୟ ଅଭିଯୁକ୍ତମାନଙ୍କ ଗିରଫ କରିବାକୁ  କର୍ମଚାରୀ  ଦାବି  କରିଛନ୍ତି।