ଚେନ୍ନାଇ,୨୬/୦୧: ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ଚେନ୍ନାଇର ଚିପକରେ ଖେଳାଯାଇଥିଲା । ଯେଉଁଥିରେ ୨ ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଯୁବ ଭାରତୀୟ ଦଳ । ୫ ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଚି ସିରିଜ ବର୍ତ୍ତମାନ ୨-୧ ସ୍ଥିତିରେ ରହିଛି । ଏହି ମ୍ୟାଚରେ ହିରୋ ସାଜିଥିଲେ ତିକଲ ବର୍ମା । ଇଂଲଣ୍ଡଠୁ ମ୍ୟାଚ ଛଡାଇଆଣି ଭାରତକୁ ବିଜୟ ତିଳକ ପିନ୍ଧାଥିଲେ ତିଲକ ବର୍ମା । ଅପରାଜିତ ୫୫ ବଲରେ ୭୨ରନର ଦମଦାର ପାଳି ଖେଳି ଇତିହାସ ରଚିଛନ୍ତି । ଏହା ସହିତ ଇଂଲଣ୍ଡ ବିପକ୍ଷରେ ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ବିରାଟ କୋହଲିଙ୍କୁ ଟପିଛନ୍ତି ।
ଚିପକରେ ଖେଳାଯାଇଥିବା ମ୍ୟାଚରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ ଆଉଟ ହେବା ପରେ ଦଳର ଭାର ଉଠାଇଥିଲେ ତିଲକ ବର୍ମା । ୫୫ ବଲରୁ ଅପରାଜିତ ରହି ଦମଦାର ୭୨ରନର ପାଳି ଖେଳିଥିଲେ । ଲଗାତାର ନଟଆଉଟ ରହି ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ସ୍କୋର କରିବାରେ ଭାରତ ତଥା ବିଶ୍ବର ନମ୍ବନ ୱାନ ବ୍ୟାଟର ହୋଇଛନ୍ତି ତିଲକ ବର୍ମା । ଏହା ସହ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ୪ ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟ ଇନିଂସରେ ନଟ୍ ଆଉଟ୍ ରହି ସର୍ବାଧିକ ୩୧୮ ରନ କରିଥିବା ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି । ଏହା ପୂର୍ବରୁ ବିରାଟ କୋହଲି (୨୮୫), ସଞ୍ଜୁ ସାମସନ (୨୫୭), ରୋହିତ ଶର୍ମା (୨୫୩) ଏବଂ ଶିଖର ଧାୱନ (୨୫୨) ରନ କରିଥିଲେ ।
ବାମହାତୀ ବ୍ୟାଟର ତିଲକ ବର୍ମା ବିସ୍ଫୋରକ ଇନିଂସ ଖେଳି ଇଂଲଣ୍ଡ କବଜାରୁ ମ୍ୟାଚ ଛଡାଇ ଆଣିଥିଲେ । ପୂର୍ବ ୩ଟି ଟି-୨୦ ଇନିଂସରେ ଅପରାଜିତ ୧୯, ୧୨୦ ଏବଂ ୧୦୭ରନ କରିଥିଲେ । ଏହା ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନଙ୍କ ନାମରେ ରହିଥିଲା । ସେ ନଟଆଉଟ ରହି ସର୍ବାଧିକ ୨୭୧ ରନ କରିଥିଲେ ।
ଏହା ବି ପଢନ୍ତୁ...ଟି-ଟ୍ବେଣ୍ଟି ଫର୍ମାଟରେ ସର୍ବାଧିକ ୱିକେଟ ଟେକର ଅର୍ଶଦୀପ, ଚହଳଙ୍କୁ ପଛରେ ପକାଇଲେ
ଜାନୁଆରୀ ୨୨ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । କୋଲକାତାର ଇଡେନ ଗାର୍ଡେନରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ୭ ୱିକେଟରେ ଦମଦାର ବିଜୟ ହାସଲ କରିଥିଲା ସୂର୍ଯ୍ୟସେନା । ଏହାପରେ ଚିପକରେ ଦ୍ବିତୀୟ ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ୨ ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ୨୮ ତାରିଖରେ ରାଜକୋଟରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।