ରାୟଗଡା, ୨୩।୫ : ନିଖିଲ ହାଡ଼ପା ହତ୍ୟା ଘଟଣାରେ ଆଉ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମିତ ମେଲେକା,ହେମନ୍ତ ମେଲେକା ଓ ଭିକି ବେହେରା । ସେମାନଙ୍କୁ ପୁଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଅନ୍ୟ ପକ୍ଷରେ ସହରରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି।
ତେବେ ହତ୍ୟାକାଣ୍ଡ ପରେ ରାୟଗଡା ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହତ୍ୟାକାଣ୍ଡ ଘଟଣାକୁ ନେଇ ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ ପିଟଲା ସାହି ଓ ରେଲି ସାହି ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏହି ଘଟଣାରେ ଉଭୟ ପକ୍ଷର ୩ଜଣ ଗୁରୁତ୍ତର ହୋଇଥିଲେ । ଉତ୍ତେଜନା ବୃଦ୍ଧି ପାଉଥିବାରୁ ଆଜି ଅତିରୀକ୍ତ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ୬ ପ୍ଲାଟୁନ ପୁଲିସ ଫ୍ଲାଗ ମାର୍ଚ୍ଚ କରିଥିଲା । ରେଲିସାହିରେ ଫ୍ଲାଗମାର୍ଚ୍ଚ ସମୟରେ ଉତ୍ତେଜନାର ବାତାବରଣ ଦେଖିବାକୁ ମିଳିଥିଲା । ସାହି ବାସିନ୍ଦା ମାନେ ପୁଲିସକୁ ଅଟକ ରଖି ସେମାନଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଥିଲେ ।
ଅପରପକ୍ଷରେ କିଛି ସନ୍ଦିଗ୍ଧ ରାୟଗଡା ଉପକାରାଗାର ସମ୍ମୁଖରେ ନିଖିଲ ହତ୍ୟାକାଣ୍ଡ ଘଟଣାରେ ପଚରାଉଚରା କରିବା ସହ ଜେଲ କର୍ମଚାରୀଙ୍କୁ ଧମକ ଦେଉଥିବା କାରଣରୁ ନିଖିଲ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଜେଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ରାୟଗଡା ଜେଲ କର୍ତ୍ତୃପକ୍ଷ କୋର୍ଟର ଅନୁମତି ମାଗି ୯ ଜଣ ଅଭିଯୁକ୍ତଙ୍କୁ ସ୍ଥାନାନନ୍ତର କରିଥିବା ଜଣାପଡିଛି । ୩ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ୩ଜଣଙ୍କୁ କୋରାପୁଟ ଏବଂ ୩ଜଣଙ୍କୁ ଫୁଲବାଣୀ ସ୍ଥିତ ଜେଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଶାନ୍ତି ଶୁଂଖଳା ବଜାୟ ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବ ଶତ୍ରୁତା ଓ ଜୁଆ ଅଡ୍ଡାରୁ ଲୁଟ ଘଟଣାକୁ ନେଇ ଗତ ୯ ତାରିଖ ଦିନ ରାତିରେ ନିଖିଲ ହାଡପାଙ୍କୁ ଗୋଡେଇ ଗୋଡେଇ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ୨୧ ଜଣ ସମ୍ପୃକ୍ତ ଥିବା ପୁଲିସ କହିଥିଲା I ଏହି ଘଟଣାକୁ ୧୫ ଦିନ ହୋଇଯାଇଥିଲେ ମଧ୍ୟ ସହରରେ ଉତ୍ତେଜନା ଲାଗି ରହିଛି ।