ନୂଆଦିଲ୍ଲୀ,୦୯/୧୨; ଲୋକସଭାରେ ଗତକାଲି ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'ର ଉପରେ ବିତର୍କ ହୋଇଥିଲା । ଏଥିରେ ଅଭିଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ 'ଦା' ବନାମ 'ବାବୁ'କୁ ନେଇ ଦ୍ୱନ୍ଦ୍ୱ ଦେଇଖିବାକୁ ମିଳିଥିଲା । ଏହା ଯେତେବେଳେ ଘଟିଲା ପ୍ରଧାନମନ୍ତ୍ରୀ ବନ୍ଦେ ମାତରମ୍ ରଚୟିତା ତଥା କିମ୍ବଦନ୍ତୀ ବଙ୍ଗୀୟ କବି ବଙ୍ଗିମ ଚନ୍ଦ୍ର ଚାଟାର୍ଜୀଙ୍କୁ 'ବଙ୍ଗିମଦା' ବୋଲି ସମ୍ବୋଧନ କରିଥିଲେ । ଏହି ସମୟରେ ତାଙ୍କୁ ରୋକିଥିଲେ ଟିଏମ୍ସି ସାଂସଦ ସୌଗତ ରୟ ।
ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'ର ୧୫୦ତମ୍ ବାର୍ଷିକୀ ଅବସରରେ ଗୀତର ଅବଦାନ ବିଷୟରେ କହିବା ବେଳେ ରଚୟିତା ବଙ୍କୀମ ଚନ୍ଦ୍ର ଚାଟାର୍ଜୀଙ୍କ ବିଷୟରେ କହି ତାଙ୍କୁ 'ବଙ୍ଗିମଦା' ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ମହାନ ଲେଖକଙ୍କୁ ସୂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ 'ଦା' ବ୍ୟବହାର ଉପରେ ଆପତ୍ତି ଉଠାଇଥିଲେ । 'ଦା' ହେଉଛି ଦାଦାର ଏକ ସଂକ୍ଷିପ୍ତ ରୂପ, ଯାହାର ଅର୍ଥ ଭାଇ । ବଙ୍ଗାଳୀମାନେ ସାଧାରଣତଃ ଭାଇ, ବନ୍ଧୁ ଓ ପରିଚିତ ଲୋକଙ୍କୁ ସମ୍ବୋଧନ କରିବାକୁ 'ଦା' ଶଦ୍ଦ ବ୍ୟବହାର କରନ୍ତି । ଟିଏମସି ସାଂସଦ ଅନୁଭବ କରିଥିଲେ ଯେ, ଜଣେ ମହାନ ଲେଖକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ 'ଦା' ଶଦ୍ଦ ବ୍ୟବହାର ଠିକ୍ ନୁହେଁ । ତେଣୁ ସେ ପ୍ରଧାନମନ୍ତ୍ରୀଙ୍କୁ ରୋକି ଥିଲେ ଏବଂ ବଙ୍ଗୀମଦା ନୁହେଁ ବଙ୍ଗୀମବାବୁ କହିବା ଉଚିତ୍ ବୋଲି କହିଥିଲେ ।
ତୁରନ୍ତ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦି ମଜାଳିଆ ଢଙ୍ଗରେ ଏହାର ଉତ୍ତର ଦେଇଥିଲେ । ସେ କହିଥିଲେ, ଆଚ୍ଛା ଠିକ୍ ଅଛି ବଙ୍ଗିମବାବୁ କହିବି ଧନ୍ୟବାଦ, ଧନ୍ୟବାଦ । ମୁଁ ଏଣିକି ବଙ୍ଗିମବାବୁ କହିବି । ଧନ୍ୟବାଦ, ମୁଁ ଆପଣଙ୍କ ଭାବନାକୁ ସମ୍ମାନ କରେ । ଦାଦା ଧନ୍ୟବାଦ । ତୁମକୁ ତ ଦାଦା ଡାକିପାରିବି ନା ? ନହେଲେ ଏଥିରେ ବି ତୁମକୁ ସମସ୍ୟା ହେବ ।'' ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ଗୃହରେ ସମସ୍ତ ହସିବାକୁ ଲାଗିଥିଲେ ।