ନୂଆଦିଲ୍ଲୀ: ପ୍ରାୟ ୫ ବର୍ଷ ପରେ ଚୀନର ଭିଡିଓ ସେୟାରିଂ ପ୍ଲାଟଫର୍ମ TikTok ଭାରତରେ ସକ୍ରିୟ ହୋଇଛି । ଅନେକ ବ୍ୟବହାରକାରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସେମାନେ ୱେବସାଇଟରେ ଟିକଟକ୍‌ ଚଲାଇ ପାରୁଛନ୍ତି । କିନ୍ତୁ ଟିକଟକ୍‌ ପୁଣି ଥରେ ଭାରତକୁ ଫେରିବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଯଦି ଏହା ହୁଏ, ତେବେ ପୁରୁଣା ଟିକଟକ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସିର ବିଷୟ ହେବ । ସେପଟେ ଏନେଇ ଟିକଟକ୍‌ର କମ୍ପାନୀ ବାଇଟ୍‌ ଡ୍ୟାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, କିଛି ଉପଭୋକ୍ତା ଟିକଟକ୍‌ ୱେବସାଇଟରେ କାମ କରୁଛି ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି । ସେପଟେ କିଛି ଲୋକ କହିଛନ୍ତି ଯେ, ସେମାନେ ୱେବସାଇଟରେ ମଧ୍ୟ ଟିକଟକ୍‌ ଚଳାଇ ପାରୁନାହାନ୍ତି । କିଛି ଉପଭୋକ୍ତା ଅଛନ୍ତି ଯେଉଁମାନେ ସବ୍-ପେଜ୍ ଖୋଲି ପାରୁନାହାନ୍ତି । ଏପରି ଅନୁମାନ କରାଯାଉଛି ଯେ, ଟିକଟକ୍‌ ପର୍ଯ୍ୟାୟକ୍ରମେ ଫେରି ଆସିପାରେ।

ଉଲ୍ଲେଖନୀୟ ଯେ, ୱେବସାଇଟ୍ କିଛି ଉପଭୋକ୍ତାଙ୍କ ପାଇଁ ଖୋଲୁଛି, କିନ୍ତୁ ଟିକ୍‌ଟକର ମୋବାଇଲ୍ ଆପ୍ ଏବେ ବି ଭାରତରେ ଉପଲବ୍ଧ ନାହିଁ । ଟିକଟକ୍‌ ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରେ ଡାଉନଲୋଡ୍ ପାଇଁ ଉପଲବ୍ଧ ନାହିଁ । ଏହାର ଅର୍ଥ ହେଉଛି, TikTok ର ସମ୍ପୂର୍ଣ୍ଣ ଭାବରେ ଫେରିବା ପାଇଁ ଆମକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ ।

୨୦୨୦ ମସିହାରେ ଭାରତ ସରକାର ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ଦର୍ଶାଇ ଟିକଟକ୍‌ ସମେତ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଗାଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଥିଲା ଯେ, ଏହି ଆପଗୁଡ଼ିକ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପ୍ରତି ବିପଦ । ଟିକଟକ ବ୍ୟତୀତ ସେୟାରଇଟ୍, ଏମଆଇ ଭିଡିଓ କଲ୍, କ୍ଲବ୍ ଫ୍ୟାକ୍ଟ୍ରି ଏବଂ କ୍ୟାମସ୍କାନର୍ ଭଳି ଆପ୍ ମଧ୍ୟ ଏହି ପ୍ରତିବନ୍ଧକ ପରିସରଭୁକ୍ତ ହୋଇଥିଲା। ଏହି ପ୍ରତିବନ୍ଧକ ଜୁନ୍ ୨୦୨୦ ରୁ ଲାଗୁ ହୋଇଥିଲା।