ଭୁବନେଶ୍ୱର, ୧୨/୦୬: ଗୁରୁବାର ଅପରାହ୍ଣରେ ରୁଚିକା ସମାଜ ମଙ୍ଗଳ ସଂଗଠନର ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ କର୍ମୀ ଓ ଚାଇଲ୍ଡ ହେଲ୍ପ ଲାଇନ ତଥା କମିଶନରେଟ ପୁଲିସର ମିଳିତ ଉଦ୍ୟମରେ ୩ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଏକ ଗ୍ୟାରେଜରେ କାମ କରୁଥିବା ଜଣେ ୧୬ ବର୍ଷ ବୟସର ନାବାଳକ ଉଦ୍ଧାର ହୋଇ ହୋଇଥିବା ବେଳେ ସହିଦ ନଗର ଅଞ୍ଚଳରେ ସୋନାଲି ମିଷ୍ଟାନ୍ନ ଭଣ୍ଡାରରେ କାର୍ଯ୍ୟରତ ୧୫ ଓ ୧୬ ବର୍ଷ ବୟସର ଦୁଇଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ମଞ୍ଚେଶ୍ୱରରେ କାର୍ଯ କରୁଥିବା ଶିଶୁଟି ମୟୂରଭଞ୍ଜ ଅଞ୍ଚଳର ହୋଇଥିବା ବେଳେ ସହିଦ ନଗରରେ କାର୍ଯ୍ୟରତ ଶିଶୁମାନେ ନୟାଗଡ ଅଞ୍ଚଳର ହୋଇଥିବା ଜଣାପଡିଛି।
ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକମାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଛି । ସମିତିର ନିର୍ଦ୍ଦେଶ କ୍ରମେ ରୁଚିକା ଓପନ ଶେଲ୍ଟରରେ ଛଡ଼ାଯାଇଛି। ଉଦ୍ଧାର କାର୍ଯ୍ୟରେ ରୁଚିକା ଅନୁଷ୍ଠାନର ହରପ୍ରିୟା ପତି, ଘନଶ୍ୟାମ ଭୋଇ ଓ ଅଜୟ କୁମାର ମହାରଣା ଯୋଗ ଦେଇଥିବା ବେଳେ, ଚାଇଲ୍ଡ ହେଲ୍ପ ଲାଇନ ପକ୍ଷରୁ ଦୀପକ କୁମାର ପ୍ରଧାନ ଓ ତପସ୍ଵିନୀ ଅଂଶ ଗ୍ରହଣ କରିଛନ୍ତି।
ଶିଶୁ ମାନଙ୍କୁ ଅନ୍ୟ ଜିଲ୍ଲାରୁ ଚାଲାଣ କରି ଆଣି ଭୁବନେଶ୍ୱରରେ ନିଯୁକ୍ତି ଦେବା ଏକ ଅପରାଧ ହୋଇଥିବାରୁ ଆସନ୍ତା କାଲି ରୁଚିକା ପକ୍ଷରୁ ମଞ୍ଚେଶ୍ୱର ଥାନା ଓ ସହିଦନଗର ଥାନାରେ ପୃଥକ୍ ପୃଥକ୍ ଭାବେ ଏତଲା ଦିଆଯିବ । ଏନେଇ ରୁଚିକାର ମୁଖ୍ୟ କାର୍ଯ ନିର୍ବାହୀ ଅଧିକାରୀ ଡ. ବେଣୁଧର ସେନାପତି କହିଛନ୍ତି।