ନୂଆଦିଲ୍ଲୀ,୨୯/୧୨:  ପଶ୍ଚିମବଙ୍ଗରେ ମରାଠାରେ  ବୁଲୁଛି ବାଘୁଣୀ ଜିନ୍ନତ। ୩-୪ଦିନ ହେବ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ରାଇକିଆ ପାହାଡ଼ ଗୁମ୍ଫାରେ ଜିନ୍ନତ ଲୁଚି ରହିଥିବା ଜଣାପଡ଼ିଛି । ଶୁକ୍ରବାର ଜିନ୍ନତ ଉକ୍ତ ଗୁମ୍ଫାରୁ ବାହାରି ସ୍ଥାନୀୟ ମନବଜାର ଫରେଷ୍ଟ ବ୍ଲକ ଅଞ୍ଚଳରେ ଥିବା ଏକ ବାଉଁଶ ବୁଦା ଓ ଡ୍ୟାମ୍‌ ଏରିଆରେ ବୁଲୁଥିବା ଲୋକେ ଦେଖିଥିଲେ । ଖବର ପାଇ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ୪ଟି ଟ୍ରାଙ୍କୁଲାଇଜ୍‌ ଟିମ୍‌ ଜିନ୍ନତ ପଛରେ ପଡ଼ିଥିଲେ । ଗତକାଲି ରାତିରୁ ଶନିବାର ଦିନ ତମାମ ଜିନ୍ନତକୁ ଧରିବା ପାଇଁ ଟ୍ରାଙ୍କୁଲାଇଜ୍‌ ଟିମ୍‌ କୌଶଳ ଲଗାଇଥିଲେ । ଶନିବାର ଦିନସାରା ଏକାଧିକ ବାର ଟ୍ରାଙ୍କୁଲାଇଜ୍‌ କରିବାକୁ ଚେଷ୍ଟା କରା ଯାଇଥିଲା । ମାତ୍ର ବିଫଳ ହୋଇଥିଲେ ଉକ୍ତ ଟିମ୍‌ । 

ସୂଚନା ମୁତାବକ, ବାଉଁଶବୁଦାରେ ବାଘକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ । ଖବର ପାଇ ତତ୍ପର ହୋଇଥିଲା ବନବିଭାଗ । ଶୁକ୍ରବାର ରାତିସାରା ଏକ ନାଇଟ୍‌ଭିଜନ ଡ୍ରୋନ୍‌ ଛଡ଼ା ଯାଇଥିଲା । ହେଲେ ଡ୍ରୋନ୍‌ରେ ବାଘୁଣୀକୁ ଦେଖିପାରିନଥିଲା ବିଭାଗ । ଏହାଛଡ଼ା ବିଭାଗୀୟ କର୍ମଚାରୀମାନେ ଜାଲ ପକାଇ ବାଘୁଣୀକୁ ଧରିବେ ବୋଲି ଛକି ବସିଥିଲେ । ହେଲେ ତାହା ବି ଫେଲ୍‌ ମାରିଛି । ଏପଟେ ଗାଁର ୨ରୁ ୩ଟି ଛେଳି ସହ କିଛି ଗୋରୁଙ୍କୁ ଜିନ୍ନତ ଆକ୍ରମଣ କରିବାକୁ ଚେଷ୍ଟା କରିଛି । କିଛି ଗୋରୁ ଆହତ ହୋଇଛନ୍ତି । ବାଘୁଣୀ ଦେଖିବା ପରେ ସନ୍ଧ୍ୟା ହେଉ ହେଉ ଘରେ ତାଟି କବାଟ ପଡ଼ିଯାଉଛି । ଜଙ୍ଗଲକୁ ନଯିବା ପାଇଁ ବନବିଭାଗ ବାରମ୍ବାର ପ୍ରଚାର ମଧ୍ୟ କରୁଛି । ଏବେବି ପଶ୍ଚିମବଙ୍ଗ ଓଡ଼ିଶାର ଟ୍ରାଙ୍କୁଲାଇଜ୍‌ ଟିମ୍‌ ବାଘର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ପିସିସିଏଫ୍‌ ବନ୍ୟପ୍ରାଣୀ ପ୍ରକାଶ କୁମାର ଝା କହିଛନ୍ତି, ପୂର୍ବରୁ ଜିନ୍ନତ ରାଇକିଆ ପାହାଡ଼ର ଗୁମ୍ଫାରେ ଲୁଚିଥିଲା । ବର୍ତ୍ତମାନ ସେ ଏକ ପୁରୁଲିଆ ଜିଲ୍ଲାର ଡ୍ୟାମ୍‌ ସ୍ଥାନରେ ବୁଲୁଛି । ଯେହେତୁ ଏହା ଖୋଲା ଅଞ୍ଚଳ । ତେଣୁ ଖୁବଶୀଘ୍ର ତାକୁ ଟ୍ରାଙ୍କୁଲାଇଜ କରାଯାଇ ଶିମିଳିପାଳ ଅଣାଯିବ ।