କଟକ,୦୩/୧୨: ସିଲଭର ସିଟି କଟକକୁ ଧରିଲାଣି କ୍ରିକେଟ ଫିବର । ଦୁଲୁକିବ ବାଟବାଟୀ, କମ୍ପିବ କଟକ । ଆସନ୍ତା ୯ ତାରିଖରେ ବାଟବାଟୀରେ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ଟକ୍କର । ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆସନ୍ତା ୫ ତାରିଖ କାଉଣ୍ଟରରେ ଅଫଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି କରାଯିବ । ଏନେଇ କଟକ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ମୋଟ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏଥର ଦଳାଚକଟା ନିୟନ୍ତ୍ରଣ ପାଇଁ ଜିକ୍ଜାକ୍ ଶୈଳୀରେ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଉଥିବା ବେଳେ ଦ ୟୁନିଭର୍ସ ନିକଟରୁ ଧାଡ଼ି ଆରମ୍ଭ ହେବ । ୫ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ ।

ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାକୁ ୧୦ ହଜାର ଟିକେଟ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ । ଏଥିପାଇଁ କମିଶନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ମୋଟ ୪୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୦ ପ୍ଲାଟୁନ ଫୋର୍ସ ରହିବେ । ୬ଜଣ ଏଡିସିପି, ୧୫ ଏସିପି, ୪୦ ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ୧୫୦ ଜଣ ନିୟୋଜିତ ହେବେ । ଭୁବନେଶ୍ୱରରେ ଥିବା ସମସ୍ତ ପୁରୁଣା ଅଫିସର ଡ୍ୟୁଟିରେ ନିୟୋଜିତ କରାଯିବ । ଏଥିରେ ଏସିପି ଓ ଆଇଆଇସି ସ୍ତରର ଅଫିସର ରହିବେ ।

ଗ୍ୟାଲେରୀ ୧ରୁ ୭ ଯାଏଁ ଟିକେଟ ପାଇଁ ୩ଟି କାଉଣ୍ଟର ବାସ୍କେଟବଲ ପଡ଼ିଆ ନିକଟରେ ଖୋଲାଯିବ । ଏଠି ଦୁଇଟି ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର ରହିବ । ସେହିଭଳି ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ, ନିଉ ପ୍ୟାଭିଲିଅନ୍ ଓ କର୍ପୋରେଟ୍ ବକ୍ସ ଇତ୍ୟାଦି ପାଇଁ ହର୍ସ ଗେଟ୍ ନିକଟରେ ବିକ୍ରି ହେବ । ଏଠାରେ ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର ରହିବ । କାଉଣ୍ଟର ଗୁଡ଼ିକରେ ଅଧିକ ବ୍ୟାରିକେଡ୍ ସହିତ ଯେଭଳି ଟିକେଟ କଳାବଜାରି ନହୁଏ ସେଥିପାଇଁ ପ୍ରାୟ ୫୦ ସିସି କ୍ୟାମେରା ଲାଗିବ । ଏହି କ୍ୟାମେରା ଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ କରାଯିବ । ଏଥିରେ ଗୋଟିଏ ଦମକଳ ଗାଡ଼ି ରହିବ ।

.ଗ୍ୟାଲେରୀ ଟିକେଟ୍ ପାଇଁବାସ୍କେଟବଲ୍ ପଡ଼ିଆପାଖରେ ୩ କାଉଣ୍ଟର

. ହର୍ସଗେଟ୍ ପାଖରେ ମିଳିବ ୬ ହଜାରରୁ ୨୦ହଜାର ମୂଲ୍ୟର ଟିକେଟ୍

. ସୁରକ୍ଷାରେ ୪୦ ପ୍ଲାଟୁନ୍‌ଫୋର୍ସ, ୧୫୦ ଅଫିସର,୫୦ ସିସି କ୍ୟାମେରା

କହି ରଖୁଛୁ କି, ୧ ତାରିଖରେ ଅନଲାଇନ୍‌ରେ ଟିକେଟ୍ ବିକ୍ରି ହୋଇଥିଲା । ସାଇଟ୍‌ ଖୋଲୁ ଖୋଲୁ ଆଖି ପିଛୁଳାକେ ସରିଗଲା ଟିକେଟ୍ । ୪୫ ମିନିଟ୍‌ରେ ୨ ହଜାର ଅନଲାଇନ ଟିକେଟ୍ ବୁକିଂ ହୋଇଯାଇଥିଲା । ଆସନ୍ତା ୫ ତାରିଖରେ କାଉଣ୍ଟର ବିକ୍ରିକୁ ଅପେକ୍ଷା କରିଛନ୍ତି ଦର୍ଶକ । ଶାନ୍ତି ଶୃଙ୍ଖଳାରେ କିପରି ଟିକେଟ୍ ବିକ୍ରି ହେବ ସେ ଦିଗରେ ଅଧିକ ଗୁରୁତ୍ୱ ଦେବ କମିଶନରେଟ୍ ପୁଲିସ୍ ।