ବାରିପଦା,୧୬/୦୭: ଶିମିଳିପାଳ ୱାଇଲଡ ଲାଇଫ ଇଣ୍ଟେଲିଜେନ୍ସ ନେଟ ୱାର୍କର ସକ୍ରିୟତା ଯୋଗୁଁ ୩ ବାଘଛାଲ ଜବତ ହେବା ସହିତ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗରଫ ଅଭିଯୁକ୍ତ ମାନେ ହେଲେ ବଡ଼ସାହି ଥାନାର ଚନ୍ଦନଚତୁରି ଗ୍ରାମର ରାଇସେନ୍ ଚାପେୟାର, ପାଉଁଶିଆ ଗ୍ରାମର ମନୋରଞ୍ଜନ ଟିପିରିଆ ଓ ଗୁରୁପ୍ରସାଦ ପାତ୍ର, ଖୁଣ୍ଟା ଥାନା ଅନ୍ତର୍ଗତ କୁଆଁରପାଳ ଗ୍ରାମର ସେର୍ମାସିରି ସୋରେନ, ଉଦଳା ଥାନା ଅନ୍ତର୍ଗତ କୁଟଲିଙ୍ଗ ଗ୍ରାମର ଚଂପାଇ ମୁର୍ମୁ, ବାଲେଶ୍ଵର ଜିଲ୍ଲାର ସୁନାରାମ ହେମ୍ବ୍ରମ, ନିଳିଗିରି ଥାନା ଅଂଚଳର ତେଣ୍ଡା ଗ୍ରାମର ଆମର କୁମାର ସିଂ। ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଗିରଫ କରିବା ପାଇଁ ଅପରେସନ ଜାରି ରହିଛି ।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ଡିଭିଜନର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡାଙ୍କ ସୂଚନା ମୁତାବକ, ଧନୀ ହେବା ପାଇଁ ତନ୍ତ୍ର ମନ୍ତ୍ର କରିବାକୁ ବାଘ ଛାଲ ଘରେ ରଖିଥିବା ନେଇ ଖବର ମିଳିବା ପରେ ଏହା ଉପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । ଜଣେ ପୂଜା କରିବାକୁ ବାଘଛାଲ ଘରେ ରଖି ଧରା ପଡ଼ିବା ପରେ ପଚରା ଉଚରାରୁ ପୁଣି ମିଳିଲା ଆଉ ୨ଟି ବାଘ ଛାଲ । ବାଲେଶ୍ଵରରୁ ମୟୂରଭଞ୍ଜ ଦେଇ ସୁନ୍ଦରଗଡ଼ ପୁଣି ପଡୋଶୀ ଛତିଶଗଡ ଯାଏଁ ଚୋରା ବାଘ ଛାଲ ବେପାରର ଚେର ଲମ୍ବିଛି ବୋଲି ସମ୍ରାଟ ଗୌଡା ସୂଚନା ଦେଇଛନ୍ତି । ଗତ ସୋମବାରରୁ ବାଘ ଛାଲ ମାମଲାରେ ବିଭାଗ ଗୋଟିଏ ପରେ ଗୋଟିଏ ସ୍ଥାନରେ ଛଡାଉ କରି ୩ଟି ବାଘଛାଲ ସହିତ ୭ ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍କୁଲ ଶିକ୍ଷକ ଥିବା ବେଳେ ଜଣେ ତନ୍ତ୍ର ସାଧକ ମଧ୍ୟ ସାମିଲ ଥିବା କୁହାଯାଇଛି ।
ସୂଚନା ମୁତାବକ, ବାଘ ଛାଲ ଓ ତନ୍ତ୍ର ପୂଜା ସମ୍ପର୍କରେ ଶିମିଳିପାଳ ଟାଇଗର ରିଜର୍ଭ ଓ ବାରିପଦା ବନଖଣ୍ଡର ମିଳିତ ଭାବେ ମୟୂର ଭଞ୍ଜ ଜିଲ୍ଲାର ଉଦଳା, କପ୍ତିପଦା, ବେତନଟୀ, ବଡ଼ସାହି, ଡୁକୁରା ଓ ଖୁଣ୍ଟା ରେଞ୍ଜର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ପରେ ଗୋଟି ଗୋଟି କରି ତଥ୍ୟ ସାମ୍ନାକୁ ଆସିଥିଲା । ବଡ଼ସାହିର ଜଣେ ବ୍ୟକ୍ତି ପୂଜା କରିବା ପାଇଁ ଘରେ ରଖିଥିବା ବାଘଛାଲ ଜବତ କରିବା ପରେ ତାଙ୍କୁ ପଚରା ଉଚରା କରି ଉଦଳା ଓ ଖୁଣ୍ଟାରେ ଆଉ ୨ଟି ବାଘ ଛାଲ ଥିବାର ଜାଣିଥିଲା ବନବିଭାଗ । ତୁରନ୍ତ ବିଳମ୍ବିତ ରାତିରେ ସେହି ସ୍ଥାନରେ ଚଢାଉ କରି ଆଉ ୨ଟି କଲରା ପତରିଆ ବାଘ ଛାଲ ଜବତ କରିବା ସହିତ ଅନ୍ୟ ୭ ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି ବିଭାଗ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବଡ଼ସାହିର ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ସହିତ ଜଣେ ବେପାରୀ, ବାଲେଶ୍ଵର ଜିଲ୍ଲାର ୨ଜଣ ବେପାରୀ ଏବଂ ଉଦଳା ରେଞ୍ଜ ଅଞ୍ଚଳର ୩ ଜଣ ରହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।
ଜବତ ଛାଲ ଗୁଡ଼ିକର ଅବସ୍ଥା ଦେଖି ସେଗୁଡିକ ବହୁ ଦିନ ପୁରୁଣା ହୋଇଥିବା ସହିତ ଛତିଶଗଡ଼ରୁ ଆସିଥିବା ନେଇ ସନ୍ଦେହ କରୁଛି ବନ ବିଭାଗ। ପୁରା ଘଟଣା ବାବଦରେ ଆହୁରି ସ୍ପଷ୍ଟ ହେବାଲାଗି ତଦନ୍ତ ଜାରି ରହିଛି ଏବଂ ଏହି ଘଟଣାରେ ଆଗକୁ ଆହୁରି ଅଧିକ ଚୋରା ବେପାରୀ ଗିରଫ ହେବେ ବୋଲି ସୂଚନା ଦିଆଯାଇଛି . ଏହି ବାଘ ଛାଲ ଗୁଡିକର ସଠିକ ମୂଲ୍ୟ ଅକାଳନ କରିବା ମୁସ୍କିଲ ବୋଲି କୁହାଯାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏହା ଦୁର୍ମୁଲ୍ୟ ବୋଲି ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବାରିପଦା ଡ଼ିଏଫ ଓ ଏ ଉମା ମହେଶ, ଏସି ଏଫ ମେହେରବାନ ଅଲ୍ଲୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।