ଜଗତସିଂହପୁର,୧୨/୦୫: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେଡି  ସଙ୍ଗଠନରେ ବଡ଼ ବିପର୍ଯ୍ୟୟର  ସଙ୍କେତ ମିଳିଛି । ବିରିଡ଼ି ବ୍ଲକରୁ ନୂତନ ରାଜନୈତିକ ସମୀକରଣର ପରୋକ୍ଷ ଆଭାସ ଦେଇଛନ୍ତି ତିର୍ତ୍ତୋଲ ବିଜେପି  ନେତା ରାଜକିଶୋର ବେହେରା । 

ତିର୍ତ୍ତୋଲର ପୂର୍ବତନ ବିଜେଡି  ବିଧାୟକ ବିଜୟ ଶଙ୍କର ଦାସ ମଧ୍ୟ ବିରିଡ଼ି ବ୍ଲକର  ଅଧିକାଂଶ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଆଗକୁ ବିଜେପିରେ ଯୋଗ ଦେବାକୁ ଚିନ୍ତା କରୁଥିବା  ସ୍ୱୀକାର କରିଛନ୍ତି । ତିର୍ତ୍ତୋଲ ବ୍ଲକରୁ କିଛି ପଞ୍ଚାୟତ  ସ୍ତରୀୟ ଜନପ୍ରତିନିଧି ବିଜେପି ଶିବିରରେ ପାଦ  ରଖିପାରନ୍ତି । ଏହାଛଡ଼ା ଯଦି ଦଳବଦଳ କରିବାକୁ  ଚାହୁଁଥିବା ନେତା ଏବଂ କର୍ମୀମାନେ  ଆନ୍ତରିକ ଇଚ୍ଛା ପ୍ରକାଶ କରନ୍ତି  ତା’ହେଲେ ବିଜେଡି ଛାଡ଼ି ସେ  ମଧ୍ୟ ବିଜେପିରେ ଯୋଗ ଦେବାକୁ  କୁଣ୍ଠାବୋଧ କରିବେନି ବୋଲି  ‘ପ୍ରମେୟ’କୁ କହିଛନ୍ତି ପୂର୍ବତନ ବିଧାୟକ ତଥା  ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର । ଦିବଙ୍ଗତ  ବିଧାୟକ ବିଷ୍ଣୁ ଦାସଙ୍କ ସଙ୍ଗଠନ ଦଳ ଛାଡ଼ିବାକୁ ପାଗ  ଭିଡ଼ିଥିବା ଚର୍ଚ୍ଚାର ପରିଧିକୁ ଆସିଛି । ଏବେ ବିଜେଡି  ସଙ୍ଗଠନକୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ  କିଭଳି ତାଳି ପକାଇବେ ତାହା ଦେଖିବା ବାକି ।