ନୂଆଦିଲ୍ଲୀ,୨୩/୦୮: ଚୀନର ସର୍ଟ ଭିଡିଓ ଶେୟାରିଂ ଆପ୍ଲିକେସନ ଟିକ୍‌ଟିକ ଉପରେ ଲାଗିଥିବା କଟକଣା ସାମାନ୍ୟ କୋହଳ ହୋଇଛି । ପ୍ରାୟ ୫  ବର୍ଷ ପରେ ଟିକ୍‌ଟକ୍‌ ୱେବସାଇଟକୁ ଘରୋଇ ବଜାରରେ ଅନ୍‌ବ୍ଲକ କରାଯାଇଛି । ଏହାବାଦ ଅନ୍‌ଲାଇନ ସପିଂ ୱେବସାଇଟ ଆଲିଏକ୍ସପ୍ରେସ  ଏବଂ ସିନ୍‌ ୱେବପେଜ ମଧ୍ୟ ଖୋଲୁଛି । ୟୁଜର୍ସ ଏବେ ମୋବାଇଲ ଏବଂ ଲ୍ୟାପଟପ୍‌ରେ ଏହି ପ୍ଲାଟଫର୍ମ  ଗୁଡ଼ିକର ୱେବସାଇଟଗୁଡ଼ିକର ହୋମ୍‌ପେଜକୁ ଖୋଲି ପାରୁଛନ୍ତି । ଅନ୍ୟପଟେ ଟିକଟକ୍‌ ଏବଂ ଆଲିଏକ୍ସପ୍ରେସ ଆପ୍‌ ଏବେ ମଧ୍ୟ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରେ ଉପଲବ୍ଧ ନାହିଁ । ଏହାକୁ ଦେଖିଲେ ଆପ୍‌ଗୁଡ଼ିକ ଏବେ ମଧ୍ୟ ବ୍ଲକ ହୋଇ  ରହିଛି । 

ସିନ୍‌ ଆପ୍‌କୁ ଇନ୍‌ଷ୍ଟାଲ କରାଯାଇପାରିବ । ବ୍ୟାନ ହଟିବା ନେଇ ଟିକ୍‌ଟକ୍‌ର ମୂଳ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ଆପ୍‌ର ପ୍ରତ୍ୟାବର୍ତ୍ତନ କିମ୍ବା ୱେବସାଇଟ ଖୋଲିବା କାରଣ  ନେଇ କମ୍ପାନି ଏବେ ଯାଏ କିଛି କହିନି । ଏହା ଖୋଲିବା ନେଇ ମଧ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ  ମିଳିପାରିନାହିଁ । 

ଉଲ୍ଲେଖଯୋଗ୍ୟ, ଗଲୱାନ ଘାଟିରେ  ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା  ମୁହାଁମୁହିଁ ସ୍ଥିତି ଯୋଗୁ ୨୦୨୦ରେ କେନ୍ଦ୍ର ସରକାର ଡିଜିଟାଲ ଷ୍ଟ୍ରାଇକ କରି ୫୦୦ ଚୀନ ଆପ୍ଲିକେସନ  ଓ ୱେବସାଇଟ ଗୁଡ଼ିକ ଉପରେ ନିଷେଧାଦେଶ  ଜାରି କରିଥିଲେ । ଜାତୀୟ ସୁରକ୍ଷା ପ୍ରତି ବିପଦକୁ  ଧ୍ୟାନରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲେ କେନ୍ଦ୍ର ସରକାର।