ବୌଦ୍ଧ,୨୦/୫ (ଆପ୍ର): ମହାନଦୀ ବନ୍ୟପ୍ରାଣୀ ନୟାଗଡ ବନଖଣ୍ଡ ଅଧୀନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜରେ ଆରମ୍ଭ ହୋଇଛି ବାଘ ଗଣନା। କୁଶଙ୍ଗ ରେଞ୍ଜର ୧୧ଟି ବିଟରେ ଗତକାଲି ଠାରୁ ବାଘ ଗଣନା ଆରମ୍ଭ ହୋଇଥିବା କୁଶଙ୍ଗ ରେଞ୍ଜର ସଂସାର ବର୍ଗିଆ ପ୍ରକାଶ କରିଛନ୍ତି। ସୂଚନା ମତେ, ବୌଦ୍ଧ ଜିଲ୍ଲା କୁଶଙ୍ଗ ବନାଞ୍ଚଳର ୩ଟି ସେକ୍ସନର ୧୧ଟି ବିଟରେ ବାଘ ଗଣନା ଜାରି ରହିଛି। କୁଶଙ୍ଗ, କୁମାରୀ, ଅତଲସରା, ଶୀତଳପାଣି, ସୁନଖଣୀଆ, ମାରଡା, ପଦ୍ମତୋଳା,ନୂଆପଡ଼ା, ଶ୍ରୀପଜୁ,ହିନ୍ଦୋଳ,ନନ୍ଦନ ଆଦି ୧୧ଟି ବିଟରେ ହେଉଛି ଗଣନା।
ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲାଗିବା ସହ ବିଭିନ୍ନ ଟିମ୍ ଗଠନ ହୋଇଛି। ସମୁଦାୟ ୩୩ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗୋଟିଏ ଟିମରେ ତିନି ଜଣ ଲେଖାଏଁ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ଗଣନା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ମାଂସାସୀ ପ୍ରାଣୀଙ୍କ ଗଣନା କାର୍ଯ୍ୟ ଚାଲିବାକୁ ଥିବା ବେଳେ ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତୃଣଭୋଜି ପ୍ରାଣୀଙ୍କ ଗଣନା ହେବବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରଥମ ୩ ଦିନ ଗଣନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। ଏଥିରେ ମାଂସାସୀ ପ୍ରାଣୀଙ୍କ ପାଦ ଚିହ୍ନ,ରାମ୍ପୁଡା ଚିହ୍ନ ଉପରେ ନିରୀକ୍ଷଣ କରାଯାଉଛି। ପ୍ରାକ୍ ମୌସୁମୀ ଅର୍ଥାତ୍ ମୌସୁମୀ ପୂର୍ବ ଏବଂ ମୌସୁମୀ ପରବର୍ତ୍ତୀ ସମୟରେ ଏହାର ଗଣନା କରାଯାଇ ଥାଏ। ରେଞ୍ଜରେ ମହାବଳ ବାଘ ନଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। କେବଳ କଲରା ପତରିଆ ବାଘ ଥିବା ଅନୁମାନ କରାଯାଉଛି। ହେଲେ କେତେ ବାଘ ଅଛନ୍ତି ଗଣନା ପରେ ଜଣା ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଭିନ୍ନ ସମୟରେ ଜଙ୍ଗଲ ମଧ୍ୟରେ ଶିକାରୀଙ୍କ ପାଦ୍ରୁଭାବ ବୃଦ୍ଧି ପାଇବା ସାଙ୍ଗକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଘ ଛାଲ ମଧ୍ୟ ଜବତ ହେଉଛି।