ନୂଆଦିଲ୍ଲୀ, ୧୧।୪: ସାଧାରଣତଃ ମହିଳାଙ୍କ କ୍ଷେତ୍ର ଏକ ମାସରେ ଥରେ ଋତୁସ୍ରାବ ହୋଇଥାଏ ଯାହା ୪ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ । କିଛି କ୍ଷେତ୍ରରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । କାହାର ଋତୁସ୍ରାବ ବହୁତ ଦିନ ପାଇଁ ବନ୍ଦ ହୋଇଯାଉଥିବା ବେଳେ କାହାର ଅଧିକ ଦିନ ଲଗାତାର ରକ୍ତସ୍ରାବ ହେବାର ଦେଖାଯାଏ । ହେଲେ ବର୍ତ୍ତମାନ ଏକ ଘଟଣା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି । ଆମେରିକାର ଜଣେ ମହିଳାଙ୍କର ଅନେକ ଦିନ ଧରି ଋତୁସ୍ରାବ ହେଉଛି । ୧୦ କି ୧୫ ଦିନ ନୁହେଁ, ହଜାର ଦିନ ଧରି ମହିଳାଙ୍କର ଋତୁସ୍ରାବ ହେଉଥିବା ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ଗତ ହଜାର ଦିନ ଧରି ସେ ଋତୁସ୍ରାବ କଷ୍ଟ ଭୋଗୁଛନ୍ତି । 

ମହିଳା ଜଣକ ଏହି ସମସ୍ୟାର କାରଣ ଜାଣିବା ପାଇଁ ଅନେକ ଡାକ୍ତରଙ୍କ ପାଖରେ ବିଭିନ୍ନ ପ୍ରକାରର ପରୀକ୍ଷା କରାଇବା ପରେ ମଧ୍ୟ ରୋଗର ସଠିକ୍ କାରଣ ଏବେ ଯାଏଁ ଜଣାପଡ଼ିନଥିବା ସେ କହିଛନ୍ତି । ତେବେ ଏହି ପରୀକ୍ଷା ସମୟରେ ତାଙ୍କୁ ବିରଳ ରୋଗ ବାଇକ୍ରୋନ୍ୟୁଏଟ୍ ୟୁଟ୍ରସ୍ ହୋଇଥିବା ଜଣାପଡ଼ିଛି । ହେଲେ କେବଳ ଏହି କାରଣ ପାଇଁ ତାଙ୍କର ଏତେ ଦିନ ଧରି ଋତୁସ୍ରାବ ହେଉଛି ବୋଲି ତାହା ସ୍ପଷ୍ଟ ହୋଇନାହିଁ । ଡାକ୍ତରମାନେ ଏବେ ମଧ୍ୟ ଏହା ପଛର କାରଣ ଖୋଜୁଥିବା ସେ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ସେ ଟିକଟକ ଆକାଉଣ୍ଟ ପପି ଦ ପ୍ଲାଣ୍ଟ ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ସାହାଯ୍ୟ ଲୋଡ଼ିଛନ୍ତି । ଯଦି କେହି ଏହି ସମସ୍ୟାର ସାମାଧାନ ଜାଣିଥିବେ, ତେବେ ତାଙ୍କୁ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କର ବର୍ତ୍ତମାନର ଦିନଗୁଡ଼ିକ ଖୁବ୍ କଷ୍ଟରେ ବିତୁଥିବା ସେ ନିଜ ପୋଷ୍ଟରେ କହିଛନ୍ତି ।