କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ନେତା ରଜ୍ଜାକ ଖାନଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ସେ ଗୁରୁବାର ରାତିରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗୋରରେ ଥିବା ନିଜ ଘରକୁ ଫେରୁଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ, ଦୁର୍ବୃତ୍ତମାନେ ରାସ୍ତା କଡ଼ରେ ଥିବା ବୁଦାରେ ଲୁଚି ରହିଥିଲେ ଏବଂ ତାଙ୍କୁ ଅପେକ୍ଷା କରିଥିଲେ । ରଜ୍ଜାକଙ୍କ ବାଇକ୍ କାଶୀପୁରର ବିଜୟଗଞ୍ଜରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ବୁଦାରୁ ବାହାରି ତାଙ୍କ ଉପରେ ଗୁଳି ମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଗାଡ଼ିରୁ ତଳେ ପଡ଼ିଯାଇଥିଲେ ରଜ୍ଜାକ । ଏହା ପରେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଘଟଣା ପରେ କୋଲକାତା ପୁଲିସ କମିଶନର ମନୋଜ ବର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ସେ ପ୍ରଥମେ ଅପରାଧୀମାନଙ୍କୁ ଖୋଜିବା ପାଇଁ ସନ୍ଧାନୀ କୁକୁର ନିୟୋଜିତ କରିଥିଲେ । ଏହା ସହ ଘଟଣାସ୍ଥଳକୁ ଘେରାବନ୍ଦୀ କରାଯାଇଛି । ଟିଏମସି ନେତାମାନେ ଦାବି କରିଛନ୍ତି ଯେ, ଏହା ଇଣ୍ଡିଆନ୍ ସେକୁଲାର ଫ୍ରଣ୍ଟ (ISF)ର ଲୋକଙ୍କ କାମ । ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ରଜ୍ଜାକ ଖାନଙ୍କ ହତ୍ୟା ପଶ୍ଚିମବଙ୍ଗ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଫୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକଣ୍ଡରେ କାହାର ହାତ ଅଛି ଜାଣିବାକୁ ସମସ୍ତେ ଚାହିଁ ରହିଛନ୍ତି ।
ତୃଣମୂଳ କଂଗ୍ରେସ ନେତା ରଜ୍ଜାକ ଖାନଙ୍କ ମୃତ୍ୟୁ ଖବର ପାଇ ଟିଏମସି ବିଧାୟକ ଶୋକତ ମୋଲ୍ଲା ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଥିଲେ ଏବଂ ପୁଲିସ ପ୍ରଶାସନକୁ ଯଥାଶୀଘ୍ର ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସେପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ହତ୍ୟା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଗୋଟିଏ ପଟେ ଶୁକ୍ରବାର ମାଲଦାରେ ଟିଏମସି ନେତା ଅବୁଲ କଲାମ ଆଜାଦଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ବେଳେ ଗୁରୁବାର ରାତିରେ ଦକ୍ଷିଣ ୨୪ ପ୍ରଗଣାର ଭାଙ୍ଗର ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ତୃଣମୂଳ ନେତା ରଜ୍ଜାକ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଉଭୟ ହତ୍ୟାକଣ୍ଡକୁ ନେଇ ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।