ଝରିଗାଁ,୨୬/୧୨ : ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ଦିଆଳି ପର୍ବ ଧୁମଧାମରେ ଚାଲିଛି । ତେବେ ଦିଆଳି ପର୍ବ ମାନିବାକୁ ଯିବା ସମୟରେ ଦୁର୍ଘଟଣାର ଶୀକାର ହୋଇ ଜଣେ ଯୁବକର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଏକମ୍ବା ଗ୍ରାମରେ ଘଟିଛି । ମୃତ ଯୁବକ ଜଣଙ୍କ ଡାବୁଗାଁ ଥାନା ଚାରଗାଁ ଗ୍ରାମର ରାଜୁ ମାଝୀ(୧୭) ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ପାରମ୍ପରିକ ଦିଆଳି ପର୍ବ ପାଳନ କରାଯାଉଛି । ଏହି ଦିଆଳି ପର୍ବ ମାନିବାକୁ ଝରିଗାଁ ବ୍ଲକ ତଥା ଡାବୁଗାଁ ଥାନା ଅନ୍ତର୍ଗତ ଚାରଗାଁ ଗ୍ରାମର ରାଜୁ ମାଝୀ(୧୭) ଓ ଖଗେଶ୍ବର ମାଝୀ ଏକ ବାଇକରେ ନିକଟ ଏକମ୍ବା ଗ୍ରାମକୁ ସନ୍ଧ୍ୟା ସାଢେ ୬ଟା ସମୟରେ ଯାଉଥିବାବେଳେ ଡାବୁଗାଁ ଥାନା ଅନ୍ତର୍ଗତ ପୂଜାରୀ ଗୁଡା ଗ୍ରାମର ବିରେନ ପୂଜାରୀ(୧୭) ଓ ଅକବଲ ପୂଜାରୀ (୧୮) ଏକ ବାଇକରେ ଦିଆଳି ପର୍ବ ମାନିବାକୁ ହଳଦିଗୁଡ଼ା ଗ୍ରାମକୁ ଯାଉଥିଲେ।

ତେବେ ସନ୍ଧ୍ୟା ସାଢେ ୬ଟା ସମୟରେ ଏକମ୍ବା ଗ୍ରାମ ନିକଟ ହିରଦ ଗୁଡ଼ା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା । ଦୁଇଟି ବାଇକରେ ବସିଥିବା ୪ଜଣ ଗୁରୁତର ହୋଇ ରାସ୍ତାକଡ଼ରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ୪ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ଚାରଗାଁର ରାଜୁ ମାଝୀଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ପୂଜାରୀ ଗୁଡ଼ାର ବିରେନ ପୂଜାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନ ଆସିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖବରପାଇ ଡାବୁଗାଁ ପୁଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦିଆଳି ପର୍ବ ମାନିବାକୁ ଯାଇ ଦୁର୍ଘଟଣାରେ ରାଜୁ ମାଝୀର ମୃତ୍ୟୁ ଖବର ଚାରଗାଁରେ ପ୍ରଚାରିତ ହେବା ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।