ଭୁବନେଶ୍ୱର/ବାରିପଦା ୨୭/୦୪: ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ।

ବନ ବିଭାଗ ସୂତ୍ରରୁ ପ୍ରକାଶ, ମହାବଳଟିର ବୟସ ପ୍ରାୟ ୪-୫ ବର୍ଷ ହେବ । ମେଲାନିଷ୍ଟିକ୍ ପ୍ରଜାତିର ନୁହଁ । ଅଗଷ୍ଟ-ସେପ୍ଟେମ୍ବର ମାସରେ ଛତିଶଗଡ଼ ପଟୁ ଓଡିଶା ସୀମା ଡେଇଁ ସୁନ୍ଦରଗଡ଼, ବଣାଇ ଜଙ୍ଗଲରେ ପାଦ ଥାପିଥିଲା । ପରେ ବାମରା-ଗଙ୍ଗପୁର ଜଙ୍ଗଲ ଦେଇ ଦେବଗଡ଼, କାମାକ୍ଷାନଗର ଓ କେନ୍ଦୁଝର ଜଙ୍ଗଲରେ ବୁଲିଲା । ଡିସେମ୍ବର ମାସରେ ଶିମିଳିପାଳରେ ପଶିଥିଲା । ସେହି ମାସ ୨୪ ତାରିଖରେ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରା ପ୍ରଥମଥର ପାଇଁ ଏହି ମହାବଳର ଭିଡିଓ ଉତ୍ତୋଳନ କରିଥିଲା । ବାଘଟି ୫ ମାସ ଭିତରେ ଶିମିଳିପାଳ (ଉତ୍ତର)ର ଘଞ୍ଚ ଜଙ୍ଗଲକୁ ନିଜ ବାସସ୍ଥାନ ବୋଲି ବାଛି ସାରିଲାଣି ।

​​​​​​​

ଏହି ହୃଷ୍ଟପୁଷ୍ଟ ମହାବଳଟି ମହାରାଷ୍ଟ୍ରର ତଡ଼ଭା-ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପର । ସେଠାରେ ରହୁଥିବା ବାଘୁଣୀ ‘ଜିନ୍ନତ’ ପ୍ରେମରେ ବାଉଳା ହୋଇ ଏଠାକୁ ଆସିଥାଇପାରେ । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା । ଜିନ୍ନତ ପ୍ରଥମେ ନିଜକୁ ଖାପଖୁଆଇ ପାରିଲାନି । ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହେଲା । ଦୀର୍ଘ ମାସେ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲିଲା । ବହୁ କଷ୍ଟରେ ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଓଡିଶା ଅଣାଗଲା । ଗତବର୍ଷ ଏପ୍ରିଲ ମାସରେ ଯମୁନାଗଡ଼ସ୍ଥିତ ସ୍ୱତନ୍ତ୍ର ଏନ୍‌କ୍ଲୋଜରରୁ ମୁକୁଳିଛି ଜିନ୍ନତ । ଏବେ ଶିମିଳିପାଳର ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି ।

ବାଘ-ବାଘୁଣୀ ଉଭୟଙ୍କ ବୟସ ସମାନ । ଉଭୟେ ମଧ୍ୟ-ଭାରତୀୟ ବ୍ୟାଘ୍ର ଲ୍ୟାଣ୍ଡସ୍କେପ୍‌ରେ ରହୁଥିଲେ । ୨୦୨୪ ଶେଷ ବେଳକୁ ପରସ୍ପରଠାରୁ ଅଲଗା ହୋଇଥିଲେ । ଏବେ ଉଭୟେ ଘଞ୍ଚ ଶିମିଳିପାଳର ଆଖପାଖ ଏରିଆରେ ରହୁଛନ୍ତି । ଜିନ୍ନତର ବେକରେ ରେଡିଓ କଲାର ବନ୍ଧାଯାଇଥିବାରୁ ଲୋକେସନ ଟ୍ରାକିଂ କରାଯାଇ ପାରୁଛି । କିନ୍ତୁ ମହାରାଷ୍ଟ୍ରର ଯୁବ ମହାବଳର ଠିକଣା ଜଣାପଡୁନାହିଁ । ଟ୍ରାପ୍ କ୍ୟାମେରାରୁ ଗତିବିଧି ଉପରେ ନଜର ରଖାଯାଉଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏ ନେଇ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ଓଡିଶା ଜଙ୍ଗଲରେ ବାଘ ବସବାସ ପାଇଁ ପରିବେଶ ଅନୁକୂଳ ଅଛି । ଜୈବ ବିବିଧତା ଭରା ଶିମିଳିପାଳ ଦୂର ଅଞ୍ଚଳର ବନ୍ୟଜନ୍ତୁଙ୍କୁ ଆକର୍ଷିତ କରୁଛି । ଏହି ଯୁବ ବାଘଟି ସୁସ୍ଥ ଓ ସୁରକ୍ଷିତ ଅଛି । ୫ ମାସ ଭିତରେ ଶିମିଳିପାଳ ଛାଡିବାକୁ ମନସ୍ଥ କରିନାହିଁ । ଯାହାକି, ଶୁଭ ସଙ୍କେତ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନି କହିଛନ୍ତି, ଡିସେମ୍ବର-ଜାନୁଆରୀରେ ଏକ ରୟାଲ ବେଙ୍ଗଲ ବାଘ ଶିମିଳିପାଳରେ ପ୍ରବେଶ କରିଛି । ବାଘ ଗଣନା ପାଇଁ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରାରେ ବାଘଟିର ଗତିବିଧି କଏଦ୍ ହୋଇଛି । କେଉଁ ରାଜ୍ୟରୁ ଆସିଛି? କେତେ ଦୂର ଅତିକ୍ରମ କରିଛି? ତାହା ଆକଳନ କରିବା ମୁସ୍କିଲ । ସୁରକ୍ଷା ଦୃଷ୍ଟିରୁ ତା’ର ଠିକଣା କୁହାଯାଉନି ।

ଆହୁରି ପଢ଼ନ୍ତୁ...ଅସହ୍ୟ ତାତି : ଝାରସୁଗୁଡାରେ ତାପମାତ୍ରା ୪୪.୮ ଡିଗ୍ରୀ