ଅମରାବତୀ, ୨୮।୧୦: ବିମାନ ଓ ହୋଟେଲ ପରେ ଏବେ ଇସ୍କନ ମନ୍ଦିରକୁ ବୋମା ଧମକ । ଆନ୍ଧ୍ରପ୍ରଦେଶରେ ଥିବା ଇସ୍କନ ମନ୍ଦିର ଷ୍ଟାପ୍‌ଙ୍କୁ ବୋମା ଧମକ ନେଇ ମେଲ୍ ଆସିଥିବା ସୂଚନା । ଏଥିସହ ଆହୁରି ୫୦ ବିମାନକୁ ମଧ୍ୟ ବୋମା ଧମକ ମିଳିଛି । ଏଭଳି ଧମକ ମିଳିବା ପରେ ମନ୍ଦିରରେ ସନ୍ଧାନୀ କୁକୁର ସହ ପୋଲିସ ଯାଞ୍ଚ ଚଳାଇଛି । 

ବିମାନକୁ ବୋମା ଧମକ ଥମିବାର ନାଁ ନେଉନାହିଁ । ସୋମବାର ଆଉ ୫୦ ବିମାନକୁ ବୋମା ଧମକ ମିଳିଥିବା ବେଳେ ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତିରେ ଥିବା ଇସ୍କନ ମନ୍ଦିରରେ ରବିବାର ରାତିରେ ଏଭଳି ଧମକ ମିଳିଛି । ତେବେ ଇସ୍କନ ମନ୍ଦିର ଷ୍ଟାପ୍‌ଙ୍କ ଇମେଲ୍‌ରେ ଆସିଥିବା ଏହି ଧମକ ମିଥ୍ୟା ବୋଲି ଜଣାପଡ଼ିଛି । ଅନ୍ୟପଟେ ଗତ ୧୪ ଦିନ ମଧ୍ୟରେ ଦେଶରେ ୩୮୦ରୁ ଅଧିକ ବିମାନକୁ ମିଥ୍ୟା ବୋମା ଧମକ ମିଳିଲାଣି । ଏଥିରୁ ଅଧିକାଂଶ ଧମକ ସୋସିଆଲ ମିଡିଆ ଜରିଆରେ ଆସିଛି । ରବିବାର ଆକାଶ ଏୟାରର ୧୫ଟି ବିମାନକୁ ଏହି ଧମକ ମିଳିଛି । ‌କିନ୍ତୁ, ବିମାନଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯିବା ପରେ ସେଗୁଡ଼ିକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି । 

ସେହିଭଳି ଇ‌ଣ୍ଡି‌ଗୋର ୧୮ଟି ଏବଂ ଭିସ୍ତାରାର ୧୭ଟି ବିମାନକୁ ବୋମା ଧମକ ମିଳିଛି । ବିମାନ ପରେ କିଛି ହୋଟେଲ୍‌କୁ ମଧ୍ୟ ବୋମା ଧମକ ମିଳିଥିଲା । ରବିବାର ଗୁଜରାଟ ରାଜକୋଟର ୧୦, ପଶ୍ଚିମବଙ୍ଗ କୋଲକାତାର ୧୦ ଏବଂ ଆନ୍ଧ୍ରପ୍ରଦେଶ ତିରୁପତିର ୩ଟି ହୋଟେଲକୁ ବୋମା ଧମକ ମିଳିବା ପରେ ଆଜି ଲକ୍ଷ୍ନୌର ୧୦ଟି ବଡ଼ ହୋଟେଲ୍‌କୁ ଧମକ ଦିଆଯାଇଛି । ୫୫ହଜାର ଡଲାର ବଟି ନଦେଲେ ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଲକ୍ଷ୍ନୌର ମାରିଅଟ୍‌, ସାରାକା, ପିକାଡିଲି, କଂଫର୍ଟ ଭିସ୍ତା, ଫର୍ଚ୍ୟୁନ, ଲେମନ ଟ୍ରି, କ୍ଲାର୍କ ଅୱଧ, କାସା, ଦୟାଲ୍‌‌ ଗେଟ୍‌ୱେ, ସିଲଭେଟକୁ ଧମକ ମିଳିଛି । ଧମକ ସୂଚନା ପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ହୋଟେଲ୍‌ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ । ତେବେ ଯାଞ୍ଚରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାପଡ଼ିଛି ।