ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାଳବୈଶାଖୀ ତାଣ୍ଡବରେ ଥରିଲା ରାଜଧାନୀ, ୬୦ କିମି ବେଗରେ ବହିଲା ପବନ

Published By : Rasmita Pradhan | April 29, 2025 8:55 AM

ଭୁବନେଶ୍ୱର,୨୯/୦୪ : ସୁ ସୁ ପବନ ସାଙ୍ଗକୁ ବିଜୁଳି ଘଡ଼ଘଡ଼ିରେ ଥରି ଉଠିଲା ରାଜଧାନୀ । ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଲା । ରାସ୍ତାରେ ଟ୍ରାଫିକ୍‌ଜାମ ଲୋକଙ୍କୁ ନାକେଦମ କଲା । ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଗଲା, ତାର ଛିଣ୍ଡିଲା । ଅଧା ରାଜଧାନୀ ଅନ୍ଧାର ହୋଇଗଲା । ସୋମବାର ରାତିରେ କାଳବୈଶାଖୀର ତାଣ୍ଡବରେ ଛିନ୍ନଛତ୍ର ହୋଇଗଲା ଅଧା ରାଜଧାନୀ । ଭୁବନେଶ୍ୱରରେ ସୋମବାର ସକାଳୁ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ହେଲେ ସନ୍ଧ୍ୟାରେ ପାଗ ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା । ଅପରାହ୍ନ ପ୍ରାୟ ୬ଟା ବେଳେ ଭୁବନେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା । ପ୍ରାୟ ୧ ଘଣ୍ଟା ଧରି ପ୍ରବଳ ବର୍ଷିଥିଲା । ପବନର ବେଗ ପାଖାପାଖି ୫୫ରୁ ୬୦ କିମି ରହିଥିଲା । ବର୍ଷା ଯୋଗୁଁ ପୁରା ଭୁବନେଶ୍ୱର ଠପ୍‌ ହୋଇଯାଇଥିଲା। ପବନରେ ଏଜିରୁ ରାଜମହଲ ଛକ ରାସ୍ତାରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା । ଫଳରେ ରାଜଭବନ ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକ ଅଟକି ରହିଥିଲା । ଟ୍ରାଫିକ୍‌ ପୁଲିସ ପକ୍ଷରୁ ରାସ୍ତାକୁ କ୍ୟାପିଟାଲ ହସ୍ପିଟାଲ-ଶିଶୁଭବନ ଦେଇ ଡାଇଭର୍ଟ କରାଯାଇଥିଲା। 

ସେହିପରି ବରମୁଣ୍ଡା -ନୂଆ ଏୟାରପୋର୍ଟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ ବରମୁଣ୍ଡା ରାସ୍ତାରେ ଗମନାଗମନ ଠପ୍‌ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ରାସ୍ତାରେ ଗଛ ଉପୁଡିଥିଲା । ସଚିବାଳୟ ଅଗ୍ନିଶମ ବାହିନୀ ପକ୍ଷରୁ ଟିମ୍‌ ସେଠାରେ ପହଞ୍ଚି ଗଛକାଟି ରାସ୍ତା ସଫା କରିଥିଲେ । ଏହା ସହ ୟୁନିଟ୍‌-୮ ଓଏମ୍‌ସି କଲୋନୀ, ଡେଲଟା ଛକ, ନୂଆପଲ୍ଲୀ, ୟୁନିଟ୍‌-୬ ସରକାରୀ ବିଦ୍ୟାଳୟ ପାଖରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା । ପବନ ଯୋଗୁଁ ବିଦ୍ୟୁତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେଣ୍ଟ୍ରାଲ ଭୁବନେଶ୍ୱରର ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା କୃଷ୍ଣଚୂଡା ଗଛ ୧୧ କେଭି ତାର ଉପରେ ପଡ଼ିଯିବାରୁ ସୂର୍ଯ୍ୟନଗର ଏବଂ ଅନ୍ୟ ଅଞ୍ଚଳ ଅନ୍ଧକାର ହୋଇଯାଇଥିଲା । ଓୟୁଏଟି ଅଞ୍ଚଳରେ ବିଦ୍ୟୁତ୍‌ ତାର ଉପରେ ଗଛ ପଡ଼ିବାରୁ ଲାଇନ୍‌ କଟିଥିଲା । ଫଳରେ ଓୟୁଏଟି, ଶିରିପୁର, ଗଙ୍ଗନଗର ଅଞ୍ଚଳରେ ଲାଇନ୍‌ କଟିଯାଇଥିଲା । ସେହିପରି ସୁନ୍ଦରପଦା, ଧଉଳି, ପୁରୁଣା ଭୁବନେଶ୍ୱର ସମେତ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ବାରଙ୍ଗ ଏବଂ ଅନ୍ୟ ଅଞ୍ଚଳରେ ଲାଇନ୍‌ କଟିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଇନ୍‌ ଆସିନଥିଲା । 

କାଳବୈଶାଖୀରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ଡମଣା, ପଟିଆ, କାନନ ବିହାର, ଶିଖରଚଣ୍ଡୀ, ପ୍ରଶାନ୍ତି ବିହାର, ନନ୍ଦନ ବିହାର ଇତ୍ୟାଦି ଅଞ୍ଚଳରେ ବିଶେଷ ଅସୁବିଧା ଦେଖା ଦେଇଥିଲା । ସେହିପରି ସେକ୍ଟର ୧, ୨, ୩, ୪, ୫, ଶୈଳଶ୍ରୀବିହାର, ଡମଣା ଶୈଳଶ୍ରୀବିହାର ରାସ୍ତା, ଜୟଦେବ ବିହାର ନନ୍ଦନକାନନ ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ମା ମଙ୍ଗଳା ବସ୍ତିରେ ଥିବା ଏକ ଘର ଉପରେ ଆମ୍ବ ଗଛ ଉପୁଡ଼ି ପଡ଼ିଥିଲା । ଫଳରେ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସେହିପରି ନୀଳାଦ୍ରି ବିହାର ବୁଦ୍ଧ ପାର୍କ ସମ୍ମୁଖରେ ଏକ ବିରାଟକାୟ ଗଛ ଭାଙ୍ଗି ଯିବାରୁ ରାସ୍ତା ଅବରୋଧ ହୋଇଥିଲା । ଏହାର ଏକ ଶାଖା ଭାଙ୍ଗି କାର ଉପରେ ପଡ଼ିବାରୁ କାରର କାଚ ଭାଙ୍ଗିଯିବା ସହିତ କାରଟି କ୍ଷତିଗ୍ରସ୍ତ ହୋଇଛି । ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଓ ଥାନା ପୁଲିସ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ । ନୀଳାଦ୍ରି ବିହାର ବ୍ରିଜ ପାଖରେ ଦୋକାନଗୁଡ଼ିକରେ ପାଣି ପଶିଯାଇଥିଲା । ବିଭିନ୍ନ ବସ୍ତିରେ ଆଜବେଷ୍ଟସ ଓ ଟିଣ ଉଡାଇ ନେବାରୁ ଘରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.