ଜି. ଉଦୟଗିରି,୨୬/୦୧ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାରହା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଡାକପାଲା ଗ୍ରାମର ସସ୍ମିତା ମଲ୍ଲିକ (୩୫) , କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ (୬୦) ଓ ନିରଜିନି ପ୍ରଧାନ (୬୦)।
ଡାକପାଲା ଗ୍ରାମର ସସ୍ମିତା ମଲ୍ଲିକ (୩୫) ଓ ତାଙ୍କ ସ୍ୱାମୀ ବାପି ମଲ୍ଲିକ ଜି ଉଦୟଗିରିରୁ ନିଜ ଗାଁକୁ ବାଇକ୍ରେ ଫେରୁଥିଲେ। ଶ୍ରିକଲା ଘାଟି ନିକଟରେ ବାଇକ୍ ଖରାପ ହୋଇ ଯାଇଥିଲା। ବାପି ବାଇକ୍ ପ୍ଲଗ ସଫା କରୁଥିବା ବେଳେ ଅତର୍କିତ ଭାବରେ ଏକ ବାରହା ଆସି ସସ୍ମିତାଙ୍କୁ ଆକ୍ରମଣ କରିଥିଲା। ଠିକ ସେତେବେଳେ କାଠ ଆଣିବାକୁ ଯାଇଥିବା କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ (୬୦) ଓ ନିରଜିନି ପ୍ରଧାନ (୬୦) ମଧ୍ୟ ବାରହା ହାବୁଡ଼ରେ ପଡିଥିଲେ। ବାରହାଟି ସସ୍ମିତାଙ୍କୁ ଛାଡି ଏମାନଙ୍କୁ ଆକ୍ରମଣ କରିଥିଲା।ଏଥିରେ ଅପସରୀ ଗୁରୁତର ହୋଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ମାଂସ ବାହାରି ଯାଇଛି। ଆକ୍ରମଣ ପରେ ବାରହାଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରି ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅପସରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇଜଣ ଜି. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଡାକ୍ତର ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ : ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ