ଭୁବନେଶ୍ୱର, ୨୧।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଯେପରି ଓଡ଼ିଆ ଶ୍ରମିକ ମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇ ପାରିବ ଏବଂ ଅନ୍ୟାନ୍ୟ ସହାୟତା ଠିକ୍ ଭାବରେ ମିଳିପାରିବ, ସେ ବିଷୟରେ ଆଲୋଚନା କରିଛନ୍ତି। ସେଠାରେ ତୁରନ୍ତ ସମନ୍ୱୟ ରକ୍ଷା କରିବା ସହ ଓଡ଼ିଆ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭଲ୍ଲୁର ଅଭିମୁଖେ ଯାତ୍ରା କରିଛନ୍ତି।
ସୂଚନାଯୋଗ୍ୟ ଯେ, ରବିବାର ତାମିଲନାଡୁ ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲାୟମ୍ ନିକଟସ୍ଥ କନ୍ନିଗାଇପେୟାର୍ ଗ୍ରାମରେ ଥିବା 'ସେଣ୍ଟ ପିଟର୍ସ ଆଣ୍ଡ ପଲ୍ ସିଫୁଡ୍ସ ଏକ୍ସପୋର୍ଟସ୍'ରେ (Seafood Processing Unit) ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। କାରଖାନାରେ ଲାଗିଥିବା ଏକ ଭାଲ୍ପ ଖରାପ ହୋଇଯିବାରୁ ସେଥିରୁ ପ୍ରବଳ ମାତ୍ରାରେ ବିଷାକ୍ତ ଆମୋନିଆ ଗ୍ୟାସ୍ ନିର୍ଗତ ହୋଇଥିଲା। ଗ୍ୟାସ୍ ନିର୍ଗତ ହେବା ପରେ ସେଠାରେ କାମ କରୁଥିବା ଶ୍ରମିକମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ଅସୁସ୍ଥ ଶ୍ରମିକମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଯଥାଶୀଘ୍ର ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।