କୋଲକାତା : ତୃଣମୂଳ କଂଗ୍ରେସରେ ଜାରି ବିଦ୍ରୋହ ମଧ୍ୟରେ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସଦ୍ୟ ଏକ୍ସ ପୋଷ୍ଟ ହଇଚଇ ସୃଷ୍ଟି କରିଛି। ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨ ବର୍ଷ ପୂରଣର ଅବସରରେ, ତାଙ୍କୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ବନ୍ଧୁ ଭାବେ ସମ୍ୱୋଧନ କରିଛନ୍ତି। ପୂରା ଉତ୍ସାହର ସହ ସେ ନିଜର କଥା କହିଛନ୍ତି।
ପିଏମ୍ ମୋଦିଙ୍କ ୧୨ବର୍ଷର କାର୍ଯ୍ୟକାଳର ଉଲ୍ଲେଖ କରି ଶତ୍ରୁଘ୍ନ ସିହ୍ନା ଏକ୍ସ ପୋଷ୍ଟରେ ଲେଖିଛନ୍ତି - ପ୍ରକୃତ ସ୍ପୋର୍ଟସମ୍ୟାନ ସ୍ପିରିଟର ସହ, ଆମର ବନ୍ଧୁ ଓ ସମାଜ / ଦେଶର ଗାଇଡ୍ ମାନନୀୟ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କୁ ପିଏମ ଅଫିସରେ ୧୨ ବର୍ଷ ପୂରା କରିବା ନେଇ ଶୁଭକାମନା , ବୋଧହୁଏ ଏବେସୁଦ୍ଧା ସବୁଠୁ ଦୀର୍ଘ ଅବଧିର କାର୍ଯ୍ୟକାଳ। ଆପଣଙ୍କୁ ଆଗାମୀ ଭବିଷ୍ୟତର ଏକ ଦୀର୍ଘ , ସୁସ୍ଥ ଓ ଖୁସି ଜୀବନ କାମନା କରୁଛି ,ଜୟ ହିନ୍ଦ୍।
ଏହା ପୂର୍ବରୁ କାକୋଲି ଘୋଷ ଦସ୍ତିଦାରଙ୍କ ତତ୍ତ୍ୱାବଧାନରେ ଟିଏମସିର କଥିତ ୨୦ ଜଣ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଏନଡିଏକୁ ସମର୍ଥନ ଦେବା ଏବଂ ଗୃହ ଭିତରେ ଅଲଗା ବସିବାକୁ ଅନୁମତି ମାଗି ଥିଲେ। ମମତା ବାନାର୍ଜୀଙ୍କ ସମର୍ଥକଙ୍କ କହିବାନୁସାରେ, ଏହି ତାଲିକାରେ ୨୦ଜଣ ସାଂସଦଙ୍କ ନାଁ ନାହିଁ। ଅନ୍ୟପଟେ କାକୋଲି ଘୋଷଙ୍କ ଦାବି ଯେ, ସେ ଟିଏମସିର ଅସନ୍ତୁଷ୍ଟ ୨୦ ଜଣ ସାଂସଦଙ୍କ ତାଲିକା ଲୋକସଭା ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଆଲୋଚନା ହେଉଛି ଯେ, ଏହି ବିଦ୍ରୋହୀ ସାଂସଦଙ୍କ ତାଲିକାରେ ଶତ୍ରୁଘ୍ନ ସିହ୍ନାଙ୍କ ନାଁ ମଧ୍ୟ ଅଛି। ହେଲେ ଏହାକୁ ନେଇ ଏବେ କୌଣସି ଅଫିସିଆଲି ବୟାନ ଆସି ନାହିଁ। ଶତ୍ରୁଘ୍ନ ସିହ୍ନା ଆସନସୋଲ ଲୋକସଭା ଆସନରୁ ସାଂସଦ ଅଛନ୍ତି। ବିଜେପିରୁ ଅଲଗା ହେବା ପରେ ସେ କିଛି ଦିନ ପାଇଁ କଂଗ୍ରେସରେ ଥିଲେ। ଏହାପରେ ସେ ଲଗାତାର ଲୋକସଭାରେ ଟିଏମସିର ସଦସ୍ୟ ଅଛନ୍ତି।
ମନେପକାଇ ଦେଉଛୁ ଯେ, ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ଶତ୍ରୁଘ୍ନ ସିହ୍ନା ପିଏମ୍ ମୋଦିଙ୍କ ପ୍ରଶଂସା କରିଥିଲେ। ସେ ନ୍ୟୁଜ-୧୮ ଇଣ୍ଡିଆ ସହ କଥାବାର୍ତ୍ତାରେ କହିଥିଲେ , ପିଏମ୍ ମୋଦି ଖୁବ୍ ପରିଶ୍ରମୀ ,ଏହା ତାଙ୍କ ଠାରୁ ଶିଖିବା କଥା।
ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ୮୦ ଜଣ ବିଧାୟକ ଜିତିଛନ୍ତି। ଋତବ୍ରତ ବାନାର୍ଜୀଙ୍କ ତତ୍ତ୍ୱାବଧାନରେ ୫୮ ଜଣ ବିଧାୟକ ଅଲଗା ହୋଇ ରାଜ୍ୟ ବିଧାନସଭାରେ ଅଲଗା ଦଳର ମାନ୍ୟତା ପ୍ରାପ୍ତ କରି ସାରିଛନ୍ତି। ତାଙ୍କର ଦାବି ଯେ, ଏବେସୁଦ୍ଧା ୬୫ ଜଣ ବିଧାୟକ ତାଙ୍କ ସହ ଆସି ସାରିଛନ୍ତି।ରାଜ୍ୟସଭାରେ ଏବେସୁଦ୍ଧା ଟିଏମସିର ତିନି ଜଣ ସାଂସଦ ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଓ ପ୍ରକାଶ ଚିକ ବରାଇକ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ମମତାଙ୍କ ସମର୍ଥନରେ ଶତ୍ରୁଘ୍ନ, କହିଲେ ମୋ ଅସୁବିଧା ସମୟରେ ସେ ଥିଲେ ମୁଁ ତାଙ୍କ ସହ ଅଛି