କୋଲକାତା: ତୃଣମୂଳ କଂଗ୍ରେସ ନେତା ଏବଂ ଚାରି ଥର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ ଏକ ବଡ଼ ସାଇବର ଠକେଇର ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ, ତାଙ୍କର ନିଷ୍କ୍ରିୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଆକାଉଣ୍ଟକୁ ଜାଲ କାଗଜପତ୍ର ବ୍ୟବହାର କରି ପୁନଃସକ୍ରିୟ କରାଯାଇଛି ଏବଂ ପରେ ସେଥିରୁ ୫୫ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଛି । କୋଲକାତାସ୍ଥିତ ଏସବିଆଇର ହାଇକୋର୍ଟ ଶାଖା ସାଇବର ଅପରାଧ ଥାନାରେ ଏକ ଅଭିଯୋଗ ଦାଖଲ କରିଛି । ଏହା ପରେ ତଦନ୍ତ ଆରମ୍ଭ ହୋଇଛି ।
ବ୍ୟାଙ୍କର ଅଭିଯୋଗ ଅନୁଯାୟୀ, ସାଇବର ଅପରାଧୀମାନେ କଲ୍ୟାଣ ବାନାର୍ଜୀଙ୍କ ଫଟୋ ଥିବା ନକଲି ପାନ୍ ଏବଂ ଆଧାର କାର୍ଡ ତିଆରି କରିଥିଲେ। ଏହି ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି, ଅପରାଧୀମାନେ ତାଙ୍କ ପୁରୁଣା ଆକାଉଣ୍ଟର କେଓ୍ବାଇସି ଅପଡେଟ୍ କରିଥିଲେ। ପରବର୍ତ୍ତୀ ସମୟରେ, ଅକ୍ଟୋବର ୨୮ରେ ଆକାଉଣ୍ଟରେ ପଞ୍ଜିକୃତ ମୋବାଇଲ୍ ନମ୍ବର ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଫଳରେ ସେମାନଙ୍କୁ ଆକାଉଣ୍ଟର ନିୟନ୍ତ୍ରଣ ମିଳିଯାଇଥିଲା। ଅଭିଯୋଗ ଅନୁଯାୟୀ, ଆକାଉଣ୍ଟ ବିବରଣୀ ପାଇବା ପରେ ଠକମାନେ ଅନେକ ଅନଲାଇନ୍ ଟ୍ରାଞ୍ଜାକ୍ସନ କରିଥିଲେ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ପ୍ରାୟ ୫୬ ଲକ୍ଷ ୩୯ ହଜାର ୭୬୭ ଟଙ୍କା ଉଠାଇ ନେଇଥିଲେ।
ସାଇବର ଥାନା ଏହି ମାମଲାର ତଦନ୍ତ କରୁଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଉଠାଯାଇଥିବା ଟଙ୍କା ବିଭିନ୍ନ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । ଏଟିଏମରୁ ଟଙ୍କା ଉଠା ଯାଇଛି ଏବଂ ଅଳଙ୍କାର କିଣିବା ପାଇଁ ମଧ୍ୟ ଏହି ଟଙ୍କା ବ୍ୟବହାର କରାଯାଇଛି । କୋଲକାତା ପୁଲିସର ସାଇବର ଅପରାଧ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଆମେ ବ୍ୟାଙ୍କର ଆଭ୍ୟନ୍ତରୀଣ ପ୍ରକ୍ରିୟା ଯାଞ୍ଚ କରୁଛୁ ଏବଂ ଆକାଉଣ୍ଟକୁ କିପରି ଆକ୍ଟିଭେଟ୍ କରାଯାଇଥିଲା ତାହା ଜାଣିବାକୁ ଚେଷ୍ଟା କରୁଛୁ। ଠକମାନଙ୍କୁ ଏବଂ ଟଙ୍କାର କେଉଁଠାକୁ ଯାଇଛି ଜାଣିବାକୁ ପ୍ରୟାସ ଜାରି ରହିଛି।’
କଲ୍ୟାଣ ବାନାର୍ଜୀ ବିଧାୟକ ଥିବା ସମୟରେ ଏହି ଆକାଉଣ୍ଟ ଖୋଲାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ନକଲି KYC ପ୍ରକ୍ରିୟା ସମୟରେ ଅପରାଧୀମାନେ କଲ୍ୟାଣ ବାନାର୍ଜୀଙ୍କ ଫଟୋ ବ୍ୟବହାର କରିଥିଲେ। କିନ୍ତୁ ବ୍ୟବହୃତ ମୋବାଇଲ୍ ନମ୍ବର ତାଙ୍କର ନଥିଲା। ରିପୋର୍ଟ ଅନୁଯାୟୀ, ଏହି ଆକାଉଣ୍ଟ ବହୁ ବର୍ଷ ଧରି ନିଷ୍କ୍ରିୟ ଥିଲା। ୨୦୦୧ ରୁ ୨୦୦୬ ମଧ୍ୟରେ କଲ୍ୟାଣ ବାନାର୍ଜୀ ଆସାନସୋଲ (ଦକ୍ଷିଣ)ର ବିଧାୟକ ଥିବା ସମୟରେ ଏହି ଆକାଉଣ୍ଟ ଖୋଲାଯାଇଥିଲା ଏବଂ ବିଧାୟକ ଭାବରେ ତାଙ୍କର ଦରମା ଏହି ଆକାଉଣ୍ଟରେ ଆସୁଥିଲା। ସେହି ସମୟରୁ ଏହି ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ପୁନଃ ସକ୍ରିୟ କରି ଟଙ୍କା ଉଠାଇ ନେଇଛନ୍ତି ସାଇବର ଠକ ।